କ୍ଷମତା ଅହଙ୍କାରରେ ଭୁଲିଗଲେ କଟକଣା : ନାଏବ ସରପଞ୍ଚଙ୍କ ସମେତ ୧୧ ଗିରଫ

Advertisment

ସପ୍ତାହେ ବ୍ୟାପୀ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ନାଏବ ସରପଞ୍ଚ ନିଲମ୍ବିତ

ସପ୍ତାହେ ବ୍ୟାପୀ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ନାଏବ ସରପଞ୍ଚ ନିଲମ୍ବିତ

କ୍ଷମତା ଅହଙ୍କାରରେ ଭୁଲିଗଲେ କଟକଣା : ନାଏବ ସରପଞ୍ଚଙ୍କ ସମେତ ୧୧ ଗିରଫ

ପୋଲସରା : ସାରା ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ଥିବାବେଳେ କ୍ଷମତାର ଉପଯୋଗ କରି କରୋନା କଟକଣାକୁ ଦଳିମକଚି ଦେଲେ। ଧୁମ୍‌ଧାମ୍‌ରେ ଚଳାଇଥିଲେ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ଉତ୍ସବ। ତାହା ପୁଣି ଦିନେ କି ଦୁଇଦିନ ନୁହେଁ; ଦୀର୍ଘ ଏକସପ୍ତାହ ଧରି ଚାଲିଥିଲା କାର୍ଯ୍ୟକ୍ରମ। ନିଜେ ସରପଞ୍ଚଙ୍କ ପୁଅ ତଥା ନାଏବ ସରପଞ୍ଚ ଏହାର ମୁଖ୍ୟ ତତ୍ତ୍ବାବଧାରକ ସାଜିଥିଲେ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି କରୁଥିଲେ। କୀର୍ତ୍ତନ ଓ ଭଜନ ସାଙ୍ଗକୁ ଗାଁ ପରିକ୍ରମା ମଧ୍ୟ ହେଉଥିଲା। ଗୋଟିଏ ପଟେ ସରପଞ୍ଚଙ୍କ ପୁଅ ଓ ଅନ୍ୟପଟେ ନାଏବ ସରପଞ୍ଚ ହୋଇଥିବାରୁ ସବୁ ନିୟମକୁ ଯେମିତି ଜଳାଞ୍ଜଳି ଦେଇଥିଲେ। ଆଉ ପୁଲିସ ଓ ସ୍ଥାନୀୟ ପ୍ରଶାସନ ମଧ୍ୟ୍ୟ ଆଖିରେ ଅଙ୍ଗୁଳି ଗେଞ୍ଜି ଯେମିତି ନିରବଦ୍ରଷ୍ଟା ସାଜିଥିଲେ। ଯଜ୍ଞ ଶେଷ ହେବାର ୩ ଦିନ ପରେ ଏହାର ଭିଡିଓ ଭାଇରାଲ୍ ହେବାରୁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନାଏବ ସରପଞ୍ଚଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି। କୋଭିଡ୍ ନିୟମ ଓ କଟକଣା ଉଲ୍ଲଂଘନ କରିଥିବାରୁ ସଂପୃକ୍ତ ନାଏବ ସରପଞ୍ଚଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି।

ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ହଟ୍‌ସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଜା.‌ଡେଙ୍ଗାପଦର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମରୁ ଏଭଳି ଏକ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। କରୋନା ମହାମାରୀ ପାଇଁ ମନ୍ଦିର ଖୋଲାଯିବା କଟକଣା ଲାଗିଥିବା ବେଳେ ଅନ୍ୟପଟେ ଏଭଳି ଏକ କାର୍ଯ୍ୟକ୍ରମ କିଭଳି ପରିସ୍ଥିତିରେ ଆୟୋଜିତ ହୋଇଥିଲା ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ତନାଘନା ଆରମ୍ଭ କରିଛି। କ‌ରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। କିନ୍ତୁ ନିଜେ ତାଙ୍କ ପୁଅ ତଥା ନାଏବ ସରପଞ୍ଚ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବାରୁ ସଂପୃକ୍ତ ସରପଞ୍ଚଙ୍କ ଭୂମିକା ମଧ୍ୟ ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି।

publive-image

ମର୍ଦ୍ଦରାଜପୁର ଗ୍ରାମ ପଞ୍ଚମୁଖୀ ମନ୍ଦିରରେ ଗତ ୨ ତାରିଖରୁ ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ଆରମ୍ଭ ହୋଇଥିଲା। ସରପଞ୍ଚ ସୂର୍ଯ୍ୟ ଜେନାଙ୍କ ପୁଅ ତଥା ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଏହାର ତତ୍ତ୍ବାବଧାରକ ତଥା ଆୟୋଜକ ସାଜିଥିଲେ। ଅଙ୍କୁରାରୋପଣ, ନାମଯଜ୍ଞ ଓ ଗାଁ ପରିକ୍ରମା ସମେତ ଅନେକ ରୀତିନୀତି ସଂପନ୍ନ ହୋଇଥିଲା। ପ୍ରତିଦିନ ଏଠାରେ ଗାଁ ସମେତ ଆଖପାଖ ଅନକେ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଏଠାରେ ଭିଡ଼ ଜମାଉଥିଲେ। କେହି ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତ୍ବକୁ ମଧ୍ୟ ରକ୍ଷା କରାଯାଉ ନଥିଲା। ତେବେ କିଛି ଗ୍ରାମବାସୀ ସାହସ ଜୁଟାଇ ଏହାର ପ୍ରତିବାଦ କରିଥିଲେ। ଗତ ୭ ତାରିଖରେ ଗ୍ରାମର ଆକୁଳ ସ୍ବାଇଁ ନାମକ ଜଣେ ଯୁବକ ଏହାକୁ ବିରୋଧ କରିବାରୁ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଓ ତାଙ୍କର ଜଣେ ସଂପର୍କୀୟ ମିଶି ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଆକୁଳ ଥାନାରେ ଏତଲା ଦେଇଥିଲେ।

ତେବେ ଯଜ୍ଞର କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରିବା ପରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ବିଡିଓ ଶମ୍ଭୁନାଥ ନନ୍ଦି ପ୍ରମୁଖ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ। ଛାନ୍‌ଭିନ୍ ପରେ ବିଡିଓ ଶ୍ରୀ ନନ୍ଦି ନାଏବ ସରପଞ୍ଚ କୃଷଚନ୍ଦ୍ରଙ୍କ ସମେତ ଏଥିରେ ସଂପୃ୍କ୍ତ ଅନ୍ୟାନ୍ୟ ବ୍ୟକ୍ତି ଓ ମୁଖ୍ୟ ପୁରୋହିତଙ୍କ ନାମରେ ଏତଲା ଦେଇଥିଲେ। ପୋଲସରା ଥାନାରେ ଏ ସଂକ୍ରାନ୍ତରେ କେସ୍ ନମ୍ବର ୧୭୧/୨୦୨୦, ଆଇପିସି ୧୮୮, ୨୬୯, ୨୭୦, ୩୪ ଓ ସେକ୍ସନ୍ ୩ ଆପିଡେମିକ୍ ଡିଜିଜ୍ ଆକ୍ଟ୍ ଅନୁସାରେ ମାମଲା ରୁଜୁ ପରେ ନାଏବ ସରପଞ୍ଚଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ‌କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ନାଏବ ସରପଞ୍ଚଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିବୃତିରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆକୁଳଙ୍କ ଏତଲା କ୍ରମେ ଥାନାରେ କେସ୍ ନମ୍ବର ୧୬୯ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe