ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

Advertisment

୬ଟି ବିଭାଗକୁ ଚିଠି ଲେଖିଲା ସଂସଦୀୟ ବ୍ୟାପାର ବିଭାଗ

୬ଟି ବିଭାଗକୁ ଚିଠି ଲେଖିଲା ସଂସଦୀୟ ବ୍ୟାପାର ବିଭାଗ

ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଧାନସଭା ମୌସୁମୀ ଅଧିବେଶନ ବସିବ। କିନ୍ତୁ କରୋନା ମହାମାରୀ ଜାରି ରହିଥିବାରୁ ବିଧାନସଭା କୋଉଠି ବସିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇପାରିଲାନି। ପ୍ରତିଦିନ ଏ ସମ୍ପର୍କରେ ଘଣ୍ଟାଚକଟା ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥର ବିଧାନସଭାରେ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ପାଇଥିବା ୧୪ଟି ଅଧ୍ୟାଦେଶ ବିଲ୍‌ ନିୟମ ଦୃଷ୍ଟିରୁ ପାରିତ ହେବାର ଅଛି। ନଚେତ୍‌ ସେସବୁ ଅଧ୍ୟାଦେଶଗୁଡ଼ିକ ଅକାମି ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ତ୍ବରିତ୍‌ ପଦକ୍ଷେପ ନେବାକୁ ସଂସଦୀୟ ବ୍ୟାପାର ବିଭାଗ ୬ଟି ବିଭାଗକୁ ଚିଠି ଲେଖିଛି।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍‌ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨ଟି ଅଧ୍ୟାଦେଶ, ଅର୍ଥ ବିଭାଗର ୪ଟି, ଶ୍ରମ ବିଭାଗର ୪ଟି, ସମବାୟ ବିଭାଗର ୨ଟି, ଆଇନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଗୋଟିଏ ଲେଖାଏଁ ଅଧ୍ୟାଦେଶ ବିଲ୍‌ ପାରିତ ହେବାର ଅଛି। ଏଥିପାଇଁ ଏସବୁ ବିଭାଗକୁ ସଂସଦୀୟ ବ୍ୟାପାର ବିଭାଗ ଚିଠି ଲେଖିଛି।

ସମ୍ବିଧାନର ଧାରା ୧୭୪ ଅନୁଯାୟୀ ଗୋଟିଏ ଅଧିବେଶନ ସରିବାର ୬ ମାସ ଭିତରେ ପରବର୍ତ୍ତୀ ଅଧିବେଶନ ଡକାଯିବା ନିୟମ ରହିଛି। ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ଗତ ମାର୍ଚ୍ଚ ୩୦ ତାରିଖରେ ଶେଷ ହୋଇଥିଲା। ସେବେଠାରୁ ହିସାବ କଲେ ୨୦୨୦ ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଧାନସଭା ଅଧିବେଶନ ବସିବ। ଖାଲିସେତିକି ନୁହେଁ ଅଧିବେଶନ ଆରମ୍ଭର ୬ ସପ୍ତାହ ଭିତରେ ଯେତେଗୁଡ଼ିଏ ଅଧ୍ୟାଦେଶ ରହିଛି ସେଗୁଡ଼ିକୁ ପାରିତ କରିବାର ନିୟମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe