୧୫ ବାଇକ୍‌ ଜବତ, ୨ ଗିରଫ

Advertisment
୧୫ ବାଇକ୍‌ ଜବତ, ୨ ଗିରଫ

ବ୍ୟାସନଗର : ଯାଜପୁରରୋଡ ପୁଲିସ ଦୁଇଜଣ ବାଇକ୍‌ ଚୋରଙ୍କୁ ଗିରଫ କରିବା ସହ ୧୫ଟି ଚୋରି ବାଇକ୍‌ ଜବତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଜେନାପୁର ଥାନା ଅନ୍ତର୍ଗତ ମର୍ଯ୍ୟାଦାପୁର ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ପୁଅ ସୁଶାନ୍ତ(୨୮) ଓ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବୀରବର ଭୂୟାଁଙ୍କ ପୁଅ ପ୍ରକାଶ(୩୦)। ପ୍ରକାଶ ଯେ, ବ୍ୟାସନଗର ସହରରେ ବାରମ୍ବାର ବାଇକ୍‌ ଚୋରି ଅଭିଯୋଗ ହୋଇଆସୁଥିଲା। ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏହାର ତଦନ୍ତ କରି ଏହି ଥାନା ଅନ୍ତର୍ଗତ ବ୍ୟାସନଗର ସହରର ସାପଗଡ଼ିଆ ଅଞ୍ଚଳରୁ କିଛିଦିନ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତର ସୂଚନା ଓ ସିସି ଟିଭି ଫୁଟେଜ୍‌ ଯାଞ୍ଚରୁ ଯାଜପୁରରୋଡ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୁକିନ୍ଦା ଓ ଜେନାପୁର ଅଞ୍ଚଳରେ ଚଢ଼ଉ କରି ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୫ଟି ବାଇକ୍‌ ଜବତ କରିଛନ୍ତି।

publive-image

ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ ବ୍ୟାସନଗର ସହରର ଗୋପବନ୍ଧୁ ଛକ ଓ ଗଣେଶ ବଜାରରୁ ଦୁଇଟି ବାଇକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଯାଜପୁରରୋଡ ଥାନା କେସ୍‌ ନମ୍ବର ୪୨୨/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। କେତେକ ସିସି ଟିଭି ଫୁଟେଜ୍‌ରୁ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା। ଦୁଇଜଣଙ୍କୁ ଗିରଫ କରି ପଚରାଉଚରା ପରେ ସୁକିନ୍ଦା, ନିହଲପ୍ରସାଦ ଆଦି ଅଞ୍ଚଳରୁ ଚୋରି ବାଇକ୍‌ ଗୁଡ଼ିକ ଜବତ କରାଯାଇଥିଲା। ୮ଟି ହିରୋ ସ୍ପ୍ଲେଣ୍ଡର, ୨ଟି ହିରୋ ପାସିୟନ ପ୍ରୋ, ଗୋଟିଏ ଟିଭିଏସ୍‌ ବାଇକ୍‌, ଗୋଟିଏ ହିରୋ ହୋଣ୍ଡା ସିଡି ଡିଲକ୍ସ, ଗୋଟିଏ ରାଜଦୂତ ଏମ୍‌ସି, ଗୋଟିଏ ହୋଣ୍ଡା ସାଇନ୍, ଗୋଟିଏ ବଜାଜ୍‌ ସିଟି ହଣ୍ଡ୍ରେଡ ଜବତ କରାଯାଇଛି। ଆଜି ଦୁଇ ଅଭିଯୁକ୍ତଙ୍କ କୋଭିଡ୍‌ ଟେଷ୍ଟ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe