ଗଞ୍ଜାମରେ ଡେଙ୍ଗୁ ପଜିଟିଭ୍‌ ୧୫୦ ଛୁଇଁଲା

Advertisment
ଚିକିତ୍ସାଳୟରୁ ଡେଙ୍ଗୁ ମଶା ଘଉଡ଼ାଇବାକୁ ହେବ ସ୍ବତନ୍ତ୍ର ଯୋଜନା

Sambad

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ବର ଡେଇଁ ଚାଲିଛି। ଏବେ ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ୧୫୦ ଛୁଇଁ ସାରିଲାଣି। ଯାହାକି ଏବେ ଚିନ୍ତାର କାରଣ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ରୋଗ ସମ୍ପର୍କରେ ସଚେତନ କରାଯାଉଛି। କିନ୍ତୁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡେଙ୍ଗୁ ମଶା ସୃଷ୍ଟି ହୋଇ ତାହା ରୋଗର କାରଣ ସାଜୁଛି।

ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ସେଠାରେ ଡେଙ୍ଗୁ ମଶା ସୃଷ୍ଟି ହୋଇଥାଏ। ସେହି ମଶା କାମୁଡ଼ିବା ଫଳରେ ଲୋକେ ଡେଙ୍ଗୁରେ ପୀଡ଼ିତ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲାରେ ଯେଉଁ ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ସେଠାକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ସ୍କ୍ରିନିଂ କରିବା ସହିତ ପରିବେଶ ସଫାସୁତରା ରଖିବା ପାଇଁ ଲୋକଙ୍କୁ ସଚେତନ କରୁଛି। ଗଞ୍ଜାମ ଜିଲ୍ଲାରେ ଗତକାଲି ସୁଦ୍ଧା ଡେଙ୍ଗୁ ପଜିଟିଭ୍‌ ୧୪୯ ରହିଥିଲା। ଆଜି କୁକୁଡ଼ାଖଣ୍ଡି ଅଞ୍ଚଳରୁ ଜଣେ ରୋଗୀ ଚିହ୍ନଟ ହେବା ପରେ ପଜିଟିଭ୍‌ ୧୫୦ ହୋଇଛି। ଜିଲ୍ଲାରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ‌ରୋଗୀଙ୍କ ମଧ୍ୟରୁ ୯୨ଜଣ ବାହାର ଜିଲ୍ଲା ଓ ରାଜ୍ୟରୁ ଆକ୍ରାନ୍ତ ହୋଇ ଆସିଥିବା ସ୍ବାସ୍ଥ୍ୟ ବିଭାଗର ରେକର୍ଡ଼ରୁ ଜଣାପଡ଼ିଛି। ଜିଲ୍ଲାରେ ପ୍ରାୟ ୩ହଜାର ୮୪୦ ନମୁନା ପରୀକ୍ଷା ହୋଇ ସାରିଲାଣି।

ଗଞ୍ଜାମ ଜିଲ୍ଲାରେ ଗତବର୍ଷ ୧୬୧ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୨୦୨୧ରେ ଜିଲ୍ଲାରୁ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe