୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ଆରମ୍ଭ: ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଫୁଟବଲ୍ ତାଲିମ କେନ୍ଦ୍ର, ସ୍ପୋର୍ଟସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ

୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ଆରମ୍ଭ: ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବୁର୍ଲା ଇନ୍‌ଡୋର ଷ୍ଟାଡିୟମ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଛି। ଆଭାସୀ ବୈଠକରେ ଯୋଡ଼ି ହୋଇ ସମ୍ବଲପୁରରେ ୧୨୦ କୋଟିରୁ ଅଧିକ ଟଙ୍କାର କ୍ରୀଡ଼ା ପ୍ରକଳ୍ପର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଷ୍ଟାଡିୟମ ଉଦ୍‌ଘାଟନ କରିବା ସହିତ ମନ୍ଦଲିଆ ଠାରେ ଫୁଟବଲ୍ ତାଲିମ କେନ୍ଦ୍ର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ପୋର୍ଟସ କମ୍ପ୍ଲେକ୍ସର ମଧ୍ୟ ଶିଳାନ୍ୟାସ କରାଯାଇଛି। ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ହକି ଷ୍ଟାଡିୟମ୍‌ ରହିଛି। ୫-ଟି ଅଧୀନରେ ଆରମ୍ଭ କରାଯାଇଥିବା ଏହି କ୍ରୀଡ଼ା ପ୍ରକଳ୍ପ ଦ୍ବାରା ସମ୍ବଲପୁରର ଯୁବକମାନେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବଲପୁରରେ କ୍ରୀଡ଼ା ସଂସ୍କୃତିର ପ୍ରଶଂସା କରିବା ସହ ଏହି ସୁବିଧା ଜିଲ୍ଲାର କ୍ରୀଡ଼ା ବିକାଶକୁ ଆହୁରି ଦୃଢ଼ କରିବ ବୋଲି ଆଶା ପ୍ରକଟ କରିଛନ୍ତି। ସମ୍ବଲପୁରରେ ଫୁଟ୍‌ବଲ ବହୁତ ଲୋକପ୍ରିୟ ଏବଂ ତେଣୁ ସ୍ଥାନୀୟ ଅଞ୍ଚଳର ଫୁଟ୍‌ବଲ ପ୍ରତିଭାଙ୍କ ପାଇଁ ଉନ୍ନତ ମାନର ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ସୁବିଧା ଯୋଗାଇବାକୁ ସମ୍ବଲପୁର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟପଟେ ଶନିବାର ଉଦ୍‌ଘାଟିତ ଇନ୍‌ଡୋର ଷ୍ଟାଡିୟମ୍‌ରେ ୪ଟି ବ୍ୟାଡ୍‌ମିଣ୍ଟନ କୋର୍ଟ ରହିଥିବା ବେଳେ ୪୦୦ରୁ ଅଧିକ ଦର୍ଶକଙ୍କ ପାଇଁ ବସିବାର କ୍ଷମତା ରହିଛି। ଏଥିରେ କ୍ରୀଡ଼ାବିତ୍‌ଙ୍କ ପାଇଁ ଚେଞ୍ଜିଂ ରୁମ୍‌, ପ୍ରାଥମିକ ଚିକିତ୍ସା କକ୍ଷ, ଜିମ୍ ଏବଂ ବହୁମୁଖୀ ହଲ୍ ରହିଛି। ସେଥିରେ କ୍ୟାରମ୍, ଚେସ୍, ଫେନ୍‌ସିଂ ଇତ୍ୟାଦି ସ୍ଥାନିତ କରାଯାଇପାରିବ। ସିନ୍ଥେଟିକ୍ ଚଟାଣ ସହିତ ସୁସଜ୍ଜିତ ହଲ୍‌ରେ କରାଯାଇଥିବା ଆଲୋକ ବ୍ୟବସ୍ଥା ଖେଳାଳିମାନଙ୍କୁ ଏକ ଆନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବ ବୋଲି କହାଯାଇଛି। ଷ୍ଟାଡିୟମ୍‌ରେ ୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ତହିଁରୁ ଏମସିଏଲ୍‌ ପକ୍ଷରୁ ୧୦.୩୫ କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ବର୍ଗ କିଲୋମିଟରରେ ହେବାକୁ ଥିବା ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ହକି ଷ୍ଟାଡିୟମ୍ ସହ ଏଫ୍‌ଆଇଏଚ୍‌ ସାର୍ଟିଫାଏଡ୍ ସିନ୍ଥେଟିକ୍ ହକି ଟର୍ଫ, ଏଫ୍‌ଆଇଏଚ୍‌ ପରାମର୍ଶିତ ଆଲୋକ ବ୍ୟବସ୍ଥା ଏବଂ ୩ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏକ ଗ୍ୟାଲେରି ରହିବ। ଯେଉଁଥିରେ ଭିନ୍ନକ୍ଷମଙ୍କ ବସିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏଥିରେ ୧ ହଜାର ସିଟ୍ ବିଶିଷ୍ଟ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ମଧ୍ୟ ରହିବ, ଯେଉଁଥିରେ ବିଡବ୍ଲୁଏଫ୍‌ ମାନର ବ୍ୟାଡମିଣ୍ଟନ୍ କୋର୍ଟ ସହ ଭଲିବଲ୍, ବାସ୍କେଟବଲ୍, ଖୋ ଖୋ ଓ ଟେବୁଲ୍ ଟେନିସ୍ ଭଳି ବିଭିନ୍ନ ଇନ୍‌ଡୋର କ୍ରୀଡା ସ୍ଥାନିତ ହେବ। ଏହି କମ୍ପ୍ଲେକ୍ସ ପାଇଁ ରାଜ୍ୟ ସରକାର ୭୦ କୋଟି ଟଙ୍କା ବିନିଯୋଗ କରୁଛନ୍ତି। ସେହିଭଳି ସମ୍ବଲପୁର ଫୁଟବଲ ତାଲିମ କେନ୍ଦ୍ରରେ ଫିଫା ନିୟମ ଅନୁଯାୟୀ ଟର୍ଫ ସହ ୧ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏକ ଗ୍ୟାଲେରି ରହିବ। ଫୁଟବଲ୍ ଏକାଡେମୀରେ ଖେଳାଳିଙ୍କ ପରିବର୍ତ୍ତନ ପ୍ରକୋଷ୍ଠ, ପ୍ରାଥମିକ ଚିକିତ୍ସା କକ୍ଷ, ବହୁମୁଖୀ ହଲ୍ ଓ ଶୌଚାଳୟ ରହିବ। ତା’ ସହ କ୍ୟାମ୍ପସରେ କବାଡି କୋର୍ଟ ମଧ୍ୟ ରହିବ। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ଅଟକଳ କରିଛନ୍ତି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଏମ୍‌ସିଏଲ୍‌ ନିର୍ଦ୍ଦେଶକ(ଟେକ୍ନିକାଲ) ଜେ. କେ. ବୋରା, ଭିସୁଟ୍ କୁଳପତି ପ୍ର. ବଂଶୀଧର ମାଝି, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ବିଧୁଭୂଷଣ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe