ବିବାଦରେ ଆଇଆରସିଟିସି : ରାଜଧାନୀ ଏକ୍ସପ୍ରେସ୍‌ରେ ଖାଦ୍ୟ ଖାଇ ୧୫ ଅସୁସ୍ଥ

Advertisment
ବିବାଦରେ ଆଇଆରସିଟିସି : ରାଜଧାନୀ ଏକ୍ସପ୍ରେସ୍‌ରେ ଖାଦ୍ୟ ଖାଇ ୧୫ ଅସୁସ୍ଥ

The Brahmastra

ଭୁବନେଶ୍ୱର : ରେଳଯାତ୍ରୀଙ୍କୁ ସ୍ବାସ୍ଥ୍ୟକର ତଥା ସୁସ୍ବାଦୁ ଖାଦ୍ୟ ଯୋଗାଇବା ପାଇଁ ଠିକା ନେଇଥିବା ଆଇଆରସିଟିସି ବିବାଦକୁ ଆସିଛି। ଏହି ସଂସ୍ଥା ଯୋଗାଉଥିବା ଖାଦ୍ୟ ଖାଇ ୧୫ ଜଣ ରେଳଯାତ୍ରୀ ଅସୁସ୍ଥ ହୋଇଛନ୍ତି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଏହି ଅଘଟଣ ଘଟିଛି। ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଯାତ୍ରୀଙ୍କୁ ବାଟରେ ଓହ୍ଲାଇ ହସ୍‌‌ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀ ଏହି ସଂସ୍ଥା ଦ୍ବାରା ଯୋଗା ଯାଇଥିବା ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖବର ପାଇବା ପରେ ଆଇଆରସିଟିସି ପକ୍ଷରୁ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଖାଦ୍ୟ ବିଷାକ୍ତ ହୋଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆରସିଟିସିର ପୂର୍ବାଞ୍ଚଳ ଜୋନ୍‌ ସିଜିଏମ୍‌ ଦେବାଶିଷ ଚନ୍ଦ୍ରା କହିଛନ୍ତି।

ସୂଚନା ମୁତାବକ, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗତକାଲି ରାତିରେ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ଏଥିରେ ଦିଲ୍ଲୀ ଯାଉଥିବା ବିଦିଶା ଦାସ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେ ଝାଡ଼ାବାନ୍ତିର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗୋମୋ ଷ୍ଟେସନରେ ଓହ୍ଲାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହାପରେ ଅନ୍ୟ ୧୪ଜଣ ଏଭଳି ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ବୋକାରୋ ଷ୍ଟେସନରେ ଓହ୍ଲାଇ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ଏନେଇ ବିଦିଶା ଲିଖିତ ଭାବେ ଅଭିଯୋଗ କରିବା ପରେ ସଂସ୍ଥାର ନିଦ ଭାଙ୍ଗିଥିଲା। କେତେକ ବରିଷ୍ଠ ଅଧିକାରୀ ଗୋମୋ ଓ ବୋକାରୋ ଷ୍ଟେସନରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏହା ପରେ ପୂର୍ବାଞ୍ଚଳ ମୁଖ୍ୟ ମହାପ୍ରବନ୍ଧକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ସମସ୍ତ ଯାତ୍ରୀ ସୁସ୍ଥ ହୋଇଥିବା ଆଇଆରସିଟିସି ପକ୍ଷରୁ କୁହାଯାଇଛି। ଆଗକୁ ଖାଦ୍ୟର ଗୁଣବତ୍ତା ନେଇ ସ୍ବତନ୍ତ୍ର ଦୃ‌ଷ୍ଟି ରଖିବାକୁ ବିଭାଗ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe