ଜଙ୍ଗଲ ଭିତରେ ମିଳିବ ୧୫ ଫୁଟ ଉଚ୍ଚରେ ଚାଲିବାର ଅନୁଭୂତି: ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ସ୍କାଏ ୱାକ୍‌

Advertisment
ଜଙ୍ଗଲ ଭିତରେ ମିଳିବ ୧୫ ଫୁଟ ଉଚ୍ଚରେ ଚାଲିବାର ଅନୁଭୂତି: ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ସ୍କାଏ ୱାକ୍‌

ରାଜନଗର: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶକୁ ଉପରୁ ଉପଭୋଗ କରିବା ପାଇଁ ଡାଙ୍ଗମାଳ ଠାରେ ନିର୍ମାଣ ହୋଇଛି ସ୍କାଏ ୱାକ୍‌। ଏହି ସ୍କାଏ ୱାକ୍‌ ବ୍ୟବସ୍ଥାରେ ଜଙ୍ଗଲ ଭିତରେ ୧୫ ଫୁଟ ଉଚ୍ଚରେ ଚାଲି ପ୍ରାକୃତିକ ଦୃଶ୍ୟ ଦେଖିବାର ନିଆରା ଅନୁଭୂତି ପର୍ଯ୍ୟଟକ ଅନୁଭବ କରିବେ। କୁମ୍ଭୀର ପ୍ରଜନନ ଋତୁ ପରେ ଅଗଷ୍ଟ ୧ରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବା ସହିତ ଏହି ନୂଆ ଅନୁଭବ ଆଣି ଦେବ। ଭିତରକନିକା ଜାତୀୟ ଉଦ୍ୟାନକୁ ସ୍ଥଳପଥରେ ପ୍ରବେଶ ପଥ ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ ବନବିଭାଗ ପକ୍ଷରୁ ସ୍କାଏ ୱାକ ନିର୍ମାଣ କରାଯାଇଛି। ମ୍ୟାନଗ୍ରୁଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ ଅଧିକ ସଂଖ୍ୟାରେ ହରିଣ ଭିଡ ଜମାଉଥିବା ପଡିଆ ଯାଏଁ ପାଖାପାଖି ୬୦୦ ମିଟର ଲମ୍ବ ପର୍ଯ୍ୟନ୍ତ ନିର୍ମାଣ ହୋଇଛି।

ଦୁଇପଟରେ ଗଛ ଓ ମଝିରେ ସ୍କାଏ ୱାକ ନିର୍ମାଣ ହୋଇଥିବାରୁ ଗଛ ଉପରେ ଚାଲିବାର ନିଆରା ଅନୁଭୂତି ପଯ୍ୟଟକ ସାଉଁଟିବେ। ସମ୍ପୂର୍ଣ୍ଣ ଭାବେ କାଠରେ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ଜଙ୍ଗଲ ଭିତର ଦୃଶ୍ୟ ଏଥିରୁ ଦେଖିବାକୁ ମିଳିବ। ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଏହି ସ୍କାଏ ୱାକ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବର୍ଷା ଋତୁରେ ହଜାର ହଜାର ସଂଖ୍ୟାରେ ପକ୍ଷୀ ବସା ବାନ୍ଧି ଅଣ୍ତା ଦେଇଛନ୍ତି। ମଇ ୧ ରୁ ଜୁଲାଇ ୩୧ ଯାଏଁ ୩ ମାସ ଧରି କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe