୧୨୧ ଜଣକୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ, ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି: ମାଲକାନଗିରି ଜିଲ୍ଲାପାଳ

Advertisment
୧୨୧ ଜଣକୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ, ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି: ମାଲକାନଗିରି ଜିଲ୍ଲାପାଳ
ମାଲକାନଗିରି: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସଚିନ ପାଵାର ସାମ୍ବାଦିକ ସମ୍ମିଳନୀରେ ଗତ ତିନି ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା କହିବା ସହ ଯୋଗାଯୋଗ ବିଛିନ୍ନ ହୋଇଥିବା କହିଥିଲେ। ଗତ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ ୨୫ ମିଲିମିଟର ବର୍ଷା ହୋଇଥିବା ବେଳେ ୧୯ରୁ ୨୦ ତାରିଖ ମଧ୍ୟରେ ୧୯୦ ମିଲିମିଟର ବର୍ଷା ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରିରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ୩୨୬ ଜାତୀୟ ରାଜପଥ ଉପରେ ରହିଥିବା ସମସ୍ତ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଜିଲ୍ଲାପାଳ କହିଥିଲେ।
ତେବେ ପାଙ୍ଗାମ, ପୋଟେରୁ ବ୍ରିଜ ଉପରେ ପାଣି କମିଥିବା ବେଳେ କାଙ୍ଗରୁକୋଣ୍ଡା ବ୍ରିଜ ଉପର ପାଣି ଧୀରେଧୀରେ କମୁଛି। କିନ୍ତୁ ପୋଟେରୁ ବ୍ରିଜର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ପୋଟେରୁ ବ୍ରିଜ ନିକଟରେ କାମ ଆରମ୍ଭ କରିଥିବା ଜିଲ୍ଲାପାଳ କହିଥିଲେ। କାଲିମେଳା ଠାରୁ ପଡିଆ ମଧ୍ୟ ରହିଥିବା ଏମଭ୍-୯୬ ଓ କନ୍ୟାଶ୍ରମ ବ୍ରିଜ ଉପରୁ ମଧ୍ୟ ପାଣି କମିବାରେ ଲାଗିଛି।ବର୍ଷା ନହେଲେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି କହିଥିଲେ।
ସେହିପରି ମାଲକାନଗିରି ଠାରୁ ସୁକମା ରାସ୍ତାର ଚାଲାଣଗୁଡା ବ୍ରିଜରେ ମଧ୍ୟ ପାଣି ତଳକୁ ଖସିବାରେ ଲାଗିଛି।ଖଇରପୁଟ ଠାରୁ ମୁଦୁଲିପଡା, ପୋଡାଘାଟ ଠାରୁ ହରିପୁଟ ରାସ୍ତା ଓ ପାଙ୍ଗିପାଲି ଠାରୁ ପଡିଆ ରାସ୍ତା ମଧ୍ୟ ଏବେ ଖୋଲିଯାଇଥିବା ସେ କହିଥିଲେ। ଏବେ ସୁଦ୍ଧା ୧୨୧ ପରିବାରକୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ନିଆଯାଇଛି। ମାଲକାନଗିରିରେ ୧୦୦ ପରିବାର ଏବଂ କାଲିମେଳାରେ ୨୧ ପରିବାରକୁ ସ୍ଥାନାନ୍ତର କରାଯାଇଥିବା କହିଥିଲେ।ସମସ୍ତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଯୋଗାଯୋଗ ବିଛିନ୍ନ ଥିବା ସ୍ଥାନଗୁଡିକରେ ଏସଆରସିଙ୍କ ଗାଇଡଲାଇନ ହିସାବରେ କାହାରିକୁ ଏହି ରାସ୍ତାରେ ଛଡାଯାଉନଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଅଘଟଣ ଘଟିନଥିବା ଜିଲ୍ଲାପାଳ କହିଥିଲେ। ସକାଳ ୯ଟାରୁ ପୁଣି ବର୍ଷା ବଢୁଥିବାରୁ ସବୁ ବ୍ଲକ ଉପରେ ନଜର ରଖାଯାଇଛି। ସମସ୍ତ ବ୍ଲକର ବିଡିଓ, ତହସିଲଦାର, ଆରଆଇମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। କାହାର ଯଦି ଘର ଭାଙ୍ଗେ ତେବେ ତୁରନ୍ତ ପୋଲିଥିନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆମ ପାଖରେ ବହୁତ ପଲିଥିନ ରହିଥିବା କହିଥିଲେ। ସାପ କାମୁଡା ଔଷଧ ମଧ୍ୟ ସମସ୍ତ ମେଡିକାଲରେ ରଖାଯାଇଥିବା କହିଥିଲେ। ଯେପରି କୌଣସି ଲୋକଙ୍କର ଜୀବନ ନଯାଏ ସେଥିପ୍ରତି ଏସଆରସି ନିର୍ଦେଶ ଦେଇଥିବା ସେ କହିଥିଲେ।
ସେହିପରି ଅତ୍ୟାବଶକୀୟ ଜିନିଷଗୁଡିକ ସମସ୍ତ ବ୍ଲକଗୁଡିକରେ ରଖାଯାଇଛି। ଜିଲ୍ଲାପାଳ ଅନୁରୋଧ କରିଥିଲେ ଯେ ଜିଲ୍ଲାବାସୀ ଭୟ କରିବାର କୌଣସି କାରଣ ନାହିଁ। କୌଣସି ମୁହର୍ତ୍ତରେ ମଧ୍ୟ ଅସୁବିଧା ହେଲେ ତୁରନ୍ତ ବ୍ଲକ କିମ୍ବା ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ସେ କହିଥିଲେ। ଜିଲ୍ଲାପାଳଙ୍କ ନମ୍ବର ୯୪୩୭୦୩୦୨୨୩ ରେ ଫୋନ କରି ନିଜର ସମସ୍ୟା ଜଣାଇବାକୁ ସେ ଅନୁରୋଧ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe