ଜାଲ୍ ଜମି କାଗଜପତ୍ର ଦେଇ ୧୨ ଲକ୍ଷ ହଡ଼ପ୍

Advertisment
ଜାଲ୍ ଜମି କାଗଜପତ୍ର ଦେଇ ୧୨ ଲକ୍ଷ ହଡ଼ପ୍

IndiaFilings

ସମ୍ବଲପୁର: ପ୍ରଥମେ ଜମି ବିକ୍ରି କଲେ। ପରେ ଯେତେବେଳେ ତାହା ରେଳ ପ୍ରକଳ୍ପ ଅଧୀରେ ଆସୁଛି ବୋଲି ଜାଣିଲେ, ଜାଲ୍‌ କାଗଜପତ୍ର ଦେଖାଇ ୧୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିନେଲେ। ସବୁଠାରୁ ବଡ଼ କଥା ହେଲା ଏହାର ଟେର୍‌ ନାଁ ଜମି ଅଧିଗ୍ରହଣ ଅଧିକାରୀ ପାଇଥିଲେ ନା ପ୍ରକୃତ ଜମିର ମାଲିକ ଜାଣିଥିଲେ। ଟଙ୍କା ହଡ଼ପ କରାଯିବା ଅନେକ ବର୍ଷ ପରେ ଘଟଣାଟି ପଦାକୁ ଆସିଥିଲା। ଶେଷରେ ଠକେଇ କରିଥିବା ବ୍ୟକ୍ତି ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଠକେଇ ହୋଇଥିବା ଜମିଟି ସୁବର୍ଣ୍ଣପୁର ସହଲା ଗାଁର ଚୌବର୍ଗ ପଧାନଙ୍କ ନାଁରେ ଥିଲା। ତାଙ୍କ ମୃତ୍ୟୁ ପରେ ଚୌବର୍ଗଙ୍କ ପୁଅ ପଟୁଆରୀ ପଧାନ ୨୦୦୨ ମସିହା ଡିସେମ୍ବର ୩୧ ତାରିଖ ଦିନ ଫଗୁ ମେହେରଙ୍କୁ ବିକ୍ରି କରିଦେଇଥିଲେ। ଫଗୁ ଉକ୍ତ ଜମିକୁ ୨ ଭାଗ କରି ୨୦୦୬ ମସିହାରେ ପ୍ରଭାସିନୀ ସାହୁ ଓ ଯୋଗେଶ୍ବର ସେଠ ଏବଂ ୨୦୦୯ରେ ଉପେନ୍ଦ୍ର ମେହେରଙ୍କୁ ବିକ୍ରି କରିଦେଇଥିଲେ। ତେବେ ତାଳଚେର୍‌-ଟିଟିଲାଗଡ଼ ରେଳ ଦୋହରୀକରଣ ପାଇଁ ଉକ୍ତ ଜମି ଅଧିଗ୍ରହଣ କରାଯାଇଥିଲା।

ଏହା ଜାଣିବା ପରେ ପଟୁଆରୀ ପଧାନ ଉକ୍ତ ଜମିର ଜାଲ୍‌ କାଗଜପତ୍ର ତିଆରି କରି ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ଦେଇ ନିଜକୁ ଜମି ମାଲିକ ଦର୍ଶାଇଥିଲା। ଏହା ସହିତ ଜମି ଅଧିଗ୍ରହଣ ବାବଦକୁ ୧୨,୦୪,୨୨୪ ଟଙ୍କା ହଡ଼ପ କରି ନେଇଥିଲେ। ଏହା ଜାଣିବା ପରେ ଜମିର ପ୍ରକୃତ ମାଲିକମାନେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ଏକାଧିକ ଥର ପଟୁଆରୀକୁ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ କି ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ। ତେଣୁ ପଟୁଆରି ବିରୋଧରେ ମାମଲା ରୁଜୁ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏହାପରେ ରେଳ ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ସମ୍ବଲପୁର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe