ନୂଆଗାଁ : ଭୁବନେଶ୍ବରରୁ ଫୁଲବାଣୀ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନୂଆଗାଁ ପଞ୍ଚୁପାଣ୍ତବ ନିକଟରେ ଓଲଟି ପଡ଼ିଛି। ବସ୍ରେ ଥିବା ୫୦ ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଯାତ୍ରୀ ୨ ଘଣ୍ଟା କାଳ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ଦୀର୍ଘ ସମୟ ପରେ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀମାନେ ଦୁଇ ଜଣଙ୍କୁ ଗାଡ଼ି ଭିତରୁ ଉଦ୍ଧାର ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଗାଡ଼ିର ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।
ଘଟଣାରୁ ପ୍ରକାଶ, ଭୁବନେଶ୍ବରରୁ ଫୁଲବାଣୀ ଯାଉଥିବା ଫ୍ରେଣ୍ତ୍ସ ନାମକ ଯାତ୍ରୀବାହୀ ବସ୍ ନୂଆଗାଁରେ ପହଞ୍ଚିବା ପୂର୍ବରୁ ପଞ୍ଚୁପାଣ୍ତବ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିଟି ଅତି ଦ୍ରୁତ ଗତିରେ ଆସି ଏକ ବିଦ୍ୟୁତ୍ ଖୁଣ୍ଟ ଓ ଜାମୁଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ୫୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଗାଡ଼ି ଭିତରୁ ଯାତ୍ରୀମାନଙ୍କୁ ବାହାରିବାକୁ ଦୀର୍ଘ ସମୟ ଲାଗିଥିଲା। ନୂଆଗାଁ, ଦଶପଲ୍ଲା ଓ ନୟାଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ବସ୍ରୁ ଯେତିକି ବି ଯାତ୍ରୀ ବାହାରକୁ ବାହାରୁଥିଲେ ସମସ୍ତଙ୍କୁ ମହିପୁର ଓ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା। ବସ୍ର ଡ୍ରାଇଭର ପାଖରେ ବସିଥିବା ଇଟାମାଟି ଥାନା ପଣ୍ତୁସର ଗ୍ରାମର ପ୍ରଭାତ କୁମାର ମିଶ୍ର ଓ ନୂଆଗାଁ ଭେଟପଲ୍ଲୀ ଗ୍ରାମର ସୌଭାଗ୍ୟ ଯାନୀ ୨ ଘଣ୍ଟା କାଳ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ନୂଆଗାଁ ପୁଲିସ ବସ୍ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଭେଟପଲ୍ଲୀ ଗ୍ରାମର ସୌଭାଗ୍ୟ ଯାନୀଙ୍କ ପରିବାର ଲୋକେ ନୂଆଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ ଏକ ମାମଲା ରୁଜୁ କରିଛି।
Follow Us