ପଦ୍ମପୁର ଉପନିର୍ବାଚନ: ୨ ଜଣଙ୍କ ପ୍ରାର୍ଥିପତ୍ର ନାକଚ, ନିର୍ବାଚନ ମଇଦାନରେ ଲଢ଼ିବେ ୧୧ ପ୍ରାର୍ଥୀ

Advertisment
ପଦ୍ମପୁର ଉପନିର୍ବାଚନ: ୨ ଜଣଙ୍କ ପ୍ରାର୍ଥିପତ୍ର ନାକଚ, ନିର୍ବାଚନ ମଇଦାନରେ ଲଢ଼ିବେ ୧୧ ପ୍ରାର୍ଥୀ

ପଦ୍ମପୁର/ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଆଜି ଯାଞ୍ଚ ସରିଛି। ପ୍ରାର୍ଥିପତ୍ର ଯାଞ୍ଚ ସରିବା ପରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି। ନାମାଙ୍କନ ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀ। ଉଭୟ ଜୟନ୍ତ ଓ ଦେବଦତ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା ଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଯିବା ପରେ ଏବେ ନିର୍ବାଚନ ପଡ଼ିଆରେ ୧୧ ଜଣ ପ୍ରାର୍ଥୀଙ୍କ ଲଢେଇ ହେବ। ପଦ୍ମପୁରୁକୁ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ନିଜର ଶକ୍ତି ଲଗାଇବ। ଏଥିପାଇଁ ଏହି ୩ ଦଳ ନିଜ ନିଜ ସ୍ତରରେ ରଣନୀତି ଆରମ୍ଭ କରିଦେଇଛନ୍ତି।

ବୁଧବାର ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥପାଙ୍କଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ପ୍ରଥମେ ମାଣ୍ଡୋସିଲ ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ନିଜର ପଦ୍ମପୁର ବାସଭବନରୁ  ବିନା କୌଣସି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। ତାଙ୍କ ସହିତ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ, ବିଧାୟକ ସୁଶାନ୍ତ ସିଂ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଅଳକା ମହାନ୍ତି ଓ ଶ୍ରୀମୟୀ ମିଶ୍ର ଆସିଥିଲେ।

କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଏକ ଶୋଭାଯାତ୍ରାରେ ବାହାରି  ସ୍ଥାନୀୟ ରିକ୍ରେସନ ସେଣ୍ଟରଠାରେ ଏକ ସାଧାରଣ ସଭା କରିଥିଲେ। ଏଥିରେ ଦଳର ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ପ୍ରସାଦ ହରିଚନ୍ଦନ, ଜିଲ୍ଲା ସଭାପତି ନିହାର ମହାନନ୍ଦ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିରାଡ଼ମ୍ବର ଭାବରେ ଆସି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମୁଖପାତ୍ର ଗୋଲକ ମହାପାତ୍ର ସମେତ ବହୁ ସ୍ଥାନୀୟ କର୍ମୀ ଉପସ୍ଥିତ ଥିଲେ।

ସେହିପରି, ଓଜିପି ତରଫରୁ ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ବିଦ୍ୟାଧର ପାଣ୍ଡବଙ୍କ ସହିତ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା, ଦେବବ୍ରତ ସୁନାନୀ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe