ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି: ଏଡିଆର ରିପୋର୍ଟ

Advertisment
ନବୀନଙ୍କ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି: ଏଡିଆର ରିପୋର୍ଟ

ଭୁବନେଶ୍ବର : ବୁଧବାର ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ ଜଣ କୋଟିପତି ମନ୍ତ୍ରୀ ଅଛନ୍ତି। ନ୍ୟାସନାଲ ଇଲେକସନ୍ ଵାଚ୍ ଓ ଆସୋସିଏସନ ଅଫ୍ ଡେମୋକ୍ରେଟିକ ରିଫର୍ମସ ପକ୍ଷରୁ ଏହାର ପ୍ରକାଶ କରାଯାଇଛି। ସେହିପରି ୮ଜଣ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୭ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ଥିବା ଜଣାପଡ଼ିଛି।

ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସର୍ବାଧିକ ମୋଟ ୬୩ କୋଟି ୮୭ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ବିଜେଡିର ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କା ହୋଇଥିବାବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨୩ ଲକ୍ଷ ୨୬ ହଜାର ୫୫୫ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ତଳକୁ ବିଜେଡିର ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୁଲ୍ୟ ୩୩ କୋଟି ୬୨ ଲକ୍ଷ ୭୩ ହଜାର ୭୦୭ ଟଙ୍କା ରହିଛି। କଟକ ଜିଲ୍ଲା ବିଜେଡିର ମାହାଙ୍ଗା ବିଧାୟକ ତଥା ପଞ୍ଚାୟତି ରାଜ, ଆଇନ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ତୃତୀୟ ସ୍ଥାନରେ ଅଛନ୍ତି। ଶ୍ରୀ ଜେନାଙ୍କ ମୋଟ ସମ୍ପତ୍ତି ୯ କୋଟି ୬୪ ଲକ୍ଷ ୯୪ ହଜାର ୭୭୫ ଟଙ୍କା। ସେଥିରେ ସ୍ଥାବର ସମ୍ପତ୍ତି ମୂଲ୍ୟ ୮ କୋଟି ୪ ଲକ୍ଷ ୬୪ ହଜାର ଟଙ୍କା ରହିଥିବାବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୬୦ ଲକ୍ଷ ୩୦ ହଜାର ୭୭୫ ଟଙ୍କା ରହିଛି। ଏହିପରି ନବୀନଙ୍କ ପଞ୍ଚମ ପାଳିରେ ଶପଥ ନେଇଥିବା ୬୨% କୋଟିପତି ମନ୍ତ୍ରୀ ଥିବା ରିପୋର୍ଟ ଦର୍ଶାଇଛି।

୩ ଜଣ ମନ୍ତ୍ରୀଙ୍କର ବାର୍ଷିକ ଆୟ ୨୫ ଲକ୍ଷ ଟଙ୍କାରୁ ଅଧିକ। ସେମାନେ ହେଲେ ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଶପଥ ନେଇଥିବା ମନ୍ତ୍ରୀମାନଙ୍କ ଭିତରୁ ୪ଜଣ ମନ୍ତ୍ରୀ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବାବେଳେ ୧୭ ଜଣ ମନ୍ତ୍ରୀ ସ୍ନାତକ ଓ ତାଠାରୁ ଅଧିକ ଯୋଗ୍ୟତା ହାସଲ କରିଥିବା ଏଡିଆର ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe