ତିନି ଘଣ୍ଟାର ପରିଶ୍ରମ ପରେ ଜେସିବି ଇଞ୍ଜିନରୁ ଉଦ୍ଧାର ହେଲା ୧୧ ଫୁଟିଆ ଅଜଗର

ତିନି ଘଣ୍ଟାର ପରିଶ୍ରମ ପରେ ଜେସିବି ଇଞ୍ଜିନରୁ ଉଦ୍ଧାର ହେଲା ୧୧ ଫୁଟିଆ ଅଜଗର

ଗଞ୍ଜାମ: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗ୍ରାମ ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପ ଉଦ୍ଧାର କରାଯାଇଛି ।

ନୂଆ ବନ୍ଧର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ପାଣି ବାହାର କରିବାକୁ ଜେସିବି ମେସିନଦ୍ୱାରା ନାଳ ଖୋଲା ଯାଉଥିଲା । ସେହି ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଚାଲି ଆସିଥିଲେ । ଗୋଟିଏ ୭ ଫୁଟର ଅଜଗରକୁ ଚାଳକ କୌଶଳକ୍ରମେ ଜେସିବିର ଶୁଣ୍ଢରେ ଦାବି ରଖିଥିଲେ । ଅନ୍ୟ ଅଜଗରଟି ଜେସିବିର ଇଞ୍ଜିନ ଭିତରକୁ ପଶିଯାଇଥିଲା ।

ଏ ସଂକ୍ରାନ୍ତରେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ସେଠାରେ ପହଞ୍ଚିଥିଲେ ।

ସ୍ୱାଧୀନ ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରି ଏକ ଅଖା ଭିତରେ ପୂରେଇ ରଖିଥିଲେ । କିନ୍ତୁ, ଜେସିବି ଇଞ୍ଜିନ୍ ଭିତରେ ପଶିଥିବା ୧୧ ଫୁଟିଆ ଅଜଗରକୁ ବାହାର କରିବା ଲାଗି ସ୍ନେକ ହେଲ୍ପ ଲାଇନ ଟିମକୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ବଳ ପ୍ରୟୋଗ କରି ଭିଡ଼ିଲେ ଅଜଗରଟି କ୍ଷତାକ୍ତ ହେବାର ଆଶଙ୍କା ଥିବାରୁ ସ୍ୱାଧୀନ ଧୀରେସୁସ୍ଥେ କୌଶଳ କରି ଉଦ୍ଧାର ଉଦ୍ୟମ ଚଳାଇଥିଲେ । ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅଜଗରଟିକୁ ସେମାନେ ଜେସିବି ମଧ୍ୟରୁ ବାହାର କରିବାରେ ସଫଳ ହେଇଥିଲା । ସନ୍ଧ୍ୟା ୯ଟା ରୁ ରାତି ୧୨ଟାଯାଏଁ ଅଜଗର ଉଦ୍ଧାର ଅଭିଯାନ ଚାଲିଥିଲା । ସ୍ଥାନୀୟ ଗ୍ରାମବାସୀମାନେ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଉଦ୍ଧାର କରାଯାଇଥିବା ଦୁଇ ଅଜଗରଙ୍କୁ ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଆଜି ସକାଳେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe