ଭିସୁଟ୍‌ର ଏକାଦଶ ସମାବର୍ତ୍ତନ ଉତ୍ସବ : ଶିକ୍ଷା ଚରିତ୍ର ଗଠନ ଓ ଅର୍ଥନୈତିକ ଅଭିବୃଦ୍ଧିର ଚାବିକାଠି

Advertisment
ଭିସୁଟ୍‌ର ଏକାଦଶ ସମାବର୍ତ୍ତନ ଉତ୍ସବ : ଶିକ୍ଷା ଚରିତ୍ର ଗଠନ ଓ ଅର୍ଥନୈତିକ ଅଭିବୃଦ୍ଧିର ଚାବିକାଠି

ସମ୍ବଲପୁର : ସ୍ବାମୀ ବିବେକାନନ୍ଦ କହିଥିଲେ, ‘ଜାଗ, ଉଠ ଓ ଲକ୍ଷ୍ୟସ୍ଥଳରେ ନ ପହଞ୍ଚିବା ଯାଏ ଅଟକିଯାଅନି। କେହି ତୁମକୁ ଶିକ୍ଷା ଦେଇପାରିବେନି, କେହି ତୁମକୁ ଆଧ୍ୟାତ୍ମିକ ବାଟରେ ନେଇ ପାରି‌ବେନି। କେବଳ ତୁମ ଆତ୍ମା ହିଁ ତୁମର ଶିକ୍ଷକ ହେବ। ସେତେବେଳ ଯାଏ ତୁମେ ଭଗବାନଙ୍କୁ ବିଶ୍ବାସ କରିପାରିବନି, ଯେତେବେଳ ଯାଏ ତୁମେ ନିଜକୁ ବିଶ୍ବାସ କରି ନପାରିଛ।’ ଶନିବାର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ଏକ‌ାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଣ୍ଡିଆନ୍‌ ଆସୋସିଏସନ ଫର ଦ କଲଟିଭେସନ ଅଫ ସାଇନ୍ସ, କୋଲକାତାର ନିର୍ଦେଶକ ପ୍ରଫେସର ଶାନ୍ତନୁ ଭଟ୍ଟାଚାର୍ଯ୍ୟ ଏଭଳି ମତବ୍ୟକ୍ତ କରିଥିଲେ। ଚରିତ୍ର ଗଠନ ଓ ସମାଜରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିକ୍ଷା ହେଉଛି ଚାବିକାଠି ବୋଲି ପ୍ରଫେସର ଭଟ୍ଟାଚାର୍ଯ୍ୟ କହିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଉତ୍ସବର ଅଧ୍ୟକ୍ଷତା କରି ଭୌତିକତା ବିନା ଆଧ୍ୟାତ୍ମିକତା ଅସମ୍ପୂର୍ଣ୍ଣ ବୋଲି କହିଥିଲେ। ପ୍ରତି ଛାତ୍ର ଜୀବନରେ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଂଶୀଦାର ହେବା ସୌଭାଗ୍ୟର କଥା ବୋଲି ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ କହିଥିଲେ। ଆତ୍ମା ଓ ଈଶ୍ବର ଯେଭଳି ସଂଶ୍ଳିଷ୍ଟ ଠିକ୍‌ ସେହିଭଳି ବିଶ୍ବ ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ସମ୍ପର୍କ ରହିଛି। ଈଶ୍ବରଙ୍କ ସହ ପ୍ରେମ ହିଁ ପ୍ରକୃତ ଯୌବନ ବୋଲି ଶ୍ରୀ ଲାଲ୍‌ ଛାତ୍ରଛାତ୍ରୀଙ୍କୁ କହିଥିଲେ। ‌ତେଣୁ କେବଳ ଶିକ୍ଷା ହାସଲ କରିବା ବଡ଼ କଥା ନୁହେଁ, ତାର ସଦୁ‌ପଯୋଗ ପାଇଁ ଆମ ଭିତରେ ସେହି ଐଶ୍ବରୀୟ ଚେତନା ଓ ଉତ୍ସର୍ଗୀକୃତ ଭାବନା ରହିବା ଦରକାର। ସମସ୍ତଙ୍କୁ ଆପଣାର କରି ପାରିଲେ ହିଁ ଆମର ଶିକ୍ଷା ସାକାର ହେଲା ବୋଲି କୁହାଯିବ ବୋଲି ରାଜ୍ୟପାଳ କହିଥିଲେ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଟଳ ଚୌଧୁରୀ ପ୍ରାରମ୍ଭରେ ବିଭିନ୍ନ କ୍ଷେତ୍ରରେ ଭିସୁଟ୍‌ର ସଫଳତା ସଂପର୍କରେ ସୂଚନା ପ୍ରଦାନ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ। ମହାକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଅଧ୍ୟକ୍ଷ ଡ.କେ ଶିବନଙ୍କୁ ସମ୍ମାନସୂଚନ ଡିଏସ୍‌ସି ପ୍ରଦାନ କରାଯାଇଥିଲା। ତେବେ ଡ.ଶିବନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରିନଥିଲେ। ସମାବର୍ତ୍ତନ ଉତ୍ସବ ଅବସରରେ ୨୬ ଜଣଙ୍କୁ ସ୍ବର୍ଣ୍ଣ ପଦକ, ୮ ଜଣଙ୍କୁ ସ୍ମାରକୀ ସ୍ବର୍ଣ୍ଣ ପଦକ, ୯୦୮ ଜଣଙ୍କୁ ବି ଟେକ୍‌ , ୩୮ ଜଣଙ୍କୁ ବି ଆର୍କିଟେକ୍‌ , ୨୧୩ ଜଣଙ୍କୁ ଏମ୍‌ ଟେକ୍‌, ୩୩ ଜଣଙ୍କୁ ଏମ୍‌ସିଏ, ୪୬ ଜଣଙ୍କୁ ଏମ୍‌ଏସି, ୧୬ ଜଣଙ୍କୁ ଇଣ୍ଟର ମିଡିଏଟ ଏମ୍‌ଏସ୍‌ସି, ୧୬ ଜଣଙ୍କୁ ଏମ୍‌ ଫିଲ ଓ ୨୬ ଜଣଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe