ରବିରେ ସଂଗ୍ରହ ହେବ ୧୪ ଲକ୍ଷ ମେଟ୍ରିକ ଟନ ଧାନ

Advertisment

ଏକର ପିଛା ୨୪ରୁ ୨୬ କ୍ବିଣ୍ଟାଲ ସଂଗ୍ରହ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଏକର ପିଛା ୨୪ରୁ ୨୬ କ୍ବିଣ୍ଟାଲ ସଂଗ୍ରହ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ପଞ୍ଜୀକୃତ ହୋଇ ମଧ୍ୟ ଧାନ ବିକି ନାହାନ୍ତି ୧ ଲକ୍ଷ ୬୧ ହଜାର, ଚାଷୀ ଦୁର୍ଦଶା ଜାରି

Agriculture Post

ଭୁବନେଶ୍ବର : ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ଧାନ କ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ ପାଇଁ ନିର୍ଦେଶ ହୋଇଛି। ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହା କୁହାଯାଇଛି। ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ବୈଠକରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଧାନ ସଂଗ୍ରହ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରଶାସନିକ, ବୈଷୟିକ ପ୍ରସ୍ତୁତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ସର୍ବପ୍ରଥମେ ମେ ୧୩ ତାରିଖରେ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ ହେବ। ରବି ଧାନର କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୧୭ଟି ଜିଲ୍ଲାର ଜଳସେଚିତ ଅଞ୍ଚଳର ଚାଷୀଙ୍କ ଠାରୁ ଏକର ପିଛା ୨୪ରୁ ୨୬ କ୍ବିଣ୍ଟାଲ ଧାନ ସଂଗ୍ରହ ହେବ।

ରବି ଋତୁରେ ଧାନ ବିକ୍ରି ପାଇଁ ୨.୫୮ ଲକ୍ଷ ଚାଷୀ ୭.୬୨ ଲକ୍ଷ ଏକର ଜମି ପଞ୍ଜୀକରଣ କରିଛନ୍ତି। ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୨୨ ହଜାର ୨୨୮ ଭାଗଚାଷୀ ଅଟନ୍ତି। ୮୧୭ ପ୍ରାଥମିକ ସମବାୟ ସମିତି, ୧୨୨ଟି ଏସଏଚଜି ଧାନ ବିକ୍ରିରେ ସାମିଲ ହେବେ। ଗତବର୍ଷ ୧୦୧ ଗୋଷ୍ଠୀ ସାମିଲ ହୋଇଥିଲେ। ପି-ପାସ ମାଧ୍ୟମରେ ଧାନ କିଣା ବିଷୟରେ ସଂପୃକ୍ତ ମିସନ ଶକ୍ତି ଗ୍ରୁପ, ସମବାୟ ସମିତିର ଧାନ କିଣା ଅଫିସର, ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ତାଲିମ ଦିଆଯାଇଛି। ବୈଠକରେ କୃଷି ଉତ୍ପାଦନ କମିସନର ସଞ୍ଜୀବ ଚୋପ୍ରା, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମବାୟ ବିଭାଗ ଶାସନ ସଚିବ ସଞ୍ଜୀବ ଚଢା, ମିସନ ଶକ୍ତି ବିଭାଗର ଶାସନ ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe