ନେତାଜୀ ଟର୍ମିନାଲ୍‌ରୁ ଆଜି ଗଡ଼ିବ ୧୧ଶହ ବସ୍‌: ମରାମତି ହେଲାନି ଖାନ୍‌ନଗର ଓ ମଲାଚଣ୍ଡିଆ ଛକ ରାସ୍ତା

Advertisment

କଟାଗଲାନି ଗଛ କି ଉଠିଲାନି ମାଟି

କଟାଗଲାନି ଗଛ କି ଉଠିଲାନି ମାଟି

ନେତାଜୀ ଟର୍ମିନାଲ୍‌ରୁ ଆଜି ଗଡ଼ିବ ୧୧ଶହ ବସ୍‌: ମରାମତି ହେଲାନି ଖାନ୍‌ନଗର ଓ ମଲାଚଣ୍ଡିଆ ଛକ ରାସ୍ତା

କଟକ: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା କଟକ ନେତାଜୀ ବସ୍‌ ଟର୍ମିନାଲ୍‌ରୁ ୧୮ ତ‌ାରିଖରୁ ସାଧାରଣ ବସ୍‌ ଚଳାଚଳ ଆରମ୍ଭ ହେବ। ବାଦାମବାଡ଼ିର ବିଭିନ୍ନ ଷ୍ଟାଣ୍ଡ୍‌ରୁ ଗଡ଼ୁଥିବା ୧୧ଶହରୁ ଅଧିକ ବସ୍‌ ଏଣିକି ଏହି ଗୋଟିଏ ଷ୍ଟାଣ୍ଡ୍‌ରୁ ହିଁ ଗଡ଼ିବ। ବସ୍‌ ଟର୍ମିନାଲ୍‌ରୁ ବାହାରିବାକୁ ଥିବା ଏହି ବସ୍‌ଗୁଡ଼ିକ ଖାନ୍‌ନଗର, ବିଜୁ ପଟ୍ଟନାୟକ ପାର୍କ-ସିଡିଏ ଓ ବାଦାମବାଡି-ଲିଙ୍କରୋଡ୍‌ (ପୁରୁଣା ରାସ୍ତା) ଦେଇ ୩ଟି ରାସ୍ତରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ବାହାରିବ। ମାତ୍ର ରାସ୍ତା ନିର୍ମାଣ/ମରାମତି ଓ ପ୍ରଶସ୍ତ ହୋଇ ନଥିବାରୁ ଖାନ୍‌ନଗର ରିଂ-ବନ୍ଧ ରାସ୍ତା ଓ ବାଦାମବାଡ଼ି-ଲିଙ୍କ୍‌ରୋଡ୍‌ ଦେଇ ଯିବାକୁ ଥିବା ବସ୍‌ଗୁଡ଼ିକ ବିଶେଷ ସମସ୍ୟାର ସମ୍ମୁଖୀନ ହେବେ। ଉକ୍ତ ୨ଟି ରାସ୍ତା ଦେଇ ୯ଶହରୁ ଅଧିକ ବସ୍‌ ଯିବାକୁ ଥିବା ବେଳେ ସେଗୁଡିକୁ ୧୭ ତାରିଖ ରାତି ସୁଦ୍ଧା ମରାମତି ହୋଇ ନାହିଁ। ୨ଟି ରାସ୍ତାର ବିଭିନ୍ନ ସ୍ଥାନରେ ବଡବଡ ଖାଲ ହୋଇଥିବା ବେଳେ ରାସ୍ତା ଉପରେ ମାଟି ଗଦା ହୋଇଛି। ଅନ୍ୟପଟେ ଖାନନଗର ରାସ୍ତା ପାଶ୍ବରେ ଥିବା ଗଛର ଡାଳଗୁଡ଼ିକୁ କଟାଯାଇ ନାହିଁ। ଏପରି ସ୍ଥିତିରେ ଦୁଇଟି ରାସ୍ତାରେ ଟ୍ରାଫିକ ସମସ୍ୟା ଗୁରୁତର ହେବା ସହ ସାଧାରଣ ଲୋକେ ଏନେଇ ବହୁ ଅସୁବିଧାରେ ପଡ଼ିବା ସୁନିଶ୍ଚିତ ହୋଇଛି।

ସେପ୍ଟେମ୍ବର ୧୬ରେ ନେତାଜୀ ବସ୍‌ ଟର୍ମିନାଲ୍‌ ଉଦ୍‌ଘାଟନ ହେବା ପରେ ପ୍ରଶାସନ ପକ୍ଷରୁ ଆଜି (୧୭ତାରିଖ) ଠାରୁ ଏଠାରୁ ବସ୍‌ ବାହାର କରିବାକୁ ବସ୍‌ ସଂଘଗୁଡ଼ିକୁ କୁହାଯାଇଥିଲା। ମାତ୍ର ବିଶ୍ବକର୍ମା ପୂଜା ପାଇଁ ଏହାକୁ ୧୮ ତାରିଖକୁ ବସ୍‌ ମାଲିକ ଘୁଞ୍ଚାଇଥିଲେ। ସୋମବାରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ନେତାଜୀ ବସ୍‌ ଟର୍ମିନାଲ୍‌ରୁ ୧୧ ଶହରୁ ଅଧିକ ସରକାରୀ ଓ ବେସରକାରୀ ବସ୍‌ ବାହାରିବ। ୩ଟି ରାସ୍ତା ଦେଇ ଟର୍ମିନାଲ୍‌ରୁ ୧୧ଶହ ବସ୍‌ ଯିବାକୁ ଥିବା ବେଳେ ଖାନ୍‌ନଗର ରିଂବନ୍ଧ ରାସ୍ତା ଦେଇ ଭୁବନେଶ୍ବର, ପୁରୀ, ନୟାଗଡ, ବ୍ରହ୍ମପୁରକୁ ୫ଶହରୁ ଅଧିକ ବସ୍‌ ଯିବ। ହେଲେ ଆଜି ସୁଦ୍ଧା ଉକ୍ତ ରାସ୍ତା ମରାମତି ହେଲା ନାହିଁ କି ରାସ୍ତା ପ୍ରଶସ୍ତ କରାଗଲା ନାହିଁ। ଖାନ୍‌ନଗର ରେଳ ପୋଲ ନିକଟ ଓ ରାସ୍ତାର ଅନ୍ୟ ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଉପରେ କୁଢ଼ କୁଢ଼ ମାଟି ଗଦା ହୋଇଛି। ଅନ୍ୟପଟେ ରାସ୍ତାର ‘ମିଡ୍‌ ବକ୍ସ ମଧ୍ୟରେ ଥିବା ଗଛଗୁଡ଼ିକର ଡାଳ କଟାଯାଇ ନଥିବାରୁ ତାହା ବସ୍‌ ଯିବା ସମୟରେ ଅନେକ ସମସ୍ୟା ସୃଷ୍ଟି କରିବ।

ସେହିପରି ବସ୍‌ ଟର୍ମିନାଲ୍‌ରୁ ବାଦାମବାଡ଼ି ଟ୍ରାଫିକ ଛକ-ଲିଙ୍କରୋଡ୍‌ ଦେଇ ବାଲେଶ୍ବର, ବାରିପଦା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା (ଭାୟା ଚଣ୍ଡିଖୋଲ) ହୋଇ ୪ଶହରୁ ଅଧିକ ବସ୍‌ ଯିବ। ମାତ୍ର ମଲାଚଣ୍ଡିଆ ଛକରୁ ବାଦାମବାଡ଼ି ଟ୍ରାଫିକ୍‌ ଛକ ମଧ୍ୟରେ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ହୋଇଥିବାରୁ ତାହା ବସ୍‌ ଚଳପ୍ରଚଳରେ ଅନେକ ସମସ୍ୟା କରିବ। ପ୍ରଶାସନ ପକ୍ଷରୁ ଅତି ତରବରିଆ ଭାବେ ବସ୍‌ ଟର୍ମିନାଲ୍‌କୁ ଉଦ୍‌ଘାଟନ କରିବା ଓ ସେଠାରୁ ବସ୍‌ ଚଲାଇବାକୁ ନେଇ ପୂର୍ବରୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଥିଲା। ଏବେ ରାସ୍ତା ମରାମତି ନକରି ବସ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇ ଥିବାରୁ ଏହାକୁ ନେଇ ସବୁ ମହଲରେ ଅସନ୍ତୋଷ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe