ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୨୩ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ବ୍ଲକ, କର୍ମିରା ବ୍ଲକର ରୋଗୀ ଥିବା ଜଣାଯାଇଛି। ବ୍ରଜରାଜନଗର ଠାରେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ଡ୍ରାଇଭର, କର୍ମିରାର ଜଣେ ଫାର୍ମାସିଷ୍ଟ ଏବଂ ବେଲପାହାଡ଼ର ଜଣେ ରେଳ ବିଭାଗ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାଯାଇଛି।
ବ୍ରଜରାଜନଗର ଠାରେ ସର୍ବାଧିକ ୧୬ ଜଣ ଥିବା ଜଣାଯାଇଛି। ବ୍ରଜରାଜନଗର ଲମଟିବାହାଲ ଓ ଗଙ୍ଗାନଗର ଅଞ୍ଚଳର ଦୁଇ ଗୋଟି ପରିବାରର ୫ ଜଣ ସଦସ୍ୟ ବିହାର ନାଳାନ୍ଦା ଠାରୁ ଗତ ୧୫ ତାରିଖ ଦିନ ଫେରିଥିଲେ। ଉଭୟ ପରିବାରର ଦୁଇ ମହିଳା ଓ ୩ ଶିଶୁ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନେ ଓରିଏଣ୍ଟ ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ବୁନ୍ଦିଆ କଲୋନିର ଅନ୍ୟ ୩ ଗୋଟି ପରିବାର ୯ ଜଣ ସଦସ୍ୟ ମୁମ୍ବାଇରୁ ଫେରି ଅଏଁଲାପାଲି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଏଥିରେ ଦୁଇ ପୁରୁଷ, ୩ ମହିଳା ଓ ୪ ଶିଶୁ ଅଛନ୍ତି।
ଝାରସୁଗୁଡ଼ା ସହରର ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶଙ୍କର ହୋଟେଲ ସ୍ଥିତ ପେଡ୍ କ୍ୱାରାଣ୍ଟିନ୍ରେ ଥିଲେ। ଜଣେ ୨୫ ବର୍ଷ ପୁରୁଷ ଗତ ୧୪ରେ ଦିଲ୍ଲୀରୁ ବିମାନରେ ଆସି ଏଠାରେ ଥିଲେ। ଅନ୍ୟ ଜଣେ ୨୮ ବର୍ଷ ପୁରୁଷ ମହାରାଷ୍ଟ୍ରର ରାୟଗଡ଼ ସହରରୁ ଗତ ୧୨ ତାରିଖ ଦିନ ଟ୍ରେନ୍ରେ ଆସି ଏଠାରେ ରହୁଥିଲେ। ଅନ୍ୟଜଣେ ୨୭ ବର୍ଷର ମହିଳା ରାଜସ୍ଥାନ ଜୟପୁରରୁ ଗତ ୧୪ ତାରିଖରେ ଆସି ଏକାତାଲି ଠାରେ ହୋମ କ୍ୱାରାଣ୍ଟିନ୍ରେ ଥିଲେ।
ବେଲପାହାଡ଼ ରେଳ ବିଭାଗର ଜଣେ କର୍ମଚାରୀଙ୍କ ପଜିଟିଭ୍ ବାହାରିଥିବା ବେଳେ ତାଙ୍କର କୌଣସି ଯାତ୍ରା ବିବରଣୀ ନାହିଁ। ଲଖନପୁର ବ୍ଲକ ମଚିଦା ଜିପିର କନଡିହି ଗ୍ରାମର ଜଣେ ୭ ବର୍ଷର ଶିଶୁ କନ୍ୟା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେ ମା ବାପା ସହିତ ଛତିଶଗଡ଼ ରାୟଗଡ଼ରୁ ଫେରିଥିଲେ। କର୍ମିରା ବ୍ଲକ ବାଗଡିହି ଅଞ୍ଚଳରେ ଜଣେ ଫାର୍ମାସିଷ୍ଟ ଆକ୍ରାନ୍ତ ହୋଇଥିବା ବେଳେ ଲହି ବ୍ଲକର ଦେଓପାନ ଗ୍ରାମର ଜଣେ ଏକ ବର୍ଷର ଶିଶୁ ଆକ୍ରାନ୍ତ ହୋଇଛି। ଏହି ପରିବାର ମଧ୍ୟପ୍ରଦେଶର ସହଡୋଲରୁ ଫେରିଥିବା ଜଣାଯାଇଛି। ଗତକାଲି ଜିଲ୍ଲାର ପଜିଟିଭ୍ ସଂଖ୍ୟା ୪୯ ଥିବା ବେଳେ ଆଜି ୨୩ ମିଶି ଏହା ୭୨କୁ ବୃଦ୍ଧି ପାଇଛି।
Follow Us