ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଲେ ୧୫ ଓଏଫ୍‌ଏସ୍‌ ଅଧିକାରୀ

Advertisment

ନିଜ ବିଭାଗରେ ରହିଲେ ୧୦, ୫ ଅଧିକାରୀଙ୍କ ଅଦଳବଦଳ

ନିଜ ବିଭାଗରେ ରହିଲେ ୧୦, ୫ ଅଧିକାରୀଙ୍କ ଅଦଳବଦଳ

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

telegraphindia.com

ଭୁବନେଶ୍ବର : ଓଡ଼ିଶା ଅର୍ଥ ସେବା (ଓଏଫ୍‌ଏସ୍‌)ର ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ପଦୋନ୍ନତି ପରେ ୧୦ ଜଣ ଅଧିକାରୀ ନିଜ ନିଜ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇବା ସହିତ ବାକି ୫ ଜଣଙ୍କର ବଦଳି କରାଯାଇଛି। ଏ ନେଇ ଆଜି ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ଗଣଶିକ୍ଷା ବିଭାଗରେ ଯୁଗ୍ମ ଶାସନ ସଚିବ ତଥା ଏଫ୍‌ଏ ଭାବେ କାର୍ଯ୍ୟରତ ରତିକାନ୍ତ ମହାପାତ୍ର ପଦୋନ୍ନତି ପାଇବା ପରେ ସେହି ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ଆକାଉଣ୍ଟ୍‌ସ୍‌ ଅଫିସର (ସିଏଓ) ଥିବା ଶୁଭେନ୍ଦୁ ସୁବର୍ଣ୍ଣେଶ୍ବର ରାୟ ହାଇକୋର୍ଟର ସିଏଓ ଭାବେ କାର୍ଯ୍ୟ କରିବେ। ଓରେରାର ବିତ୍ତ ବିଭାଗ ଯୁଗ୍ମ ଶାସନ ସଚିବ ଥିବା ନଗେନ୍ଦ୍ର ପଟ୍ଟନାୟକ ପଦୋନ୍ନତି ପରେ ସେହିଠାରେ ଅତିରିକ୍ତ ଶାସନ ଭାବେ ଦାୟିତ୍ବ ତୁଲାଇବେ। ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ପଛୁଆ ବର୍ଗ ବିଭାଗରେ ଏଫଏ ଭାବେ କାର୍ଯ୍ୟରତ ଜୟଶ୍ରୀ ତ୍ରିପାଠୀ, କଟକ ରେଭେନ୍‌ସା ବିଶ୍ବବିଦ୍ୟାଳୟର ବିତ୍ତ କମ୍ପ୍‌ଟ୍ରୋଲର ଥିବା ଜାହାଙ୍ଗିର ଖାଁ, ଗୃହ ବିଭାଗରେ ଯୁଗ୍ମ ଶାସନ ସଚିବ ତଥା ଏଫ୍‌ଏ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ସୁଆର, ଓଡ଼ିଶା ରାଜ୍ୟ ଔଷଧ ନିଗମରେ ବିତ୍ତ ମହାପ୍ରବନ୍ଧକ ଥିବା ମନୋରଞ୍ଜନ ନାୟକ, ଜଳ ସମ୍ପଦ ବିଭାଗର ଏଫଏ ତଥା ଯୁଗ୍ମ ଶାସନ ସଚିବ ମାନସି ଦାଶ, ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ସ୍ମିତା ରାଉତ, ଓୟୁଏଟିର ବିତ୍ତ କମ୍ପଟ୍ରୋଲର ଥିବା ମନୁନାଥ ସେଠୀଙ୍କୁ ପଦୋନ୍ନତି ଦିଆଯିବା ପରେ ସେହି ସମାନ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏମାନଙ୍କ ବ୍ୟତୀତ କଟକ ଜାଇକା ପ୍ରକଳ୍ପର ବିତ୍ତ ଅଧିକାରୀ ଥିବା ବିଜୟ କୁମାର ମଙ୍ଗରାଜଙ୍କୁ ପଦୋନ୍ନତି ପରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି) ଲିମିଟେଡ଼ର ବିତ୍ତ ମହାପ୍ରବନ୍ଧକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଓଏସ୍‌ଆଇସି ଲିମିଟେଡ୍‌ର ବିତ୍ତ ମହାପ୍ରବନ୍ଧକ ଥିବା ଶୁଭଶ୍ରୀ ନାୟକଙ୍କୁ କଟକ ସ୍ଥିତ ରେଞ୍ଜ-୨ ବାଣିଜ୍ୟ କର କାର୍ଯ୍ୟାଳୟରେ ଅତିରିକ୍ତ କମିସନର ଭାବେ ନିଯୁକ୍ତ କରାଯାଇଛି। ବାଣିଜ୍ୟ କର ଓ ଜିଏସ୍‌ଟି କମିସନରଙ୍କ କାର୍ଯ୍ୟାଳୟରେ ଯୁଗ୍ମ କମିସନର ଥିବା ଜୟଶ୍ରୀ ଖୁଣ୍ଟିଆଙ୍କୁ ପୁରୀ ବାଣିଜ୍ୟ କର ଓ ଜିଏସ୍‌ଟି କାର୍ଯ୍ୟାଳୟର ଅତିରିକ୍ତ କମିସନର ଭାବେ ଅବସ୍ଥାପିତ କରାଯାଇଛି। ସହିପରି ବାଣିଜ୍ୟ କର କମିସନରଙ୍କ କାର୍ଯ୍ୟାଳୟରେ ଯୁଗ୍ମ କମିସନର ଥିବା ସଞ୍ଜୁକ୍ତା ଗନ୍ତାୟତଙ୍କୁ ଭୁବନେଶ୍ବର ଜିଏସ୍‌ଟି କାର୍ଯ୍ୟାଳୟର ଅତିରିକ୍ତ କମିସନର (ଅପିଲ୍‌) ଭାବେ ଦାୟିତ୍ବ ମିଳିଛି। ଯାଜପୁର ଜିଲ୍ଲା ଟ୍ରେଜେରି ଅଫିସରେ ଟ୍ରେଜେରି ଅଫିସର ଥିବା ଅରକ୍ଷିତ ବେହେରାଙ୍କୁ ପଦୋନ୍ନତି ପରେ ଭୁବନେଶ୍ବର ସ୍ଥିତ କଣ୍ଟ୍ରୋଲର ଅଫ୍‌ ଆକାଉଣ୍ଟ୍‌ସ କାର୍ଯ୍ୟାଳୟରେ ଅତିରିକ୍ତ କଣ୍ଟ୍ରୋଲର ଅଫ୍‌ ଆକାଉଣ୍ଟ୍‌ସ୍‌ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe