ସମଲେଶ୍ୱରୀ ମନ୍ଦିରରେ ଭିକ ମାଗିଲେ

Advertisment

ଏସ୍‌ମା ଲାଗୁ ପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ଆନ୍ଦୋଳନ

ଏସ୍‌ମା ଲାଗୁ ପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ଆନ୍ଦୋଳନ

ସମଲେଶ୍ୱରୀ ମନ୍ଦିରରେ ଭିକ ମାଗିଲେ

ସମ୍ବଲପୁର : ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଉପରେ କଟକଣା ଲାଗିଲା, ଦୁଇ ମାସ ହେଲା ମିଳି ନାହିଁ ବେତନ। ଏଭଳି ସ୍ଥିତିରେ ମକର ସଂକ୍ରାନ୍ତି ଅବସରରେ ଭିକ ମାଗିବା ଛଡ଼ା ଅନ୍ୟ ରାସ୍ତା ନଥିବା କହିଛି ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀ ସଂଘ। ଅନ୍ୟଦିଗରେ ଏସମା ଲାଗୁ ପରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ୩୫୧ ଜଣ ସମ୍ବଲପୁରସ୍ଥିତ ମଣ୍ଡଳ କାରାଗାର ଏବଂ ୧୪ ଜଣ ରେଢ଼ାଖୋଲ ଉପକାରାଗାରରେ ଅଛନ୍ତି।

ମକର ସଂକ୍ରାନ୍ତି ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଥିଲା ନାହିଁ ନଥିବା ଭିଡ଼। ଅନେକ ଭିକାରି ମନ୍ଦିର ସମ୍ମୁଖରେ ବସି ରହିଥିଲେ। ଏଥିମଧ୍ୟରେ ଥିଲେ ଆନ୍ଦୋଳନରତ ଆମ୍ବୁଲାନ୍ସ ଚାଳକ, ସହାୟକ ଏବଂ ଫାର୍ମାସିଷ୍ଟ। ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଭିକ ମାଗି ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ ଜଣାଇଥିଲେ। ଆମ୍ବୁଲାନ୍ସ ଭଳି ଅତ୍ୟାବଶକ ସେବାରେ ଜିକ୍ୱିଜା ଭଳି ଘରୋଇ କମ୍ପାନି କିଭଳି କାର୍ଯ୍ୟ କରିବ ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ କମ୍ପାନି ୧୨ ଘଣ୍ଟା କାର୍ଯ୍ୟ କରାଇ ୮ ଘଣ୍ଟାର ମଜୁରି ପ୍ରଦାନ, ଅତିରିକ୍ତ କାର୍ଯ୍ୟ କରାଯାଇ ଅତିରିକ୍ତ ପ୍ରାପ୍ୟ ଦିଆନଯିବା, ରିଲିଭରମାନଙ୍କୁ ଟିଏ, ଡିଏ ନଦେବା, ୨ ବର୍ଷ ହେଲା କର୍ମଚାରୀମାନଙ୍କୁ ଇନକ୍ରିମେଣ୍ଟ ନଦେବା, ବିନା କାରଣରେ କର୍ମଚାରୀଙ୍କୁ କାର୍ଯ୍ୟ ନିବୃତ୍ତ, ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣ କରାନଯିବା, ଜରୁରିକାଳୀନ ଟେଲିଫୋନ କିମ୍ବା ରୋଗୀମାନଙ୍କ ପାଇଁ ଯନ୍ତ୍ରପାତି ମରାମତି କରାନଯିବା, ଅଗଷ୍ଟ ମାସରୁ ସେଲେରି ସ୍ଲିପ ନଦେବା ପ୍ରମୁଖ ୨୨ ଦଫା ଦାବି ରହିଛି।

ଏ ନେଇ ପ୍ରାୟ ଏକ ମାସ ହେବ ସେମାନେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ଅବସରରେ ଆନ୍ଦୋଳନସ୍ଥଳରେ ଏସମା ଲଗାଯାଇ ଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଏହାର ପ୍ରତିବାଦ କରି ନିଷେଧାଞ୍ଚଳକୁ ପଶିବାକୁ ଉଦ୍ୟମ ବେଳେ ଲାଠିମାଡ଼ ହୋଇଥିଲା। ଏଥିରେ ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀମାନେ ଆହତ ହୋଇଥିଲେ। ଆଗାମୀ ଦିନରେ ଏହି ପ୍ରତିବାଦରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ପରିବାର ସାମିଲ ହେବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe