ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ବନ୍ଦ; ମନ୍ଦିର ଚତୁର୍ପାଶ୍ୱରେ ୧୪୪ ଧାରା ଜାରି

Advertisment
ସାକ୍ଷୀଗୋପାଳ ମନ୍ଦିରରେ ରାଧା ପାଦ ଦର୍ଶନ ବନ୍ଦ; ମନ୍ଦିର ଚତୁର୍ପାଶ୍ୱରେ ୧୪୪ ଧାରା ଜାରି

ସାକ୍ଷୀଗୋପାଳ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଓ ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ହେଉଥିବା ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ବନ୍ଦ ରହିଛି। ମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଥିବାରୁ ପ୍ରତିବର୍ଷ ଦର୍ଶନାର୍ଥୀଙ୍କ କୋଳାହଳରେ ଉଛୁଳି ଉଠୁଥିବା ସତ୍ୟବାଦୀ ଅଞ୍ଚଳ ନିର୍ଜନ ଲାଗୁଛି।

ମନ୍ଦିର ପରିସରରେ ସଶସ୍ତ୍ର ପୁଲିସ ମୁତୟନ ହୋଇଛନ୍ତି। ଉପଜିଲ୍ଲାପାଳ ଭବତରଣ ସାହୁ ଓ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।
ବର୍ଷକରେ ଆଜି ଦିନକ ନିମନ୍ତେ ମା’ଙ୍କର ପାଦ ଦର୍ଶନର ସୁଯୋଗ ମିଳୁଥିବାରୁ ଏଠାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ଦର୍ଶନାର୍ଥୀଙ୍କ ସମାଗମ ହୋଇଥାଏ।

ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାଆନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। କିନ୍ତୁ, ଆଜି ଦିନକ ଶ୍ରୀଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ସାଜି କାଣିଆକଛା ମାରିଥିବାରୁ ତାଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ମିଳିଥାଏ।

publive-image

ପରମ୍ପରା ଅନୁସାରେ, ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା। ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣିଆକଛା ମାରିଥିଲେ। ତାଙ୍କ କାନିରେ ଅରୁଆ ଚାଉଳ, ଦୂବ ଓ ଗୁଆ ବନ୍ଧା ଯାଇଥିଲା। ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଯାଇଥିଲା।

ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳାଫଳ ମାଳ ଓ ଡାଇମଣ୍ଡ୍‌ କଟା ଚାପସରି, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗପାଟିଆ ମାଳ, ସୁବର୍ଣ୍ଣ ଚକିମାଳ, ସୁବର୍ଣ୍ଣ କମରପଟି, ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ରହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରିଆମାଳ, ସୁବର୍ଣ୍ଣ ତାବିଜମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖିମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କି, ପାପଦ୍ମ ଓ ଚୁପୁଲି ଶୋଭା ପାଉଛି।

ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ କଟକଣା ଓ ସ୍ଥାନୀୟ ପ୍ରଶାସନ ତରଫରୁ ମନ୍ଦିରର ୨୦୦ ମିଟର୍‌ ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି କରାଯାଇଥିବାରୁ ମନ୍ଦିର ପରିସର ଜନଶୂନ୍ୟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe