ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା, ନିର୍ଯାତନା ଦେଇଥିବା ୧୩ ଗ୍ରାମବାସୀ ଗିରଫ

ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା, ନିର୍ଯାତନା ଦେଇଥିବା ୧୩ ଗ୍ରାମବାସୀ ଗିରଫ

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ମହତପଲ୍ଲା ପଞ୍ଚାୟତ ଅଧୀନ ଭାଲିଆମଳେଇ ଗାଁ’ରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ସହ ଫୁଟନ୍ତା ଗରମ ପାଣି ହଣ୍ତା ଭିତରେ ତାଙ୍କ ହାତକୁ ବୁଡ଼ାଇ ଅକଥନୀୟ ନିର୍ଯାତନା ଦେଇଛନ୍ତି। ଏଥିରେ ଯୁବକ ଜଣ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ରଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏଭଳି ବର୍ବର କାଣ୍ଡ ଘଟାଇଥିବା ସଂପୃକ୍ତ ଗାଁର ୧୩ ଜଣକୁ ପୁଲିସ ଗିରଫ କରିଛି।

publive-image telegraph.co.uk

ଅଭିଯୋଗ ମୁତାବକ ମହତପଲ୍ଲା ପଞ୍ଚାୟତ ଅଧୀନ ଭାଲିଆମଳେଇ ଗାଁ’ର ମଧୁ ନାୟକଙ୍କ ସ୍ତ୍ରୀ ବନିତା ନାୟକ(୪୫)ଙ୍କ ଦେହ ସବୁବେଳେ ଅସୁସ୍ଥ ରହୁଥିଲା। ଏ ନେଇ ସର୍ବଦା ପରିବାରରେ ଅଶାନ୍ତି ଓ କଳହ ଲାଗି ରହୁଥିଲା। ତେବେ ଗାଁ’ରେ ମହେଶ୍ବର ପ୍ରଧାନଙ୍କଠାରେ କାଳିସୀ ଲାଗୁଥିବା ବେଳେ ବନିତା ପରିବାର ଲୋକେ କାଳିସୀଙ୍କ ପାଖକୁ ଯାଇଥିଲେ। କାଳିସୀ କୁଆଡ଼େ କହିଥିଲେ ଯେ ସେହି ଗାଁ’ର ଠୁଣୁଠୁଣିଆ ଗୁଣିଆ ଭାବେ ପରିଚିତ ବସନ୍ତ ଦେହୁଡ଼ି ବନିତାଠାରେ ଚଣ୍ତୀ ପେଶିଛି। ଏ ନେଇ ବନିତା ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁର କିଛି ଲୋକ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଶନିବାର ରାତି ପ୍ରାୟ ସାଢ଼େ ୧୧ଟା‌ବେଳେ ବନିତାଙ୍କ ପରିବାର ଓ ଗ୍ରାମବାସୀ ମିଳିତ ହୋଇ ବସନ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ପରେ କାଳିସୀଙ୍କ ପାଖକୁ ନେଇଥିଲେ। ସେଠାରେ କାଳିସୀ କୁଆଡ଼େ ଏକ ସର୍ତ୍ତ ରଖିଥିଲେ। ଯଦି ଫୁଟନ୍ତା ଗରମ ପାଣି ହଣ୍ତା ଭିତରୁ ଶଙ୍ଖା କାଢ଼ିବାକୁ ବସନ୍ତ ସକ୍ଷମ ହୁଏ, ତେବେ ସେ ଚଣ୍ତୀ ପେଶି ନାହିଁ ବୋଲି ଗ୍ରହଣ କରାଯିବ। ଏହାପରେ ସର୍ବସମ୍ମୁଖରେ ଜଳନ୍ତା ଚୁଲି ଉପରେ ହଣ୍ତା ବସାଇ ଏକ ଶଙ୍ଖା ପକାଯାଇଥିଲା। ଆଉ ଡହ ଡହ ଫୁଟୁଥିବା ଗରମ ପାଣି ଭିତରେ ହାତ ବୁଡ଼ାଇବାକୁ ବସନ୍ତଙ୍କୁ ବାଧ୍ୟ କରାଯାଇଥିଲା। ବସନ୍ତ ୨ ଥର ପ୍ରୟାସ କରିବା ପରେ ହଣ୍ତା ଭିତରୁ ଶଙ୍ଖାଟିକୁ ବାହାରକୁ ଆଣିଥିଲେ। ହେଲେ ସେତେବେଳକୁ ଗରମ ପାଣିରେ ବସନ୍ତଙ୍କ ହାତ ସିଝି ଯାଇଥିଲା ଏବଂ ସେ ଅତି ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ପରିବାର ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

publive-image OTV

ଏ ନେଇ ଅଭିଯୋଗ ହେବା ପରେ ରଣପୁର ପୁଲିସ ବସନ୍ତଙ୍କୁ ଏଭଳି ନିର୍ଯାତନା ଦେଇଥିବା ଗାଁର ମହାଦେବ ପ୍ରଧାନ (୩୫), ନାଲୁ ନାୟକ (୩୫), ମାନସ ଦିହୁଡ଼ି(୪୫), ମଧୁ ନାୟକ(୫୫), ପବିତ୍ର ନାୟକ(୬୨), ବ୍ରଜ ଦିହୁଡ଼ି(୫୦), ରାଜ ଦିହୁଡ଼ି(୪୮), ଗୋକୁଳ ଦିହୁଡ଼ି(୬୨), ବିରଞ୍ଚି ଦିହୁଡ଼ି(୪୦), ପୂର୍ଣ୍ଣ ନାୟକ(୩୦), କାଳିଆ ଦିହୁଡ଼ି(୨୫) ମହେଶ୍ବର ପ୍ରଧାନ(୬୦) ଓ ଦୀନବନ୍ଧୁ ଦିହୁଡ଼ି(୩୦) ପ୍ରମୁଖ ୧୩ ଜଣଙ୍କୁ ଗିରଫ କରିଥିଲା। ଅପରପକ୍ଷେ ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe