‘ପଶ୍ଚିମ ଓଡ଼ିଶାର ଗାନ୍ଧୀ’ଙ୍କ ୧୨୧ତମ ଜୟନ୍ତୀ

Advertisment
‘ପଶ୍ଚିମ ଓଡ଼ିଶାର ଗାନ୍ଧୀ’ଙ୍କ ୧୨୧ତମ ଜୟନ୍ତୀ

ସମ୍ବଲପୁର: ନୃସିଂହ ଗୁରୁ ଜଣେ ପରମ ବୈଷ୍ଣବ ଓ କର୍ତ୍ତବ୍ୟପରାୟଣ ବ୍ୟକ୍ତି ଥିଲେ। ନିଃସ୍ୱାର୍ଥ ସେବା ହିଁ ତାଙ୍କର ଧର୍ମ ଥିଲା ବୋଲି କଣ୍ଟାବାଞ୍ଜିସ୍ଥିତ ଶ୍ରୀ ରାଧାମାଧବ ମନ୍ଦିରର ମହନ୍ତ ଅଦ୍ୱୈତ ଚରଣ ଦାସ କହିଛନ୍ତି। ‘ପଶ୍ଚିମ ଓଡିଶାର ଗାନ୍ଧୀ’ ରୂପେ ପରିଚିତ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ସାମ୍ବାଦିକ ନୃସିହ ଗୁରୁଙ୍କ ୧୨୧ତମ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଅତିଥି ମହନ୍ତ ଶ୍ରୀ ଦାସ ‘ମାନବ ଜନ୍ମର ଲାଭ’ ପ୍ରସଙ୍ଗ ଉପରେ ଆଲୋଚନାକରି କହିଥିଲେ ଯେ ଭଗବତ ଚିନ୍ତନ ହିଁ ମଣିଷକୁ ସୁମାର୍ଗରେ ପରିଚାଳିତ କରେ। ଆଜି ଯେଉଁମାନେ ଅଧ୍ୟାତ୍ମମାର୍ଗରୁ ବିଚ୍ୟୁତ ହୋଇ ଜୀବନ ବଞ୍ଚୁଛନ୍ତି ସେମାନଙ୍କ ଜୀବନ ନିରର୍ଥକ ବୋଲି ସେ ମତବ୍ୟକ୍ତ କରିଥିଲେ। ପୁଣ୍ୟାତ୍ମା ନୃସିଂହ ଗୁରୁ ମହାତ୍ମା ଗାନ୍ଧୀଙ୍କ ଭଳି ପରୋପକାରକୁ ଆପଣାର ଶ୍ରେଷ୍ଠ ଧର୍ମ ତଥା ‘ସତ୍ୟ ହିଁ ଈଶ୍ୱର’କୁ ହୃଦୟଙ୍ଗମ କରିଥିଲେ ବୋଲି ସେ କହିଥିଲେ ।

ମୁଖ୍ୟ ଅତିଥି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ନୃସିଂହ ଗୁରୁଙ୍କୁ ଜଣେ ମହାପୁରୁଷ ଭାବେ ଅଭିହିତ କରି ସ୍ୱର୍ଗତ ଗୁରୁଙ୍କ ନେତୃତ୍ୱାଧୀନ ଖଦି ଆନ୍ଦୋଳନରେ ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳର ଅଘରିଆ ସମାଜର ଲୋକଙ୍କ ଯୋଗଦାନ ସଂପର୍କରେ ସୂଚନା ଦେଇଥିଲେ।

ମୁଖ୍ୟବକ୍ତା ଡ. ଶ୍ୟାମ ଭୋଇ କହିଲେ, ସ୍ୱର୍ଗୀୟ ନୃସିଂହ ଗୁରୁ ଜଣେ ନିଷ୍ଠାପର ସାମ୍ବାଦିକ, ମହାନ୍ ସମାଜ ସଂସ୍କାରକ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଜଣେ ମହାନ୍ ବ୍ୟକ୍ତି, ଯେ ସାରା ଜୀବନ ଏକ ସରଳ ଅଥଚ ପ୍ରଭାବଶାଳୀ ତଥା ପ୍ରେରଣାପଦ ଜୀବନ ବଞ୍ଚି ଥିଲେ। ସ୍ୱର୍ଗତ ଗୁରୁଙ୍କ ଛାତ୍ର ଜୀବନ, ସଂଗ୍ରାମମୟ ଜୀବନ ଏବଂ କର୍ମମୟ ଜୀବନ ବର୍ତ୍ତମାନ ସମାଜ ପାଇଁ ପ୍ରକୃତରେ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ ମତ ରଖିଥିଲେ। ଦୁଇ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ଓ ପ୍ରମିଳା ବହିଦାର ସମ୍ମାନିତ ଅତିଥି ରୂପେ ଯୋଗଦେଇ ନୃସିଂହ ଗୁରୁଙ୍କ ଜୀବନ ଏବଂ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଅରବିନ୍ଦ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ନୃସିଂହ ଗୁରୁ ସ୍ମୃତି ସମିତିର ସଂପାଦକ ହେମନ୍ତ ମହାପାତ୍ର ସ୍ୱାଗତ ଭାଷଣ ଓ କାର୍ତ୍ତିକ ପ୍ରସାଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ଦଳମତ ନିର୍ବିଶେଷରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମନ୍ଦଲିଆ ସ୍ଥିତ ନୃସିଂହ ଗୁରୁ ପାର୍କରେ ପହଞ୍ଚି ସ୍ୱର୍ଗତ ଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗୋଲକ ବିହାରୀ ମିଶ୍ର, କାର୍ତ୍ତିକ ବହିଦାର, ରାଜେନ୍ଦ୍ର ସତନାମୀ, ଦିଲୀପ ପୃଷ୍ଟି, ସରୋଜ ମହାପାତ୍ର, ଗଦାଧର ନିଆଳ, ରାଧାମୋହନ ପଣ୍ଡା, ଅଶୋକ ପଟେଲ, ଅମଳେନ୍ଦୁ ନାୟକ, ସୁବୋଧ ରାଉତ, ପଦ୍ମାଳୟା ପଟ୍ଟନାୟକ, ସ୍ନିଗ୍ଧାଶ୍ରୀ ବହିଦାର, ନେତ୍ରମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe