ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ହରିଶଙ୍କର ରେଳଷ୍ଟେସନ ନିକଟରୁ ମଙ୍ଗଳବାର ରାତିରେ ପୁଲିସ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ସର୍ଦ୍ଦାର ପିପଲବାହାଲ ଗାଁର ସୁମନ ଭୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ସଂଧ୍ୟାରେ କୌଣସି ସୂତ୍ରରୁ ଲଠୋର ପୁଲିସ ଦାଦନ ଚାଲାଣ ସଂପର୍କରେ ଖବର ପାଇଥିଲା। ଏହି ଖବର ଜାଣିବା ପରେ ପୁଲିସ ମଧ୍ୟରାତ୍ରିରେ ରେଳ ଷ୍ଟେସନ ନିକଟରେ ଚଢ଼ଉ କରି ପିକ୍ଅପ୍ ଭ୍ୟାନ୍ (ଓଡି ଡବ୍ଲୁ ୯୧୯୨)କୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ଉଦ୍ଧାର କରି ସର୍ଦ୍ଦାର ସୁମନ ଭୋଇଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା କରିବାରୁ ଉଦ୍ଧାର ଶ୍ରମିକମାନେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ସାଲେପାଲି ଗାଁର ବୋଲି ଜାଣି ପାରିଥିଲା। ସେମାନଙ୍କୁ ନିଜ ଗ୍ରାମକୁ ନେଇ ପୁଲିସ ଛାଡ଼ିଦେଇଥିବା ସୂଚନା ମିଳିଛି। ଏନେଇ ଲଠୋର ଥାନା କେସ୍ ନଂ ୧୧୯/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି।
ରେଳଷ୍ଟେସନ ପାଖରୁ ୧୧ ଶ୍ରମିକ ଉଦ୍ଧାର, ଦାଦନ ସର୍ଦ୍ଦାରକୁ କୋର୍ଟ ଚାଲାଣ
Advertisment
Follow Us