‘ମୋ ସ୍କୁଲ’ ଯୋଜନାରେ ୧୪୮୯ ବିଦ୍ୟାଳୟ ସାମିଲ

Advertisment
ଦିଗହରା ‘ମୋ ସ୍କୁଲ’ ଯୋଜନା: ସ୍କୁଲ କତ୍ତୃର୍ପକ୍ଷଙ୍କୁ ୟୁସି ଭୟ! ସାମିଲ ହେବାକୁ ମଙ୍ଗୁ ନାହାନ୍ତି

ଭୁବନେଶ୍ବର : ‘ମୋ ସ୍କୁଲ’ ଯୋଜନାରେ ୨୨ଟି ଜିଲ୍ଲାର ୧୪୮୯ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର ହୋଇଛି। ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଜଗତ୍‌ସିଂହପୁର, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେନ୍ଦୁଝର, କେନ୍ଦ୍ରାପଡ଼ା, ଖୋର୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନାରେ ୧୫ କୋଟି ୧୬ ଲକ୍ଷରୁ ଅଧିକ ଅର୍ଥ ବ୍ୟୟ କରାଯିବ। ଏଥିରୁ ରାଜ୍ୟ ସରକାର ୧୦ କୋଟି ୧୧ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଲୋକଙ୍କଠାରୁ ୫ କୋଟି ୫୬ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୮୩ଟି ସ୍କୁଲରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ମିଳିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଜୁଲାଇ ମାସରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ତଦାରଖ କରାଯିବ। ବ୍ରିଟିସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ସହାୟତାରେ ଶହେ ଆଦର୍ଶ ବିଦ୍ୟାଳୟ ଓ ୪୧ଟି ଜିଲ୍ଲା ହାଇସ୍କୁଲରେ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି ହେବ। ବକୁଳ ଫାଉଣ୍ଡେସନ ଦ୍ବାରା ଚୟନ କରାଯାଇଥିବା ଶହେ ବିଦ୍ୟାଳୟରେ ସ୍ବେଚ୍ଛାସେବୀ ସହାୟତା ଯୋଗାଇଦେବେ। ୧୮ଟି ବିଦ୍ୟାଳୟରେ ବକୁଳ ଫାଉଣ୍ଡେସନ ଦ୍ବାରା ପାଠାଗାର ପ୍ରତିଷ୍ଠା ପାଇଁ ସ୍ଥିର ହୋଇଛି ବୋଲି ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଓ ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ମୁଖ୍ୟ ନିର୍ବାହୀ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି। ବୈଠକରେ ପ୍ରାଥମିକ ଶିକ୍ଷା, ଏସ୍‌ସିଇଆରଟି, ମାଧ୍ୟମିକ ଶିକ୍ଷା ନି‌ର୍ଦେଶକ, ମୋ ସ୍କୁଲ ଯୋଜନାର ସ୍ବତନ୍ତ୍ର ଅଧିକାରୀ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe