Image Courtesy of NBT
ରାୟଗଡ଼ା: ପଦୋନ୍ନତି କମିଟି ବୈଠକର ୫ ମାସ ପରେ ତାଲିକା ପ୍ରକାଶ କରିଛି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ। ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଜିଲ୍ଲା ମଙ୍ଗଳ ଅଧିକାରୀ ୧୨ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ସହ ଜଣଙ୍କୁ ପୁନଃ ଅବସ୍ଥାପିତ ଓ ଜଣେ ପ୍ରଧାନ ସେବକଙ୍କୁ ବଦଳି କରିଛନ୍ତି। କିନ୍ତୁ ନିୟମିତ ବଦଳି ତାଲିକା ପ୍ରକାଶରେ ବିଭାଗ ଅହେତୁକ ବିଳମ୍ବ କରୁଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ଆଶା, ଆଶଙ୍କା ମଧ୍ୟରେ ଅଛନ୍ତି।
ପଦୋନ୍ନତି ପାଇଥିବା ଶିକ୍ଷକଙ୍କ ମଧ୍ୟରେ ଟିଜିଟି କଳା ବିଭାଗର ୩, ଟିଜିଟି ବିଜ୍ଞାନ ବିଭାଗର ୨ ଏବଂ ୭ ଜଣ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଅଛନ୍ତି। ନରସିଂହମୁଣ୍ଡା ପ୍ରାଥମିକ ସେବାଶ୍ରମରେ ପ୍ରଧାନ ସେବକ ଭାବେ କାର୍ଯ୍ୟରତ ଥିବା ଟିଜିଟି କଳା ବିଭାଗର ଶିକ୍ଷକ ସୁନୀଲ କୁମାର ଗୌଡ଼ ପଦୋନ୍ନତି ପରେ ଡମ୍ବସରା ବାଳିକା ଉଚ୍ଚବିଦ୍ୟାଳୟକୁ ବଦଳି ହୋଇଛନ୍ତି। ସେହିପରି ପେଣିକଣା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ରାଧାକାନ୍ତ ପାଣିଗ୍ରାହୀଙ୍କୁ କେରେଡା ହାଇସ୍କୁଲ୍, ଆଶ୍ରମ ବିଦ୍ୟାଳୟ ଗୁଲୁଣ୍ଠିରେ ପ୍ରଧାନଶିକ୍ଷକ ଶ୍ରୀନିବାସ ଦାଶଙ୍କୁ ବୁଡାଗୁଡା ହାଇସ୍କୁଲକୁ ବଦଳି ହୋଇଛି। ଟିଜିଟି ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ତଥା ବରାଗୁଡା ପ୍ରାଥମିକ ସେବାଶ୍ରମର ପ୍ରଧାନ ସେବିକା ସରିତା କୁମାର ସୁନାମୁଦିଙ୍କୁ ପଦୋନ୍ନତି ପରେ ଡୁକୁମ ହାଇସ୍କୁଲ ଓ ତାଡମା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ବେଟା ରାଜେଶଙ୍କୁ ପାଲୁପାଇ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ବଦଳି ହୋଇଛି। ଅନ୍ୟପକ୍ଷରେ ପ୍ରଧାନ ସେବକ/ସେବିକାରୁ ପଦୋନ୍ନତି ପାଇଁ ଟିଜିଟି କଳା ଓ ବିଜ୍ଞାନ ବିଭାଗକୁ ଆସିଥିବା ୭ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ ଜେନାଙ୍କୁ ବରାଗୁଡା ପ୍ରାଥମିକ ସେବାଶ୍ରମକୁ ବଦଳି ହୋଇଛି।
/sambad/media/post_attachments/wp-content/uploads/2022/05/RGD_Teacher-Promotion-Order.jpg)
ଆଗୁଳ ଆଶ୍ରମ ବିଦ୍ୟାଳୟର ଚନ୍ଦ୍ରଶେଖର ବେହେରାଙ୍କୁ ବଡଦହିଖାଲ ପ୍ରାଥମିକ ସେବାଶ୍ରମ, ନାନିରିଗୁଡା ପ୍ରାଥମିକ ସେବାଶ୍ରମର ସେବକ ପି. ଶ୍ରୀନିବାସ ରାଓଙ୍କୁ ଝିଗିଡ଼ି ପ୍ରାଥମିକ ସେବାଶ୍ରମ, ପିତାମହଲ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଙ୍ଗୀତା ପଟ୍ଟନାୟକଙ୍କୁ ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟ, କୁଜେନ୍ଦ୍ରୀ ସରକାରୀ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ଅଧିକାରୀଙ୍କୁ ଗୁଲୁଣ୍ଠି ଆଶ୍ରମ ବିଦ୍ୟାଳୟ, ସୀତାପୁର ପ୍ରାଥମିକ ସେବାଶ୍ରମର ସେବିକା ସଂଧ୍ୟାରାଣୀ ଦାଶଙ୍କୁ ନରସିଂହମୁଣ୍ଡା ପ୍ରାଥମିକ ସେବାଶ୍ରମ, ବଡବାମନାଗୁଡା ପ୍ରାଥମିକ ସେବାଶ୍ରମ ସେବିକା ଚିତ୍ରଲତା ପ୍ରଧାନଙ୍କୁ କଣ୍ଡାଜାମ୍ ପ୍ରାଥମିକ ସେବାଶ୍ରମଙ୍କୁ ବଦଳି ହୋଇଛି। ଅନିୟମିତତା ମାମଲାରେ ଛନ୍ଦି ହୋଇ ପ୍ରଧାନ ସେବିକା ପଦବିରୁ ବିଦା ହୋଇଥିବା ଶିକ୍ଷୟିତ୍ରୀ କୁମୁଦିନୀ ଖିଲଙ୍କ ଉପରୁ ବିଭାଗୀୟ ତଦନ୍ତ ଶେଷ ହେବା ପରେ ପୁନଃ ଅବସ୍ଥାପିତ କରାଯାଇଛି। କୁମୁଦିନୀ ଖିଲଙ୍କୁ ବଡବାମନଗୁଡ଼ା ପ୍ରଧାନ ସେବିକା ଭାବେ ଦାୟିତ୍ବ ତୁଲାଇବାକୁ ନିର୍ଦେଶ ହୋଇଛି। ବଡବାମନାଗୁଡ଼ା ପ୍ରାଥମିକ ସେବାଶ୍ରମରେ ପ୍ରଧାନ ସେବକ ଭାବେ କାର୍ଯ୍ୟରତ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ପିତାମହଲ ଆଶ୍ରମ ବିଦ୍ୟାଳୟ ପ୍ରଧାନ ସେବକ ଭାବେ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପଦୋନ୍ନତି କମିଟିର ବୈଠକ ୨୦୨୨ ଜାନୁଆରୀ ୧୫ ତାରିଖରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ଜିଲ୍ଲାପାଳଙ୍କ ସମେତ କମିଟିର ଆବାହକ ପିଏ ଆଇଟିଡିଏ, ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ବିଭାଗ ଜିଲ୍ଲା ଶିକ୍ଷା ନୀରିକ୍ଷକ, ସର୍କଲ ଶିକ୍ଷା ନୀରିକ୍ଷକ ଉପସ୍ଥିତ ରହି ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସଂପର୍କରେ ଆଲୋଚନା କରିଥିଲେ। ଶିକ୍ଷାଗତ ଯୋଗ୍ୟତା ମୁତାବକ ଟିଜିଟି କଳା ବିଭାଗର ୩, ଟିଜିଟି ବିଜ୍ଞାନ ବିଭାଗର ୨ ଜଣ, ୭ ପ୍ରଧାନ ସେବକ/ସେବିକାଙ୍କୁ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଜାନୁଆରୀରେ ବସିଥିବା ପଦୋନ୍ନତି କମିଟିର ତାଲିକା ମେ’ ୧୨ ସୁଦ୍ଧା ପ୍ରକାଶ ପାଇପାରିନଥିଲା। ଏ ସଂପର୍କିତ ଖବର ‘ସମ୍ବାଦ’ ରେ ପ୍ରକାଶ ପାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଚେତିବା ସହ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିର୍ଦେଶରେ ମେ’ ୨୦ ତାରିଖରେ ପଦୋନ୍ନତି ତାଲିକା ପ୍ରକାଶ କରିଥିଲେ।
Follow Us