Photo: Suresh Naidu
କୋରାପୁଟ: କୋରାପୁଟ ଜିଲ୍ଲାରେ ଏବେ ୧୧୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ବୟସ ବର୍ଗର ପିଲା ରକ୍ତସିକୁଳି(ସିକିଲସେଲ) କବଳରେ ଥିବା ସୂଚନା ମିଳିଛି। ଯଦିଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରକ୍ତଭଣ୍ଡାରରେ ୮୫୦ ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ତାରରେ ୨୫୭ରୁ ଊର୍ଦ୍ଧ୍ବ ଏପରି ୧୧୦୦ପଂଜୀକୃତ କରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଦିନ ରକ୍ତସିକୁଳି ଓ ରକ୍ତହୀନତାରେ ୨୦ରୁ ୨୫ଜଣ ଏବଂ ମାସକୁ ୨୫୦ରୁ ୩୦୦ଜଣ ରକ୍ତ ନେଉଥିବା ଉଭୟ ରକ୍ତଭଣ୍ଡାର ସୂତ୍ରରୁ ଜଣା ପଡ଼ିଛି। ଦିନକୁ ଦିନ ରକ୍ତ ସିକୁଳି ଓ ରକ୍ତହୀନତା ଆକ୍ରାନ୍ତଙ୍କ ସ˚ଖ୍ୟା ବୃଦ୍ଧି ପାଉଥିବା ବେଳେ ଏମାନଙ୍କୁ କିଭଳି ସଚେତନ କରାଯିବ ସେ ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନେଉଥିବା ସୂଚନା ମିଳିଛି।
ଗୋଟିଏ ପଟେ ରକ୍ତସିକୁଳି(ସିକିଲସେଲ)ରେ ଆକ୍ରାନ୍ତମାନଙ୍କୁ ଯଦିଓ ମାଗଣାରେ ରକ୍ତ ଦେବା ପାଇଁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲେ ହେଁ ବହୁ ସମୟରେ ବିରଳ ଗୃପ ଏଭି ପଜିଟିଭି, ଏ ପଜିଟିଭ୍, ଏଭି ନେଗେଟିଭ, ଏ ନେଗେଟିଭ, ବି ନେଗେଟିଭ୍ ରକ୍ତ ମିଳି ପାରୁନି। ସେହିପରି ବହୁତ କମ୍ ପରିମାଣର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ହେଉଥିବାରୁ ୨ଟି ଯାକ ରକ୍ତଭଣ୍ଡାରରେ ଆବଶ୍ୟକତା ଅନୁଯାୟୀ ରକ୍ତ ୟୁନିଟ୍ ଜମା ହୋଇ ରହୁନି। ବହୁ ସମୟରେ ଅନ୍ୟ ବର୍ଗର ରକ୍ତ ବି ଏମାନେ ପାଇବାରେ ସମସ୍ୟା ହେଉଛି। ଏପରିକି ବହୁ ସମୟରେ ସିକିଲସେଲ୍ ଆକ୍ରାନ୍ତଙ୍କ ସ˚ପର୍କୀୟମାନେ କିଭଳି ମାଗଣାରେ ରକ୍ତ ପାଇବେ ସେ ସ˚ପର୍କରେ ସଚେତନ ନଥିବାରୁ କିଛି ନ୍ୟାସ୍ତସ୍ବାର୍ଥୀ ଲୋକଙ୍କ କବଜାରେ ବି ପଡି ଯାଉଛନ୍ତି। ଏବ˚ କିଛି କ୍ଷେତ୍ରରେ ରକ୍ତଭଣ୍ତାର ପକ୍ଷରୁ ମଧ୍ୟ ସିକିଲସେଲ୍ ଆକ୍ରାନ୍ତଙ୍କୁ ରକ୍ତ ଦେବାରେ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି।
ଯଦିଓ ବହୁ ସମୟରେ ବଦାନ୍ୟ ବ୍ୟକ୍ତି ମାନେ ଏହି ଜରୁରୀ ସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜୀବନ ବଂଚାଉଛନ୍ତି। ତେବେ ରକ୍ତଭଣ୍ଡାର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ୟୁନିଟ୍ ରକ୍ତ ଜମା ହୋଇ ରହୁନି। ବୈପାରୀଗୁଡା ବ୍ଲକର ଭାଲୁଗୁଡା ଗାଁର ୬ବର୍ଷ ୭ମାସର ବବିତା ଖରା ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଆସି ଭର୍ତ୍ତି ହୋଇଥିଲେ। ପରିବାରବର୍ଗକୁ ରକ୍ତ ମିଳି ପାରିନଥିଲା। ସ୍ବେଚ୍ଛାସେବୀ ରାଜୀବଙ୍କ ଜରିଆରେ ମିଲ ସାହିର ମିଲନ ଖୋସ୍ଲା ରକ୍ତଦାନ କରି ବବିତାର ଜୀବନକୁ ବଂଚାଇଛନ୍ତି। ଠିକଣା ସମୟରେ ବବିତା ରକ୍ତ ପାଇବାରୁ ବଂଚିଯାଇଛନ୍ତି। ତେବେ ବହୁ ସମୟରେ ଜୟପୁର ରକ୍ତଭଣ୍ଡାର କିମ୍ବା କୋରାପୁଟ ରକ୍ତଭଣ୍ଡାରରେ ରକ୍ତ ନଥିବା ସମୟରେ ବହୁ ସଂପର୍କୀୟ ଓ ଅଭିଭାବକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ କୋରାପୁଟ ମେଡିକାଲ କଲେଜରେ ନୂଆରେ ସିକିଲ୍ ସେଲ୍ ଗବେଷଣା ୟୁନିଟ୍ ଖୋଲାଯାଇ ଏମାନଙ୍କର ଚିକିତ୍ସା କରାଯାଉଛି। ତେବେ ଏ ସଂପର୍କରେ ଅଭିଭାବକମାନେ ସଚେତନ ନାହାନ୍ତି।
ଅନ୍ୟପକ୍ଷରେ ଜିଲ୍ଲାରେ ଶହ ଶହ ଛାତ୍ରଛାତ୍ରୀ ବିଭିନ୍ନ ବୟସର ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ଥିବା ବେଳେ ଯେଉଁ ମାତ୍ରାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲାପ୍ରଶାସନ ପକ୍ଷରୁ ଆୟୋଜନ କରାଯିବା କଥା ହୋଇପାରୁନି। ଅନ୍ୟପକ୍ଷରେ ସିକିଲସେଲ୍ ସହ ରକ୍ତହୀନତାରେ ମଧ୍ୟ ଶତାଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ ରକ୍ତହୀନତା ହେଉ ସିକିଲସେଲ୍ ସ˚ପର୍କରେ ସଚେତନତା ଯେଭଳି ସୃଷ୍ଟି କରାଯିବା କଥା କରାଯାଉନି। ଏହା ମୁଖ୍ୟତଃ ବଂଶଗତ କିମ୍ବା ଜେନେଟିକ୍ ବୋଲି କହିଛନ୍ତି ଭେଷଜ ବିଶେଷଞ ତଥା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଡିଏମଓ ଡ.ଆରଏନ୍ ମିଶ୍ର। ଗ୍ରାମାଂଚଳରେ ସଚେତନତା ଅଭାବରୁ ଏପରି ଆକ୍ରାନ୍ତ ପିଲାଙ୍କୁ ଗୁରୁତର ଅବସ୍ଥାରେ ଆଣୁଥିବାରୁ ଏମାନଙ୍କୁ ସଂପୁର୍ଣ୍ଣ ସୁସ୍ଥ କରିବା ମୁସ୍କିଲ ହେଉଛି ବୋଲି କହିଛନ୍ତି ଡ.ମିଶ୍ର।
ଅଭିଭାବକମାନେ ଏଥିରେ ଆକ୍ରାନ୍ତ ପିଲାଙ୍କ ପ୍ରତି ସଜାଗ ରହିବା ସହ ସାମାନ୍ୟ ଅସୁସ୍ଥ ହେଲେ ତୁରନ୍ତ ହିମୋଗ୍ଲୋବିନ୍ ପରୀକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଡ.ମିଶ୍ର। ସିକିଲସେଲ୍ ଓ ଥାଲେସେମିଆରେ ଆକ୍ରାନ୍ତ ପିଲାଙ୍କୁ ବଂଚାଇବା ପାଇଁ ବ୍ୟାପକ ଭାବେ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଯୁବବର୍ଗ ଆଗେଇ ଆସିବାକୁ ଜିଲ୍ଲା ରକ୍ତଦାତା ପ୍ରବର୍ତ୍ତକ ଫୋରମର ସଭାପତି ଜି.ସଂଜୀବ କୁମାର ଅନୁରୋଧ କରିଛନ୍ତି।
Follow Us