Gulf News
ବଲାଙ୍ଗୀର: ଟ୍ରେନ୍ ଯୋଗେ ମଣିଷ ଚାଲାଣ ହେଉଥିବା ସନ୍ଦେହ କରି ପୁଲିସ ୧୧ ଜଣଙ୍କୁ ଉଦ୍ଧାର କରିଛି। ଏନେଇ ଆର୍ପିଏଫ୍ ପୁଲିସ ପଚରାଉଚରା ଜାରିରଖିଛି। ସୂଚନା ଅନୁସାରେ, ବୁଧବାର ଏକ ଟ୍ରେନ୍ରେ ସନ୍ଦେହଜନକ ଅବସ୍ଥାରେ ମହାରାଷ୍ଟ୍ର ଅଞ୍ଚଳକୁ ଯାଉଥିବା ୮ଜଣ ଯୁବତୀ, ଦୁଇଜଣ ନାବାଳିକା, ଜଣେ ବାଳକକୁ ଆର୍ପିଏଫ୍ ପୁଲିସ ଅଟକାଇ ବଲାଙ୍ଗୀର ରେଲୱେ ଥାନାକୁ ଆଣିଥିଲା। ଅଟକ ୧୧ଜଣ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଉ ନାହାନ୍ତି। ସେମାନେ ମୁମ୍ବାଇର ଏକ ମାଛ ଗୋଦାମରେ କାମ କରିବାକୁ ଯାଉଥିବା କହୁଛନ୍ତି। କିନ୍ତୁ ସେମାନଙ୍କୁ କିଏ ଏବଂ କେଉଁ ଗୋଦାମକୁ କାମ କରିବାକୁ ନେଉଥିଲା କହିପାରୁ ନାହାନ୍ତି।
୧୧ଜଣ ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡ଼ିଛି। ଆର୍ପିଏଫ୍ ପୁଲିସ ପଚରାଉଚୁରା ଜାରି ରଖିବା ସହ ଜିଲ୍ଲା ଶ୍ରମ ବିଭାଗ ଓ ଚାଇଲ୍ଡଲାଇନକୁ ଖବର ଦେଇଛି। ବର୍ତ୍ତମାନ ଆର୍ପିଏଫ୍ ଥାନାରେ ସହକାରୀ ଶ୍ରମ ଅଧିକାରୀ ଏବଂ ଚାଇଲ୍ଡଲାଇନ ଟିମ୍ ତନାଘନା ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ମାନବ ଚାଲାଣ କରାଯାଉଥିବା ପୁଲିସ ସନ୍ଦେହ କରୁଛି। ସେମାନେ ଦାଦନ ଖଟିବା ପାଇଁ ଯାଉଥିଲେ ନା ସେମାନଙ୍କୁ ଅନ୍ୟ କୌଣସି କାମରେ ଲଗାଇବା ପାଇଁ ନିଆଯାଉଥିଲା ସେ ସମ୍ପର୍କରେ ତନାଘନା ଜାରି ରଖିଛି ପୁଲିସ। ତଦନ୍ତ ଚାଲୁଥିବାରୁ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି।
Follow Us