୧୧ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ବିଭିନ୍ନ ଦାବିରେ ଜିଲ୍ଲାସ୍ତରୀୟ ଅମଲାମାନେ ଗତ ୧୦ ତାରିଖରୁ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାରୁ ଜିଲ୍ଲା ଓ ସବ୍‌ଡିଭିଜନ୍‌ସ୍ତରରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

Mohan

ଭୁବନେଶ୍ବର: ବିଭିନ୍ନ ଦାବିରେ ଜିଲ୍ଲାସ୍ତରୀୟ ଅମଲାମାନେ ଗତ ୧୦ ତାରିଖରୁ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାରୁ ଜିଲ୍ଲା ଓ ସବ୍‌ଡିଭିଜନ୍‌ସ୍ତରରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଫଳରେ ସାଧାରଣ ଲୋକେ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି। ଆନ୍ଦୋଳନରତ ଅମଲାମାନଙ୍କ ଅନୁପସ୍ଥିତି ପାଇଁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରିବା, ବେଆଇନ ଛୁଟି ପାଇଁ ଦରମା ବନ୍ଦ, ଏପରିକି ସେବା ରହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଜିଲ୍ଲାପାଳମାନଙ୍କୁ ଗତ ୧୨ ତାରିଖରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆନ୍ଦୋଳନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନର ବାଟ ଖୋଲିବାକୁ ସାଧାରଣରେ ଦାବି ହେଉଛି। 

ଜିଲ୍ଲା ଓ ଉପଖଣ୍ଡ କାର୍ଯ୍ୟାଳୟରେ କାମ ବନ୍ଦ, ଲୋକେ ହନ୍ତସନ୍ତ

ଜିଲ୍ଲାସ୍ତରୀୟ ରାଜସ୍ବ ଅମଲା ସଂଘ ପକ୍ଷରୁ ରାଜସ୍ବ ମନ୍ତ୍ରୀ, ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଓ ମୁଖ୍ୟ ସଚିବଙ୍କୁ ଦିଆଯାଇଥିବା ସ୍ମାରକପତ୍ର ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ପ୍ରକାଶିତ ସଂକଳ୍ପ (ନଂ ୭୦୮/୬-୧-୨୦୨୪) ଆଧାରରେ ଜିଲ୍ଲାସ୍ତରୀୟ ରାଜସ୍ବ ଅମଲାମାନଙ୍କୁ ୨୦୨୪ ଜାନୁଆରିରୁ ସ୍ବତନ୍ତ୍ର କ୍ୟାଡରଭୁକ୍ତ କରାଯାଇଥିଲା। ଇତିମଧ୍ୟରେ ବର୍ଷେ ୮ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ପଦବି ପୁନର୍ଗଠନ ସଂକ୍ରାନ୍ତରେ ସରକାର କୌଣସି ନିଷ୍ପତ୍ତି ନେଇ ନଥିବାରୁ ପଦୋନ୍ନତିରୁ ବଞ୍ଚିତ ହୋଇଆସୁଛନ୍ତି। ଉପରୋକ୍ତ ସଂକଳ୍ପ ଅନୁଯାୟୀ ସେମାନଙ୍କୁ ପଦଭିତ୍ତିରେ ସମାନ ପ୍ରାପ୍ୟ, ମୂଳ ଦରମା ସଂଶୋଧନ, ପଦୋନ୍ନତି ସକାଶେ ସର୍ବନିମ୍ନ ଅବଧି ନିର୍ଦ୍ଧାରଣ ଆଦି ୧୦ଟି ଦାବିର ସୁବିଚାର ନିମନ୍ତେ ରାଜସ୍ବ ଅମଲା ସଂଘ ପକ୍ଷରୁ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବରଂ ଜୁଲାଇ ୧୬ରେ ରାଜ୍ୟ କ୍ୟାବିନେଟ୍‌ରେ ଗୃହୀତ ଓଡ଼ିଶା ରାଜସ୍ବ ସେବା (ନିଯୁକ୍ତି) ନିୟମାବାଳୀ-୨୦୧୧ର ସଂଶୋଧନ ଏବଂ ତାହାକୁ ଆଧାର କରି ଜୁଲାଇ ୨୮ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଅଧିସୂଚନା ସେମାନଙ୍କୁ ହତାଶ କରିଛି। ଉପରୋକ୍ତ ସଂଶୋଧିତ ଅଧିସୂଚନାର ଅନୁଚ୍ଛେଦ-୩ ଓ ୫କୁ ତୁରନ୍ତ ରଦ୍ଦ କରାଯିବା ସହ ସଂଘ ପକ୍ଷରୁ ଆଗତ ୧୦ଟି ଦାବିକୁ ପୂରଣ କରାନଗଲେ ଜିଲ୍ଲାସ୍ତରୀୟ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ସମୂହ ଛୁଟିରେ ଯିବେ ବୋଲି ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସଚିବ ଓ ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଥିଲା। ତଦନୁଯାୟୀ ଗତ ୧୦ ତାରିଖରୁ ସେମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe