ଜାତୀୟ ର‍୍ୟାଙ୍କିଂରେ ରାଜ୍ୟର ୧୧ଟି ଆଇଟିଆଇ

Advertisment

ଓମ୍‌ବାଡ୍‌ସି ଅଞ୍ଚଳରେ ପ୍ରତିଷ୍ଠା ହେବ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର

ଓମ୍‌ବାଡ୍‌ସି ଅଞ୍ଚଳରେ ପ୍ରତିଷ୍ଠା ହେବ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର

ଜାତୀୟ ର‍୍ୟାଙ୍କିଂରେ ରାଜ୍ୟର ୧୧ଟି ଆଇଟିଆଇ

rponline.in

ଭୁବନେଶ୍ୱର : ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡ୍‌ସି) ପାଣ୍ଠିରେ ଭିତ୍ତିଭୂମି ବିକାଶ କରାଯାଉଥିବା ଜିଲ୍ଲାମାନଙ୍କରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର (ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍‌ସ୍‌) ପ୍ରତିଷ୍ଠା ହେବ। ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଓମ୍‌ବାଡ୍‌ସି ଅଞ୍ଚଳରେ ଯୁବକଯୁବତୀମାନଙ୍କୁ ଅତ୍ୟାଧୁନିକ ସେକ୍ଟରରେ ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାସହିତ ରାଜ୍ୟର ୧୧ଟି ଆଇ.ଟି.ଆଇକୁ ଜାତୀୟ ସ୍ତରରେ ଟପ୍‌-୧୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନ ମିଳିଥିବା ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି।

ଶନିବାର ଲୋକସେବା ଭବନରୁ ଡିଜିଟାଲ୍‌ ଜରିଆରେ ସମୀକ୍ଷା କରିବା ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଡ୍ରୋନ୍‌ ପାଇଲଟିଂ, ସୌର ଶକ୍ତି ବୈଷୟିକ କୌଶଳ, ସ୍ମାର୍ଟ୍‌ କୃଷି, ସ୍ମାର୍ଟ୍‌-ଉଦ୍ୟାନଚାଷ, ରୋବଟିକ୍‌ସ୍‌, ମେକୋଟ୍ରୋନିକ୍‌ସ୍‌, ଥ୍ରୀ-ଡି କୌଶଳ ଆଦି ବିଷୟରେ ଏହି ସବୁ କେନ୍ଦ୍ରଗୁଡ଼ିକରେ ତାଲିମ ଆରମ୍ଭ କରାଯିବ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ବୟରେ ଆବଶ୍ୟକ ହେଉଥିବା ମାନବ ସମ୍ବଳ ଅନୁଯାୟୀ ତାଲିମ ପାଠ୍ୟକ୍ରମ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ବିଭିନ୍ନ ଶିଳ୍ପାନୁଷ୍ଠାନ ସହଯୋଗରେ କଟକ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ବର ଆଇ.ଟି.ଆଇମାନଙ୍କରେ ଉତ୍କର୍ଷ ବୈଷୟିକ କୌଶଳ ତାଲିମ କେନ୍ଦ୍ର (ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍‌ସ୍‌) କାର୍ଯ୍ୟ କରୁଛି। ଏହିସବୁ ଅନୁଷ୍ଠାନମାନଙ୍କୁ ମାରୁତି ସୁଜୁକି, ଆଇ.ପି.ଏସ୍‌.ସି, ଏଚ୍‌.ଏସ୍‌.ଆଇ.ଏଲ୍‌ ଓ ସିନ୍ଦର ଇଲେକ୍ଟ୍ରିକ୍‌ ସହଭାଗିତା ଯୋଗାଇ ଦେଉଛନ୍ତି। ଯାଜପୁର ଆଇ.ଟି.ଆଇ, ଯାଜପୁର ପଲିଟେକ୍‌ନିକ୍‌, ବାରିପଦା ଆଇ.ଟି.ଆଇ, ତାତକପୁର ଆଇ.ଟି.ଆଇରେ ଅଟୋମେସନ୍‌ ଟେକ୍ନୋଲଜି, ଆଡଭାନସ୍‌ଡ୍‌ ଓ୍ବେଲଡିଂ, ଥର୍ମାଲ୍‌ କଟିଂ, ମିନି ଟୁଲ୍‌ ରୁମ୍‌ ଆଦି ବିଷୟରେ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍‌ସ୍‌ ଗଠନ ପାଇଁ ବୈଠକରେ ସ୍ଥିର କରାଯାଇଛି। ସେହିପରି କରଞ୍ଜିଆ, ଉଦଳା, କପ୍ତିପଦା, ଆନନ୍ଦପୁର, କେନ୍ଦୁଝର, ରାଉରକେଲା, ବଡ଼ବିଲ, ବାରକୋଟ ଆଇ.ଟି.ଆଇ, ମୟୂରଭଞ୍ଜ ପଲିଟେକ୍‌ନିକ୍‌, ଦେବଗଡ଼ ପଲିଟେକ୍‌ନିକ୍‌ ଓ କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ଅନୁଷ୍ଠାନ ଆଦିରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେଣ୍ଟରର୍ସ ଅଫ୍‌ ଏକ୍‌ସେଲେନ୍‌ସ୍‌ ବିକଶିତ ପାଇଁ ବୈଠକରେ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ କଟକ, ବ୍ରହ୍ମପୁର ଓ ହୀରାକୁଦ ଆଇ.ଟି.ଆଇ ୩ଟି ମିନି ଟୁଲ୍‌ ରୁମ୍‌ ଭୁବନେଶ୍ବରରେ ସି.ଟି.ଟି.ସି ସହଭାଗିତାରେ କାର୍ଯ୍ୟକରୁଛି। କଟକ ଟୁଲ୍‌ ରୁମ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ ମଧ୍ୟ କେତେକ ଯନ୍ତ୍ରପାତି ଉତ୍ପାଦନ କରାଯାଉଛି।

ରାଜ୍ୟର ୧୧ଟି ଆଇ.ଟି.ଆଇ ଜାତୀୟ ରୢାଙ୍କିଂରେ ସ୍ଥାନ ପାଇଛି। ସେଥିରେ ୭ଟି ସରକାରୀ ଓ ୪ଟି ବେସରକାରୀ ଅନୁଷ୍ଠାନ ସାମିଲ ଅଛନ୍ତି। ଏ ସମ୍ପର୍କରେ ସବିଶେଷ ସୂଚନା ଦେଇ ଶ୍ରୀ ସିଂହ କହିଥିଲେ ସରକାରୀ ଅନୁଷ୍ଠାନ ମଧ୍ୟରେ ବ୍ରହ୍ମପୁର ଆଇ.ଟି.ଆଇ ୧୧ତମ ସ୍ଥାନ ପାଇଥିବାବେଳେ, ହିଞ୍ଜିଳିକାଟୁ ଆଇ.ଟି.ଆଇ ୧୫ ତମ, ଯାଜପୁର ଆଇ.ଟି.ଆଇ ୨୪ ତମ, ଝାରସୁଗୁଡ଼ା ଆଇ.ଟି.ଆଇ ୪୫ ତମ, ପୁରୀ ଆ.ଇ.ଟି.ଆଇ ୬୧ ତମ, ତାକତପୁର ଆଇ.ଟି.ଆଇ ୭୩ ତମ ଓ ଭୁବନେଶ୍ବର ଆଇ.ଟି.ଆଇକୁ ୮୮ ତମ ସ୍ଥାନ ମିଳିଛି। ବେସରକାରୀ ଆଇ.ଟି.ଆଇ ଭିତରେ ଭଦ୍ରକ ଏ.ଟି.ଆଇକୁ ୫୨ ତମ ସ୍ଥାନ ମିଳିଥିବାବେଳେ ଚରମ୍ପା ଆଇ.ଟି.ଆଇକୁ ୬୬ ତମ, ସୁନ୍ଦରଗଡ଼ର ଡାଲମିଆ ଆଇ.ଟି.ଆଇକୁ ୬୪ ତମ ଓ କଟକ ଜଗତପୁରସ୍ଥିତ ଶ୍ରୀଗୁରୁ ଆଇ.ଟି.ଆଇ ୬୫ ତମ ରୢାଙ୍କ୍‌ ପାଇଛନ୍ତି।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜି, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା, ଅତିରିକ୍ତ ଶାସନ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ଶାସନ ସଚିବ ଅଜୟ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe