ସଙ୍କଟ ବେଳେ ଅର୍ଥ ମୋହ : ୨୪ ଦିନରେ ଧରାପଡ଼ିଛନ୍ତି ୧୨ ଅଧିକାରୀ, ଜନ ପ୍ରତିନିଧି

Advertisment
ସଙ୍କଟ ବେଳେ ଅର୍ଥ ମୋହ : ୨୪ ଦିନରେ ଧରାପଡ଼ିଛନ୍ତି ୧୨ ଅଧିକାରୀ, ଜନ ପ୍ରତିନିଧି

Maharashtra Today

ଭୁବନେଶ୍ବର : କୋଭିଡ୍‌ ବିରୋଧରେ ସାରା ବିଶ୍ବ ଲଢ଼ୁଛି। ଅନେକ ତାଙ୍କର ଜୀବିକା ହରାଇଛନ୍ତି। ଅନେକ ତାଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। କରୋନା କାୟା ବିସ୍ତାର କରିଚାଲିଥିବାରୁ ଏଭଳି ସ୍ଥିତି ଆଉ କେତେଦିନ ରହିବ କେହି ଜାଣି ନାହାନ୍ତି। ଏଭଳି ଏକ ସଙ୍କଟକୁ ଟାଳିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ନିଜ କର୍ତ୍ତବ୍ୟ ଠାରୁ ଅନେକ ପାଦ ଆଗକୁ ଯାଇ ପୁଲିସ କୋଭିଡ୍‌ ଯୋଦ୍ଧା ଭାବରେ ସ୍ବୀକୃତି ଲାଭ କରିଛି। ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ ମାନ୍ୟତା ମିଳିଛି। ଯିଏ ଯାହା ସ୍ତରରେ ମୁକାବିଲାରେ ସାମିଲ ହୋଇଛନ୍ତି। ଏଭଳି ସଙ୍କଟ ବେଳେ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି ନିଜର ଅର୍ଥ ମୋହ ଛାଡ଼ି ନାହାନ୍ତି। ଜୁନ୍‌ ମାସର ୨୪ ଦିନ ଭିତରେ ୧୨ ଜଣ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି। ଏଭଳି ୨୪ଦିନରେ ‌ଜଣେ ୧୨ଜଣ ବନ୍ଧା ହେବା ଗତ ଦୁଇବର୍ଷର ପରିସଂଖ୍ୟାନ ତୁଳନାରେ ରେକର୍ଡ ବୋଲି କୁହାଯାଉଛି। ଗିରଫ ଲାଞ୍ଚୁଆଙ୍କ ମଧ୍ୟରେ ଓଏଏସ୍‌ ଅଫିସରଙ୍କ ସହ ମହିଳା ସରପଞ୍ଚ ଅଛନ୍ତି।

publive-image The Economic Times

ଜୁନ୍‌ ୪ ତାରିଖରେ ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ସହିତ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ ମଧ୍ୟ ଗିରଫ ହୋଇଥିଲେ। ଏକ ଜମିର କିସମ ବଦଳାଇବା ପାଇଁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଜୁନ୍‌ ୫ ତାରିଖରେ ମାଲକାନଗିରିର ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ) ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ଧରିଥିଲା ଭିଜିଲାନ୍ସ। କନ୍ଦିକିଗୁଡ଼ା ଗାଁର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ରୋଷେଇ ଓ ୟୁନିଫର୍ମ କିଣାର ବିଲ୍ ପାସ୍ କରିବା ଲାଗି କର୍ମୀ ଗାୟତ୍ରୀ ନାୟକ ଏବଂ ଅନ୍ୟ ତିନି ଅଙ୍ଗନଓ୍ୱାଡ଼ିକର୍ମୀଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବନ୍ଧା ହୋଇଥିଲେ।

ଜୁନ୍‌ ୧୦ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବଲାଙ୍ଗିର କେନ୍ଦୁଲିଫ୍‌ ଡିଏଫ୍‌ଓ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀ। କେନ୍ଦୁପତ୍ର ବନ୍ଧେଇ କାମ ପାଇଁ ୧୦ ଲକ୍ଷ ୩୭ ହଜାର ଟଙ୍କାର ବିଲ୍‌ ପାସ୍‌ କରିବାକୁ ପିସି ନେଉଥିଲେ ୧ଲକ୍ଷ ୬୬ ହଜାର ଟଙ୍କା।

ଜୁନ୍‌ ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଫାଣ୍ଡି ଏଏସ୍‌ଆଇ ଆଶିଷ ପଣ୍ଡାଙ୍କୁ ଧରିଥିଲା ଭିଜିଲାନ୍ସ। ଜମିଜମା ମାମଲା ରଫାଦଫା କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ।

publive-image

ଜୁନ୍‌ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଅଭୟ କୁମାର ତ୍ରିପାଠୀ ଧରା ପଡ଼ିଥିଲେ। ବାରିପଦାରୁ ଫେରୁଥିବା ବେଳେ ବେତନଟି ପାଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କଲାବେଳେ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଥିଲେ, ଯାହାର ହିସାବ ଦେଇ ପାରିନଥିଲେ ଅଭିଯୁକ୍ତ ସିଡିଭିଓ।

ଜୁନ୍‌ ୨୦ ତାରିଖରେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଥାନା ମହୁଲ ପାଟଣା ଫାଣ୍ଡିର ଏଏସ୍‌ଆଇ ମଳୟ ରଣା ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ମହେଶ୍ୱର ସାଗରଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ମୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ବାନ୍ଧିଥିଲା ଭିଜିଲାନ୍ସ।

ଜୁନ୍‌ ୨୨ ତାରିଖରେ ପାଟଣାଗଡ଼ ଏନଏସି ଜେଇ ଦେବୀ ପ୍ରସାଦ ମିଶ୍ରଙ୍କୁ ଧରିଥିଲା ଭିଜିଲାନ୍ସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାମପୁରର ଟଙ୍କଧର କୁମ୍ଭାରଙ୍କର ଫାଇନାଲ୍‌ ବିଲ୍‌ କରାଇ ଦେବାକୁ ଲାଞ୍ଚ ନେଉଥିଲେ।

ଜୁନ୍‌ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାର ସବ୍‌ଇନ୍ସପେକ୍ଟର ସିଦ୍ଧାର୍ଥ ଗୌଡ଼ ଥାନା ଭିତରେ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ। ଏକ ଗଣ୍ଡଗୋଳ ମାମଲାକୁ ରଫାଦଫା କରିବା ପାଇଁ ପି.ରାଜା ସେନାପତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଦୁଇମାସ ହେବ କାର୍ଯ୍ୟରେ ଯୋଗ ଦେଇଥିବା ଏଇ ଅଧିକାରୀଙ୍କୁ ଭିଜିଲାନ୍ସ ଧରିଥିଲା।

ଜୁନ ୨୬ ତାରିଖରେ ମାଲକାନଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡ଼ିଥିଲେ। ମେଡିକାଲ ଛକର ଏକ ଜମି ଉପରେ ଲାଗିଥିବା ୧୪୪ ଧାରା ହଟାଇବା ପାଇଁ ଜୀବନ ମଣ୍ଡଳଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ।

ଜୁନ୍‌ ୨୭ ତାରିଖରେ ଧରା ପଡ଼ିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ଜିଲ୍ଲାପାଳ, ଅର୍ଥାତ୍‌ ଜଣେ ମହିଳା ସରପଞ୍ଚ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗର ସରପଞ୍ଚ ରଇଲା ମାଝି ଏକ ପୋଖରୀ ଖୋଳାଇବା ପାଇଁ ଅଭିଯୋଗକାରୀ ଗଙ୍ଗାଧର ସାଉଁଟାଙ୍କ ଠାରୁ ୨୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe