ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ନୁହେଁ, ସ୍ୱତନ୍ତ୍ର ସ୍ତମ୍ଭ ହେବା ଉଚିତ: ସୌମ୍ୟ

Advertisment

ଦଶପଲ୍ଲା ପ୍ରେସ୍‌ କ୍ଲବ୍‌ର ଦ୍ୱାଦଶ ବାର୍ଷିକ ଉତ୍ସବ

ଦଶପଲ୍ଲା ପ୍ରେସ୍‌ କ୍ଲବ୍‌ର ଦ୍ୱାଦଶ ବାର୍ଷିକ ଉତ୍ସବ

ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ନୁହେଁ, ସ୍ୱତନ୍ତ୍ର ସ୍ତମ୍ଭ ହେବା ଉଚିତ: ସୌମ୍ୟ

ଦଶପଲ୍ଲା : ଦଶପଲ୍ଲା ପ୍ରେସ୍‌ କ୍ଲବ୍‌ର ଦ୍ୱାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ପ୍ରେସ୍‌ କ୍ଲବର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେବା ସହିତ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ନୁହେଁ ସ୍ୱତନ୍ତ୍ର ସ୍ତମ୍ଭ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଆମ ବ୍ୟବସ୍ଥା ମଧ୍ୟରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନି ସ୍ତମ୍ଭ ସହ ତୁଳନା ନ କରି ସ୍ୱତନ୍ତ୍ର ଓ ମୁକ୍ତ ଭାବେ ଗଣମାଧ୍ୟମ କାର୍ଯ୍ୟ କରିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ନୂଆ ପିଢ଼ି ସହ ଯୋଡ଼ିହେବା ପାଇଁ ଗଣମାଧ୍ୟମ ଉଦ୍ୟମ କରିବା ଦରକାର ବୋଲି ଖଣ୍ଡପଡ଼ା ବିଧାୟକ କହିବା ସହିତ ଏଥି ନିମନ୍ତେ ପ୍ରୟାସ ଆରମ୍ଭ କରିବାକୁ ଆହ୍ୱାନ କରିଥିଲେ। ସେହିପରି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନେ ସତ୍ୟର ଉପାସକ ଭାବେ କାର୍ଯ୍ୟକରି ତୃତୀୟ ନୟନ ଭାବେ ନିଜର ଭୂମିକା ନିର୍ବାହ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆୟୋଜକ ଏବଂ ସ୍ଥାନୀୟ ବିଧାୟକଙ୍କୁ ପ୍ରଶଂସା କରିଥିଲେ।

ମୁଖ୍ୟବକ୍ତା ଭାବେ ‘ଓଡ଼ିଆ ପର୍ବ’ ପତ୍ରିକାର ସମ୍ପାଦକ ତଥା ଗୀତା ପ୍ରବକ୍ତା ସନ୍ତୋଷ କୁମାର ସାହୁ ଯୋଗ ଦେଇ, ସାମ୍ବାଦିକ ସତ୍ୟର ପୂଜାରୀ ଏବଂ ପୁରାତନ କାଳରେ ଋଷି ଓ ସନ୍ଥମାନେ ସାମ୍ବାଦିକତା ବୃତ୍ତି ତୁଲାଉଥିବା ନେଇ ଉଦାହରଣ ଦେଇଥିଲେ। ଏଥି ସହିତ ପ୍ରାୟ ୭ ହଜାର ବର୍ଷ ତଳେ କୃଷ୍ଣ-ଅର୍ଜୁନ ସମ୍ବାଦରୁ ସାମ୍ବାଦିକତା ବୃତ୍ତିର ସୃଷ୍ଟି ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେବା ସହିତ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଏବଂ ସାମାଜିକ ରୂପାନ୍ତରଣ ସେମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଉତ୍କଳ ସାମ୍ବାଦିକ ସଙ୍ଘ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରେସ୍‌ କ୍ଲବ୍‌ ସଭାପତି ଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରେସ୍‌କ୍ଲବ୍‌ ସମ୍ପାଦକ ଡ. ପ୍ରଫୁଲ୍ଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସଂଘର ସମସ୍ୟା ଓ ଦାବିଗୁଡ଼ିକ ବାବଦରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ସଭା ପ୍ରାରମ୍ଭରେ ଦଶପଲ୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।

publive-image

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ନୟାଗଡ଼ ଜିଲ୍ଲା ସମ୍ବାଦ ପ୍ରତିନିଧି ରିତେନ୍ଦ୍ର ଛାଟୋଇ, ସାମ୍ବାଦିକ ସନ୍ତୋଷ କୁମାର ସାହୁ, ଶ୍ରେଷ୍ଠ ପାଠକ ଭାବେ ପ୍ରଫେସର ନନ୍ଦକିଶୋର ମିଶ୍ର ଓ ଭଗବାନ ସାହୁ, ଆଧ୍ୟାତ୍ମିକ କ୍ଷେତ୍ରରେ ଅବଦାନ ପାଇଁ ରାକେଶ କୁମାର ମହାନ୍ତି ଓ ସ୍ୱରୂପ ସୁରଜିତ ସାହୁ, କୁନି କଳାକାର ପ୍ରୀତି ସୁଲଗ୍ନା ଓ ଶ୍ରୁତି ସୁଲଗ୍ନାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଦଶପଲ୍ଲା ପ୍ରେସ୍‌ କ୍ଲବର ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ପ୍ରଫୁଲ୍ଲ କୁମାର ପଣ୍ଡା, କିଶୋର ଚନ୍ଦ୍ର ସାହୁ, ପ୍ରକାଶ କୁମାର ପାଣି, ଗଙ୍ଗାଧର ରଣା ଓ ମନୋରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe