ଶୀତ ପରେ ବି ରହିଗଲେ ୧୨୦୦ କ୍ୟାଟେଲ୍ ଏଗ୍ରେଟ୍: କୋରାପୁଟ ସହରର ୫ ଗଛରେ ବାନ୍ଧିଛନ୍ତି ବସା

Advertisment
ଶୀତ ପରେ ବି ରହିଗଲେ ୧୨୦୦ କ୍ୟାଟେଲ୍ ଏଗ୍ରେଟ୍: କୋରାପୁଟ ସହରର ୫ ଗଛରେ ବାନ୍ଧିଛନ୍ତି ବସା

କୋରାପୁଟ: ଶୀତ ପରେ ଏସିଆ, ଆଫ୍ରିକା, ୟୁରୋପ ନ ଫେରି କୋରାପୁଟ ଜଳବାୟୁକୁ ପସନ୍ଦ କରିଛନ୍ତି ୱେଷ୍ଟର୍ଣ୍ଣ କ୍ୟାଟେଲ୍ ଏଗ୍ରେଟ୍ ପକ୍ଷୀ। ୧୨୦୦ରୁ ଊର୍ଦ୍ଧ୍ବ ଏହି ବିରଳ ପକ୍ଷୀ କୋରାପୁଟ ଜଳବାୟୁ ସହ ଖାପଖୁଆଇ ୫ଟି ଗଛରେ ବସା ବାନ୍ଧିଛନ୍ତି। ପକ୍ଷୀଙ୍କ କଳରବରେ ଏବେ ଫାଟି ପଡ଼ୁଛି କୋରାପୁଟ ସହରର ରାଉଳ ଶିବ ମନ୍ଦିର ଅଞ୍ଚଳ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ବନ ବିଭାଗର ସ୍ବତନ୍ତ୍ର ଟିମ୍‌। ଖଣି ଖନନ, ଜଙ୍ଗଲ କ୍ଷୟ ସାଙ୍ଗକୁ କଂକ୍ରିଟ୍ ଜଙ୍ଗଲ ଦ୍ରୁତ ଗତିରେ ବଢ଼ୁଥିବାରୁ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଆସିଛି।

ପୂର୍ବ ଭଳି ଆଉ ବିଦେଶ ପକ୍ଷୀ କୋରାପୁଟ ମୁହାଁ ହେଉନଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଶୀତଦିନରେ ଉପରୋକ୍ତ ପ୍ରକାର ପକ୍ଷୀ କୋରାପୁଟ ଅଭିମୁଖେ ଆସିଥାନ୍ତି। ଏମା‌ନେ ଶୀତ ପୂର୍ବରୁ ଆସି ମାର୍ଚ୍ଚ ଶେଷ ଆଡ଼କୁ ପ୍ରାୟ ୯ ହଜାର କିଲୋମିଟର ବାଟ ଅତିକ୍ରମ କରି ଫେରି ଯାଇଥାନ୍ତି। ପୂର୍ବରୁ ଏହି ପକ୍ଷୀଙ୍କୁ ପ୍ରାୟତଃ ଶୀତଦିନରେ କୋରାପୁଟରେ ଦେଖିବାକୁ ମିଳୁଥିଲା। ଚଳିତ ବର୍ଷରୁ ସ୍ଥାୟୀ ଭାବେ ରହିବାକୁ ଲାଗିଲେଣି। ଗନ୍ତବ୍ୟସ୍ଥଳକୁ ଫେରୁନଥିବା ୧୨୦୦ ପକ୍ଷୀ ୫ଟି ଗଛରେ ବସାବାନ୍ଧି ରହିଛନ୍ତି। ବସା ପାଇଁ ପକ୍ଷୀମାନେ ଖରା ଦିନେ ଘାସ ଓ ନଡ଼ା ବ୍ୟବହାର କରୁଥିବା ବେଳେ ବର୍ଷା ଦିନରେ ଅନାବନା କାଠିରେ ବସା ବାନ୍ଧିଥିବା ଦେଖିବାକୁ ମିଳିଛି।

ରାଉଳ ଶିବ ମନ୍ଦିର ଅଞ୍ଚଳରେ ଥିବା ଗୋଟିଏ ପଣସ ଗଛ, ତିନିଟି ତେନ୍ତୁଳି ଗଛ ଓ ଗୋଟିଏ ଆମ୍ବଗଛରେ ବସା ବାନ୍ଧିଛନ୍ତି ୱେଷ୍ଟର୍ଣ୍ଣ କ୍ୟାଟେଲ ଇଗ୍ରେଟ୍‌ ବା ବୁବୁଲକୁସ୍ ପକ୍ଷୀ। ସକାଳୁ ସଞ୍ଜଯାଏଁ ପକ୍ଷୀଙ୍କ କଳରବ ଏହି ଅଞ୍ଚଳରେ ଦେଖିବାକୁ ମିଳୁଛି। ଡେଙ୍ଗା ଗୋଡ଼, ଡେଙ୍ଗା ବେକ ଓ ଧଳା ଶରୀର ସହ ଈଷତ ହଳଦୀଲାଲ୍‌ ରଙ୍ଗର ଥଣ୍ଟ ରହିଛି ଏହି ପକ୍ଷୀଙ୍କର। ଏହି ପକ୍ଷୀମାନେ ମଧୁର ଜଳାଶୟରେ ବିଚରଣ କରିଥାନ୍ତି। ସାଧାରଣତଃ ଏମାନେ ଉଷ୍ଣ ସ୍ଥାନରେ ରହିବାକୁ ପସନ୍ଦ କରୁନଥିବାରୁ ଋତୁ ଅନୁସାରେ ସ୍ଥାନ ବଦଳାଇଥାନ୍ତି। କୋରାପୁଟର ରାଉଳ ଶିବ ମନ୍ଦିର ଅଞ୍ଚଳରେ ଗଛ ଭର୍ତ୍ତି ହୋଇଥିବାରୁ ଖରାର ପ୍ରକୋପ ଏଠାରେ ପଡ଼ୁନି। ଥଣ୍ଡା ଜଳବାୟୁ ସାଙ୍ଗକୁ ବର୍ଷା କାରଣରୁ ୱେଷ୍ଟର୍ଣ୍ଣ କ୍ୟାଟେଲ୍ ଏଗ୍ରେଟ୍ ପକ୍ଷୀ ଏହି ଅଞ୍ଚଳକୁ ବାସସ୍ଥାନ ଭାବେ ବାଛି ନେଇଥିବା କହିଛନ୍ତି ବନ ବିଭାଗ କର୍ତ୍ତୃପକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe