ଶହେରେ ୧୫ ଜଣ ରକ୍ତଜନିତ ରୋଗାକ୍ରାନ୍ତ: ୨.୨% ବୟସ୍କ ଓ ୮.୫% ନାବାଳକ ଅଛନ୍ତି

ରକ୍ତହୀନତା, ଥାଲାସେମିଆ, ସିକିଲସେଲ୍‍ ଆନେମିଆ, ହେମୋଫିଲିଆ, ରକ୍ତକର୍କଟ ଭଳି ରକ୍ତ ସମ୍ପର୍କିତ ରୋଗ ସାରା ଦେଶକୁ ପ୍ରଭାବିତ କରୁଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଲୋକ ସିକିଲସେଲ୍‍ ରୋଗରେ ଆକ୍ରାନ୍ତ ଅଛନ୍ତି।

blood

ଭୁବନେଶ୍ୱର: ରକ୍ତହୀନତା, ଥାଲାସେମିଆ, ସିକିଲସେଲ୍‍ ଆନେମିଆ, ହେମୋଫିଲିଆ, ରକ୍ତକର୍କଟ ଭଳି ରକ୍ତ ସମ୍ପର୍କିତ ରୋଗ ସାରା ଦେଶକୁ ପ୍ରଭାବିତ କରୁଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଲୋକ ସିକିଲସେଲ୍‍ ରୋଗରେ ଆକ୍ରାନ୍ତ ଅଛନ୍ତି। ଜନସଂଖ୍ୟାର ୨.୨% ବୟସ୍କ ଓ ୮.୫% ନାବାଳକ ଏଥିରେ ଆକ୍ରାନ୍ତ ହୋଇଥିବା ଜାତୀୟ ‌ସିକିଲ୍‌ସେଲ୍‌ ନିରାକରଣ କାର୍ଯ୍ୟକ୍ରମ ସମୟରେ ରେକର୍ଡ ହୋଇଛି। ଥାଲାସେମିଆ ଓ ଏଚ୍‍ବି ଇ ଭଳି ଅନ୍ୟ ରୋଗକୁ ମିଶାଇଲେ ଓଡ଼ିଶା ଜନସଂଖ୍ୟାର ୧୫% ରକ୍ତଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି। ଏହାଦ୍ବାରା ରାଜ୍ୟ ଉପରେ ବିପୁଳ ପରିମାଣର ସାମାଜିକ-ଅର୍ଥନୈତିକ ବୋଝ ପଡ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି।

ଓଡ଼ିଶା ହେମାଟୋଲୋଜିର ଅର୍ଗାନାଇଜିଂ ଚେୟାରପର୍ସନ୍‌ ପ୍ରଫେସର ଆର୍‌ କେ ଜେନାଙ୍କ ସୂଚନା ଅନୁଯାୟୀ ହେମାଟୋଲୋଜି କ୍ଷେତ୍ରରେ ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟ ସରକାର ଏସ୍‌ସିବିରେ ଏକ ପୂର୍ଣ୍ଣାଙ୍ଗ ବୋନ୍‍ ମ୍ୟାରୋ ପ୍ରତିରୋପଣ ସ୍ଥାପନ କରିଛନ୍ତି, ଯାହାକି ଭାରତରେ ବିଏମ୍‍ଟି ଯୋଗାଇବାରେ ଏକମାତ୍ର ସରକାରୀ ହସ୍ପିଟାଲ। ଆଜି ସୁଦ୍ଧା ୧୮୦ଜଣ ରକ୍ତ କର୍କଟ ରୋଗୀ ସଫଳତାର ସହିତ ମାଗଣା ବିଏମ୍‍ଟି ସେବା ପାଇଛନ୍ତି। ଓଡ଼ିଶାରେ ଆଇଏମଏସ୍‌ ଆଣ୍ଡ୍‌ ସମ୍‍ ହସ୍ପିଟାଲ ଅନ୍ୟ ଏକ ସେଣ୍ଟର, ଯାହା ବିଏମ୍‍ଟି ସେବା ଯୋଗାଉଛି। ଏଠାରେ ପୂର୍ଣ୍ଣାଙ୍ଗ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗ ରହିଛି। ଏମସ୍‍ ଭୁବନେଶ୍ୱର, କିମ୍‌ସ, ବାଗଚୀ କ୍ୟାନସର ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲ ମଧ୍ୟ ବିଏମ୍‍ଟି ସେବା ସହିତ ପୂର୍ଣ୍ଣାଙ୍ଗ ହେମାଟୋଲୋଜି, ଅଙ୍କୋଲୋଜି ବିଭାଗର ସେବା ଯୋଗାଉଛି।

୨.୨% ବୟସ୍କ ଓ ୮.୫% ନାବାଳକ ଅଛନ୍ତି
ପିଜିଆଇଏମ୍‍ଇଆର, ଏମ୍‌କେସିଜିରେ ଖୋଲିବ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗ

ଓଡ଼ିଶା ସରକାର ବୁର୍ଲା ଭିମ୍‍ସାରରେ ଏକ ପୂର୍ଣ୍ଣାଙ୍ଗ କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗ ଖୋଲିଛନ୍ତି। ଆଗକୁ ଭୁବନେଶ୍ବରସ୍ଥିତ ପିଜିଆଇଏମ୍‍ଇଆର ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ସମେତ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଏହା ଖୋଲିବାର ଯୋଜନା ରହିଛି। ଥାଲାସେମିଆ, ସିକିଲସେଲ୍‍ ଓ ହେମୋଫିଲିଆ ପାଇଁ ରକ୍ତ ଯୋଗାଣ ମାଗଣା ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ‘ଓଡ଼ିଶା ସିକିଲ୍‌ସେଲ୍‍ ଡିଜିଜ୍‌ ଆଣ୍ଡ୍‌ ଥାଲାସେମିଆ କଣ୍ଟ୍ରୋଲ ପ୍ରୋଗ୍ରାମ’ କାର୍ଯ୍ୟକାରୀ ହୋଇଛି, ଯାହାକି ଦେଶରେ ପ୍ରଥମ। କଟକ, ଭୁବନେଶ୍ୱର, ବୁର୍ଲା ଓ ବ୍ରହ୍ମପୁର ସମେତ ଅନେକ ସ୍ଥାନରେ ଡେ’ କେୟାର ସେଣ୍ଟରରେ ଥାଲାସେମିଆ, ସିକିଲସେଲ୍‍, ହେମୋଫିଲିଆ ଓ ରକ୍ତ କର୍କଟ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ରକ୍ତ କର୍କଟ ଓ ଅନ୍ୟାନ୍ୟ ରକ୍ତଜନିତ ରୋଗଗୁଡ଼ିକ ପାଇଁ ସମସ୍ତ ରୋଗୀଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡିକ ଦ୍ୱାରା ବ୍ୟୟବହୁଳ ଔଷଧ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଥିବା ପ୍ରଫେସର ଜେନା କହିଛନ୍ତି।

ଏକ ଆକଳନରୁ ଜଣାଯାଇଛି ଯେ ଭାରତ ଜନସଂଖ୍ୟାର ୫୦% ବଂଶଗତ, ଗୁଣସୂତ୍ରଠାରୁ ନେଇ ଅପପୁଷ୍ଟି ଓ ଅନ୍ୟାନ୍ୟ ଅଭାବରୁ ଯେ କୌଣସି ପ୍ରକାର ରକ୍ତହୀନତାର ଶିକାର ହେଉଛନ୍ତି। ଏହାବ୍ୟତୀତ ହେମୋଫିଲିଆ ଓ ରକ୍ତକର୍କଟ ଭଳି ଅନ୍ୟାନ୍ୟ ରକ୍ତଜନିତ ରୋଗ ଦେଶର ଏହି ଭାଗରେ ସାଧାରଣ ଘଟଣା ହୋଇଥିବା ଆପୋଲୋ ହସ୍ପିଟାଲର ହେମାଟୋଲୋଜିଷ୍ଟ କନ୍‌ସଲ୍‌ଟାଣ୍ଟ ପ୍ରୀତିଶ ଚନ୍ଦ୍ର ପାତ୍ର କହିଛନ୍ତି। ଏହାର ମୁକାବିଲା ପାଇଁ ଅକ୍ଟୋବର ୧୧ ଓ ୧୨ ତାରିଖରେ ଓଡ଼ିଶା ହେମାଟୋଲୋଜିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ରୋଗ ନିରୂପଣ ଓ ଚିକିତ୍ସା କ୍ଷେତ୍ରରେ ପ୍ରଗତି, ଡାକ୍ତରଙ୍କୁ ସାମ୍ପ୍ରତିକ ଘଟଣାଗୁଡ଼ିକ ପରିପ୍ରେକ୍ଷୀରେ ପୁନଃପ୍ରସ୍ତୁତ କରିବା ସମ୍ପର୍କିତ ଚିନ୍ତାଧାରା ସହ ଜ୍ଞାନର ବିନିମୟ କରାଯିବ। ପୂର୍ବ ଭାରତରୁ ୩୦୦ରୁ ଅଧିକ ଡାକ୍ତରଙ୍କ ସହ ବେଙ୍ଗାଲୁରୁ, ମୁମ୍ବାଇ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଞ୍ଚି, ଭିଲାଇ, ପାଟନା, ରାୟପୁର, ଦିଲ୍ଲୀ, ଉତ୍ତର-ପୂର୍ବାଞ୍ଚଳ, ବିହାର ପରି ଦେଶର ବିଭିନ୍ନ ଭାଗରୁ ୩୫ଜଣ ଜାତୀୟସ୍ତରର ଫାକଲ୍‍ଟି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ପ୍ରଫେସର ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe