ମୁଣ୍ଡଳୀରେ ପ୍ରବାହିତ ହେବ ୧୧ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ

Advertisment

୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ; ୨୪ ଘଣ୍ଟିଆ ପାଟ୍ରୋଲିଂ ଆରମ୍ଭ

୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ; ୨୪ ଘଣ୍ଟିଆ ପାଟ୍ରୋଲିଂ ଆରମ୍ଭ

ମୁଣ୍ଡଳୀରେ ପ୍ରବାହିତ ହେବ ୧୧ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ

Odisha Diary

କଟକ : ମହାନଦୀର ମୁଣ୍ଡଳୀରେ ଆସନ୍ତାକାଲି ସୁଦ୍ଧା ପ୍ରବାହିତ ହେବ ୧୧ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ। ଏଥିପାଇଁ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। କିନ୍ତୁ ଗୋଟିଏପଟେ ଦୁର୍ବଳ ନଦୀବନ୍ଧ ଚିନ୍ତା ବଢାଇଥିବାବେଳେ ଏବେ ଶେଷ ମୁହୂର୍ତ୍ତରେ ମହାନଦୀ ନର୍ଥ ଡିଭିଡଜ, ସାଉଥ୍‌ ଡିଭିଜନ, ପ୍ରାଚୀ ଡିଭିଜନ ପକ୍ଷରୁ ବନ୍ଧରେ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ସାଉଥ୍‌ ଡିଭିଜନ ଓ ନର୍ଥ ଡିଭିଜନ, ପ୍ରାଚୀ ଡିଭିଜନରେ କୌଣସି ସ୍ଥାନରେ ଦୁର୍ବଳ ନଦୀବନ୍ଧ ନଥିବା ବିଭାଗ ପକ୍ଷରୁ କୁହାଯାଉଥିବାବେଳେ ପାଖାପାଖି ୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି ଓ ଘାଇ ସୃଷ୍ଟି ହେବାର ଆଶଙ୍କା ରହିଥିବା କୁହାଯାଉଛି। ଅନ୍ୟପଟେ ତଳିଆ ଅଂଚଳରେ ଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ଉଠିଯିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରଦ୍ବାରା ସତର୍କ କରାଯାଇଛି।

ମୁଣ୍ଡଳୀଠାରେ ବର୍ତ୍ତମାନ ୭ଲକ୍ଷ ୧୧ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବାବେଳେ, ନରାଜଠାରେ ୩ଲକ୍ଷ ୫୨ହଜାର ୯୫୭ କ୍ୟୁସେକ ଓ ଯୋବ୍ରାରେ ୩ଲକ୍ଷ ୪୫ହଜାର ୭୦୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ଯୋବ୍ରା କଂଟ୍ରୋଲ ରୁମ୍‌ ତଥ୍ୟରୁ ଜଣାପଡିଛି। ନରାଜରେ ୪୬ଟି ଗେଟ୍‌ ଥିବାବେଳେ ସମସ୍ତ ଗେଟ୍‌କୁ ଆଂଶିକଭାବେ ଖୋଲାଯାଇଛି। ସେହିପରି ଯୋବ୍ରାରେ ୯୫ଟି ଗେଟ୍‌ରୁ ୫୦ଟି ଗେଟ୍‌ ଖୋଲାଯାଇଛି। ତିଗିରିଆ ବ୍ଲକରେ ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ଗ୍ରାମର ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଚଷାଆଁରା ଗ୍ରାମ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି।

ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଚିତ୍ରୋତ୍ପଳା ବାମ ପାର୍ଶ୍ବରେ ଥିବା ବଟେଶ୍ବରୀ ଘେରି, ଦକ୍ଷିଣି ଆଖୁଆ, ଲୁଣା ବାମ ପାର୍ଶ୍ବରେ ସାଧକନଗର ଘେରି ଓ ମହାନଦୀ ବାମ ପାର୍ଶ୍ବରେ ଥିବା ବାଙ୍ଗରିସିଂଘା ଘେରି ଦୁର୍ବଳ ରହିଛି। ସେହିପରି ମହାନଦୀ ନର୍ଥ ଡିଭିଜନର ପିପୁର ଘାଟରେ ନଦୀବନ୍ଧ କୁଳ ଖାଉଥିବାରୁ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ତେଣୁ ବନ୍ୟା ଆସିଲେ ବନ୍ଧ ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରାଚୀ ଡିଭିଜନ ଅଧୀନରେ ଥିବା କନ୍ଦଳ ନଦୀ ଦକ୍ଷିଣ ପାର୍ଶ୍ବ ବାବଜାରଠାରୁ ଶିଖରଘାଟ ପର୍ଯ୍ୟନ୍ତ ୨୬ କିଲୋମିଟର ନଦୀବନ୍ଧ ରହିଛି। କଣ୍ଟିଶାଳଠାରେ ନଦୀବନ୍ଧ ଅତଡା ଖାଉଛି। ପଠା ସଂପୂର୍ଣ୍ଣ ଧୋଇ ହୋଇଯାଇଥିବାବେଳେ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ‌ଅନ୍ୟପଟେ କନ୍ଦଳ ବାମପଟ ବଲବଲ୍‌ଠାରୁ କରଞ୍ଜ ୨୧ କିଲୋମିଟର ନଦୀବନ୍ଧ ମଧ୍ୟରେ କୁଣ୍ଡିମୁହଁଠାରେ ଥିବା ସ୍ଲୁଇସ୍‌ ଗେଟ୍‌ ପୁରୁଣା ହୋଇଯାଇଥିବାବେଳେ ବନ୍ୟାଜଳ ଲିକେଜ୍‌ ହେଉଥିବା‌ରୁ ସେଠାରେ ବାଲି ବସ୍ତା ଦିଆଯାଇଛି। ଆଜି ନିର୍ବାହୀ ଯନ୍ତ୍ରୀ ଇଂ ବିଘ୍ନରାଜ ପୁରୋହିତ ମଧ୍ୟ କଣ୍ଟିଶାଳ ନଦୀବନ୍ଧ ପରିଦର୍ଶନ କରିବା ସହିତ କର୍ମଚାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe