୧୨ ଗ୍ରାମବାସୀ ଭୋଟ୍‌ ଦେଲେନି: ପାଣ୍ଡୁପଦର ବୁଥ୍‌ରେ ଭୋଟ୍‌ ଦେଲେ ଜଣେମାତ୍ର ବୃଦ୍ଧା

Advertisment
୧୨ ଗ୍ରାମବାସୀ ଭୋଟ୍‌ ଦେଲେନି: ପାଣ୍ଡୁପଦର ବୁଥ୍‌ରେ ଭୋଟ୍‌ ଦେଲେ ଜଣେମାତ୍ର ବୃଦ୍ଧା

ଫୁଲବାଣୀ: ବିଭିନ୍ନ ସମସ୍ୟାର ସମାଧାନ ହୋଇ ନଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ପାଣ୍ଡୁପଦର ଏବଂ ଖଜୁରୀପଡ଼ା ବ୍ଲକ୍‌ର ଜକ୍ରେଜୁ ବୁଥ୍‌ରେ ମୋଟ ୧୨ଟି ଗ୍ରାମର ବାସିନ୍ଦା ଭୋଟ୍‌ ବର୍ଜନ କରିଛନ୍ତି। ଗାଁକୁ ରାସ୍ତା ନିର୍ମାଣ, ସ୍କୁଲରେ ଶିକ୍ଷକ ପଦବି ପୂରଣ, ଗାଁକୁ ମୋବାଇଲ୍‌ ନେଟ୍‌ୱର୍କ, ପାନୀୟ ଜଳ ସମସ୍ୟାର ନିରାକରଣ, ଅଘୋଷିତ ବିଜୁଳି କାଟ ବନ୍ଦ କରିବା ଆଦି ଦାବିରେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ୧୧ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବିଧାୟକ ଓ ସାଂସଦଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ‌ବୋଲି ପାଣ୍ଡୁପଦର ଗ୍ରାମ ମୁଖିଆ ଟିକେଶ୍ବର ମଲିକ ‌କ୍ଷୋଭର ସହ କହିଛନ୍ତି। ଏଣୁ ଏହାର ପ୍ରତିବାଦରେ ଆଜି ପାଣ୍ଡୁପଦର (୮୮ ନମ୍ବର ବୁଥ୍‌) ଅନ୍ତର୍ଗତ ପାଣ୍ଡୁପଦର, ଟାଲୁପଦର, ଡେଙ୍ଗାମାହା, କାମ୍ବାପଡ଼ା, ଜଗାରିପଦର, ବାହାଲପଦର, ଗୁଞ୍ଜିଖେଡ଼ା, ତୁରୁସୁଗା, ବାଡ଼ିନାଜୁ, ପେଡ଼ଡ଼ମାହା ଓ ବୁଡ଼ିଗୁଡ଼ା ଆଦି ୧୧ଟି ଗ୍ରାମର ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିଲେ। ‘ରାସ୍ତା ନାହିଁ ତ ଭୋଟ୍‌ ନାହିଁ’ ନାରା ଦେଇ ଏହିସବୁ ଗ୍ରାମର ଲୋକେ ଆଜି ଦିନ ତମାମ୍‌ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପାଣ୍ଡୁପଦର (୮୮ ନମ୍ବର ବୁଥ୍‌)ର ପ୍ରିଜାଇଡିଂ ଅଧିକାରୀ ଜଗବନ୍ଧୁ ଦଣ୍ଡସେନାଙ୍କ କହିବା ଅନୁସ‌ାରେ, ଏହି ବୁଥ୍‌ରେ ମୋଟ ୬୬୭ ଭୋଟର ଥିବାବେଳେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମାତ୍ର ଜଣେ ମହିଳା ଭୋଟର ଭୋଟ୍‌ ଦେଇଥିଲେ। ବୁଥ୍‌ରେ ଗହଳିଚହଳି ଦେଖିବାକୁ ମିଳି ନଥିଲା। ଏଠାରେ ଜଣେ ମାତ୍ର ବୃଦ୍ଧା ଆସି ଭୋଟ୍‌ ଦେଇଥିଲେ। ସେହିଭଳି ଶିକ୍ଷାନୁଷ୍ଠାନର ବିକାଶ, ରାସ୍ତାଘାଟର ବିକାଶ ଏବଂ ପାନୀୟଜଳ ସମସ୍ୟାର ସମାଧାନ ଦାବିରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ଜକ୍ରେଜୁ ଗ୍ରାମବାସୀ ମଧ୍ୟ ଭୋଟ ବର୍ଜନ କରିଛନ୍ତି। ଉପରୋକ୍ତ ତିନିଦଫା ଦାବିନେଇ ପୂର୍ବରୁ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ପ୍ରତିବାଦରେ ଆଜି ଗ୍ରାମବାସୀ ଭୋଟ୍‌ ବର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe