ସାଢ଼େ ୧୪ ହଜାର ସରକାରୀ ସ୍କୁଲ ବନ୍ଦ ପ୍ରସଙ୍ଗ : ନିଷ୍ପତ୍ତିକୁ ବିରୋଧୀଙ୍କ ନିନ୍ଦା

Advertisment

ସର୍ବଦଳୀୟ ବୈଠକରେ ୭ ପ୍ରସ୍ତାବ ଗୃହୀତ, ନିଷ୍ପତ୍ତି ପ୍ରତ୍ୟାହାର ପା‌ଇଁ ୧୫ଦିନ ସମୟ ଦେଲା ବିଜେପି

ସର୍ବଦଳୀୟ ବୈଠକରେ ୭ ପ୍ରସ୍ତାବ ଗୃହୀତ, ନିଷ୍ପତ୍ତି ପ୍ରତ୍ୟାହାର ପା‌ଇଁ ୧୫ଦିନ ସମୟ ଦେଲା ବିଜେପି

ସାଢ଼େ ୧୪ ହଜାର ସରକାରୀ ସ୍କୁଲ ବନ୍ଦ ପ୍ରସଙ୍ଗ : ନିଷ୍ପତ୍ତିକୁ ବିରୋଧୀଙ୍କ ନିନ୍ଦା

ଭୁବନେଶ୍ୱର : ପିଲା ହେଉ ନ ଥିବାରୁ ସାଢ଼େ ୧୪ ହଜାର ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ‌ନେଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯିବା ପରେ ସାରା ରାଜ୍ୟରେ ବିରୋଧର ସ୍ବର ଶୁଣିବାକୁ ମିଳିଛି। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ, ସବୁଠି ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର ସହ ସ୍କୁଲଗୁଡ଼ିକ ପୂର୍ବ ଭଳି ଚଳାଇବାକୁ ଦାବି ଜଣାଇଛନ୍ତି। ଶିକ୍ଷକ ସଙ୍ଗଠନ ବି ପ୍ରତିବାଦ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଆଜି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆହୂତ ସର୍ବଦଳୀୟ ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତା ସାମିଲ ହୋଇ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି।

ପ୍ରାୟ ୩ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ୭ଟି ପ୍ରସ୍ତାବ ଗ୍ରହଣ କରାଯାଇଛି। ସମସ୍ତ ରାଜନୈତିକ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରାଯିବ। ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ କରିବା ଲାଗି ଦୋଷୀଙ୍କ ବିରୋଧରେ ଏତଲା ଦିଆଯିବ। ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇବେ। ସ୍କୁଲ ବନ୍ଦ ପ୍ରତିବାଦରେ ପ୍ରତି ଜିଲ୍ଲାରେ ସମ୍ମିଳନୀ ଅନୁଷ୍ଠିତ ହେବ। ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କ’ଣ ହୋଇପାରିବ, ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କୁ ନେଇ ପରାମର୍ଶ ସଭା ଆୟୋଜିତ ହେବ। ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଓ ଶିକ୍ଷା ଉପ‌ରେ କାମ କରୁଥିବା ସଙ୍ଗଠନଗୁଡ଼ିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରାଯିବ। ଓଡ଼ିଶାରେ ଶିକ୍ଷାର ସୁରକ୍ଷା ଓ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଶିକ୍ଷକ ସଙ୍ଗଠନଙ୍କୁ ନେଇ ବ୍ୟାପକ ମଞ୍ଚ ଓ ଶିକ୍ଷା ବଞ୍ଚାଅ ଅଭିଯାନ ଆରମ୍ଭ ହେବ। ଡିଏଲ୍‌ଏସ୍‌ସିସିକୁ ପୁନଃ ଗଠନ କରାଯାଇ ସାଂସଦ, ବିଧାୟକ, ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି ଓ ଶିକ୍ଷାବିତ୍‌ଙ୍କୁ ନିଆଯିବାକୁ ପ୍ରସ୍ତାବ ଦିଆଯାଇଛି। ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ସିପିଆଇ(ଏମ୍‌)ର ଅଳିକିଶୋର ପଟ୍ଟନାୟକ, କଂଗ୍ରେସର ଅମୀୟ ପାଣ୍ଡବ, ସିପିଆଇର ଆଶିଷ କାନୁନ୍‌ଗୋ, ଫରୱାର୍ଡ ବ୍ଲକର ଜ୍ୟୋତି ମହାପାତ୍ର, ସିପିଆଇ(ଏମ୍‌ଏଲ୍‌)ର ଯୁଧିଷ୍ଠିର ମହାପାତ୍ର, ଆମ୍‌ ଆଦମୀ ପାର୍ଟିର ନିଶିକାନ୍ତ ମହାପାତ୍ର, କଳିଙ୍ଗ ସେନାର ସତୀଶ ରଞ୍ଜନ ସାହୁ, ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ଛୋଟ ପିଲାଙ୍କ ଭବିଷ୍ୟତ ନେଇ ଖେଳୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଥିଲା। ୧୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା‌ ଦେବାକୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ସ୍କୁଲ ବନ୍ଦ କରି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପାଇବାକୁ ବଞ୍ଚିତ କରୁଛନ୍ତି। ଏହାଦ୍ବାରା ଛୋଟ ପିଲାଙ୍କ ଉପରେ ମାନସିକ ଚାପ ବଢ଼ିବ। ୪୪ ହଜାର ଶିକ୍ଷକ ପଦ ଖାଲିଥିଲେ ମଧ୍ୟ ପୂରଣ କରାଯାଉନାହିଁ। ପ୍ରତିବର୍ଷ ୧୧ଲକ୍ଷ ପିଲା ସ୍କୁଲରେ ନାମ ଲେଖାଉଥିବା ବେଳେ ୫ଲକ୍ଷ ପିଲା‌ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ଅର୍ଥାତ୍‌ ୬ ଲକ୍ଷ ପିଲା ଅଧାରୁ ସ୍କୁଲ ଛାଡ଼ୁଛନ୍ତି। ଏବେ ସ୍କୁଲ ବନ୍ଦ ହେବା ଦ୍ବାରା ଆହୁରି ଅଧିକ ପିଲା ଅଧାରୁ ପାଠପଢ଼ା ଛାଡ଼ିବେ। ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ। ନ ହେଲେ ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦିଆଯିବ। ବିଜେପି କୋର୍ଟର ଦ୍ବାରସ୍ଥ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe