ପରିତ୍ୟକ୍ତ ସିନ୍ଦୁକରୁ ବାହାରିଲା ୧୩ କେଜି ରୁପା ଅଳଙ୍କାର

Advertisment
ପରିତ୍ୟକ୍ତ ସିନ୍ଦୁକରୁ ବାହାରିଲା ୧୩ କେଜି ରୁପା ଅଳଙ୍କାର

ବୌଦ୍ଧ: ବୌଦ୍ଧର ଜିଲ୍ଲା ସଂଗ୍ରହାଳୟରେ ବିଭିନ୍ନ ଐତିହାସିକ ଉପକରଣ ସ୍ଥାନ ପାଇଛି। ଐତିହାସିକ ଉପକରଣ ସଂଗ୍ରହ ବେଳେ ଟ୍ରେଜେରି ଅଫିସରୁ ଉଦ୍ଧାର ହୋଇଥିବା ତିନିଟି ସିନ୍ଦୁକ ଅଣା ଯାଇଥିଲା। ସଂଗ୍ରହାଳୟ ପରିସରରେ ମୁକ୍ତ ଆକାଶ ତଳେ ଏହାକୁ ରଖାଯାଇଥିଲା। ରବିବାର ଏହି ସିନ୍ଦୁକର ତାଲା ଭାଙ୍ଗିବା ପରେ ଭିତରେ ଥିବା ୧୩ କିଲୋ ୨୩୨ ଗ୍ରାମ ଓଜନର ରୁପା ଅଳଙ୍କାର, ୮ ଗ୍ରାମ ଓଜନର ଅଷ୍ଟଧାତୁ ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଛି। ସୂଚନା ଅନୁସାରେ, ଦୁଇ ବର୍ଷ ପୂର୍ବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲା ଟ୍ରେଜେରି ଅଫିସକୁ ପରିଦର୍ଶନ ପାଇଁ ଯାଇଥିଲେ। ଅଫିସରେ ପରିତ୍ୟକ୍ତ ଅବସ୍ଥାରେ ଥିବା ତିନିଟି ସିନ୍ଦୁକ ଉପରେ ତାଙ୍କ ନଜର ପଡ଼ିଥିଲା। ତିନିଟି ମଧ୍ୟରୁ ଗୋଟିକରେ ତାଲା ପଡ଼ିଥିବା ବେଳେ ଅନ୍ୟ ଗୋଟିଏ ଖୋଲା ଥିଲା ଓ ଦ୍ବିତୀୟଟିର ଢାଙ୍କୁଣି ନଷ୍ଟ ହୋଇ ଯାଇଥିଲା।

ସେତେବେଳେ ଜିଲ୍ଲା ସଂଗ୍ରହାଳୟର ପରିକଳ୍ପନା କରାଯାଉଥିବା ବେଳେ ରାଜାରାଜୁଡ଼ା ସମୟର ସିନ୍ଦୁକକୁ ସଂଗ୍ରହାଳୟକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରବିବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶିକ୍ଷକ ବସନ୍ତ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ ଓ ସହକାରୀ କୋଷାଗାର ଅଧିକାରୀଙ୍କ ଉପସ୍ଥିତିର ତାଲା ଖୋଲା ଯାଇଥିଲା। ସିନ୍ଦୁକରେ ଅଳଙ୍କାର ଥିବା ସୂଚନା ପାଇବା ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବାହାର କରି ଦୁଇ ଜଣ ସୁନାରିଙ୍କ ଦ୍ବାରା ଦିନ ସାରା ପରିଷ୍କାର କରାଯାଇଥିଲା। ଅଳଙ୍କାର ମଧ୍ୟରେ ମୁକୁଟ, ଛତ୍ର, ନାଗ, ଚାମର ମୁଠୁଣି, ଗଦା ଆଦି ଥିବାରୁ ମନ୍ଦିରର ବୋଲି ଅନୁମାନ କରାଯାଉଛି। ଏହାର ମୂଲ୍ୟ ଆଠ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଉପଜିଲ୍ଲାପାଳ ସନତ ନାଏକ ଓ ତହସିଲଦାର ଦେବୀ ପ୍ରସାଦ ଦାଶଙ୍କ ଉପସ୍ଥିତିରେ ମିଳିଥିବା ଅଳଙ୍କାରକୁ ଟିଣ ବାକ୍ସରେ ସିଲ୍‌ କରି ଜିଲ୍ଲା ଟ୍ରେଜେରିରେ ରଖାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe