ମାଲକାନଗିରି : ମାସକ ମଧ୍ୟରେ ୩ଜଣଙ୍କୁ ନକ୍ସଲ ହତ୍ୟା କରିବା ପରେ ମାଲକାନଗିରି ପୁଲିସକୁ ମିଳିଛି ସଫଳତା। ହତ୍ୟାକାଣ୍ଡରେ ସଂପୃକ୍ତ ୧୨ଜଣ ମାଓବାଦୀଙ୍କୁ ପୁଲିସ ଗିରଫ କରିଛି। ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ପ୍ରକାଶ କରିଛନ୍ତି ଯେ ଚଳିତ ମାସ ୧୮ତାରିଖ ଠାରୁ ନକ୍ସଲ ଲଗାତାର ତିନି ଦିନ ଧରି ମାଲକାନଗିରି ଜିଲ୍ଲାରେ ହିଂସା ଘଟାଇଥିଲେ। ପୁଲିସ ଇନଫର୍ମର ଦର୍ଶାଇ ୩ଜଣଙ୍କୁ ହତ୍ୟା କରିଥିଲେ। ପ୍ରଥମେ ମାଥିଲି ବ୍ଲକ ଟେମରୁପାଲୀ ପଞ୍ଚାୟତ ଅନ୍ତର୍ଗତ ଯନ୍ଦ୍ରାଗୁଡା ଗ୍ରାମର ମୁୟା କାବାସୀଙ୍କୁ ହତ୍ୟା କରିଥିଲେ। ଏଥିରେ ସଂପୃକ୍ତ ଥିବା ୭ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି।
ସେହିପରି ୧୯ ତାରିଖ ଦିନ କୋରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ପିପଲପଦର ଗ୍ରାମର ସାଧୁ ଖେମୁଡୁକୁ ନକ୍ସଲ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣେ ନକ୍ସଲକୁ ମଧ୍ୟ ପୁଲିସ ଗିରଫ କରିଛି। ଏଥିସହ କାଲିମେଳା ବ୍ଲକ ଅନ୍ତର୍ଗତ କୁରୁବ ଗ୍ରାମର ଡମ୍ବରୁ ନାୟକଙ୍କୁ ଗତ ୨୦ ତାରିଖରେ ନକ୍ସଲ ହତ୍ୟା କରିଥିଲେ। ଏହି ମାମଲାରେ ପୁଲିସ ୪ ଜଣ ନକ୍ସଲକୁ ଗିରଫ କରିଛି। ବାରମ୍ବାର ହିଂସା ଘଟାଇ ଜଙ୍ଗଲକୁ ନକ୍ସଲ ଚାଲି ଯାଉଥିଲେ। ତେଣୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଯାହାଫଳରେ ଉପରୋକ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୧୨ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ନକ୍ସଲଙ୍କୁ ଗଣମାଧ୍ୟମ ଆଗରେ ହାଜର କରାଯାଇଥିଲା। ତେବେ ଆଗକୁ ଟିଆଇ ପ୍ୟାରେଡ ହେବାକୁ ଥିବାରୁ ସେମାନଙ୍କ ନାମକୁ ଗୋପନ ରଖିବା ସହ ମୁହଁକୁ ମଧ୍ୟ ଘୋଡାଇ ରଖାଯାଇଥିଲା। ଗିରଫ ପରେ ସେମାନେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସ୍ୱୀକାର କରିଛନ୍ତି ବୋଲି ଏସପି କହିଥିଲେ।
Follow Us