ସରକାରଙ୍କ ଅପପୁଷ୍ଟି ଚିନ୍ତା : ଅପହଞ୍ଚ ଅଞ୍ଚଳରେ ଖୋଲିବ ୧୫୦ଟି ମଡେଲ କ୍ରେଚ୍‌

Advertisment
ସରକାରଙ୍କ ଅପପୁଷ୍ଟି ଚିନ୍ତା : ଅପହଞ୍ଚ ଅଞ୍ଚଳରେ ଖୋଲିବ ୧୫୦ଟି ମଡେଲ କ୍ରେଚ୍‌

photo by : fuckpix.club

୭.୫ଲକ୍ଷ ପରିବାରରେ ନ୍ୟୁଟ୍ରିସନ୍‌ ବଗିଚା

ଭୁବନେଶ୍ୱର : ରାଜ୍ୟର ୫ଟି ଜିଲ୍ଲାରେ ୧୫୦ଟି ମଡେଲ କ୍ରେଚ୍‌ ଖୋଲିବ। ୬ମାସରୁ ୩ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି କ୍ରେଚ୍‌ରେ ରଖାଯିବା ସହିତ ସେମାନଙ୍କ ପୁଷ୍ଟିଜନିତ ସମସ୍ୟାର ସମାଧାନ କରାଯିବ। ବିଶେଷକରି ଆଦିବାସୀ ବହୁଳ ଓ ଅପହଞ୍ଚ ଅଞ୍ଚଳରେ ଏହି କ୍ରେଚ୍‌ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ମଡେଲ କ୍ରେଚ୍‌ ସଫଳ ହେଲେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଏହାକୁ ଖୋଲାଯିବ ବୋଲି ଜଣାପଡ଼ିଛି। ଏହି କ୍ରେଚ୍‌ରେ ଶିଶୁମାନଙ୍କ ପୁଷ୍ଟିଜନିତ ସମସ୍ୟାର ଉପଯୁକ୍ତ ଯତ୍ନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ପୁଷ୍ଟି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଅଜୀମ୍‌ ପ୍ରେମ୍‌ଜୀ ଫିଲାନ୍ଥ୍ରୋପିକ୍‌ ଇନିସିଏଟିଭ୍‌(ଏପିପିଆଇ) ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ୧୦ଟି ବିଭାଗ ଏକାଠି କାର୍ଯ୍ୟ କରୁଛି। ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଖାଦ୍ୟ ଯୋଗାଣ, ଏସ୍‌ସି/ଏସ୍‌ଟି ଉନ୍ନୟନ, ପଶୁସଂପଦ, କୃଷି ଓ କ୍ରୀଡ଼ା ଓ ଯୁବ ବିକାଶ ବିଭାଗ କାର୍ଯ୍ୟ କରୁଛି। ଏଥିରେ ଓଡ଼ିଶା ମଲ୍‌ଟି ସେକ୍ଟର ନ୍ୟୁଟ୍ରିସିନ୍‌ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ତଦାରଖ ଓ ଯୋଜନା ପାଇଁ ନ୍ୟୁଟ୍ରିସନ୍‌ ସେକ୍ରେଟାରିଏଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ରାଜ୍ୟରେ ପୁଷ୍ଟିଜନିତ ସମସ୍ୟାର କିଭଳି ବିକାଶ ହେବ ଏଥିପାଇଁ ଏପିପିଆଇ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ମାତୃ/ଶିଶୁ ମୃତ୍ୟୁହାର ୨୦୦୫/୦୬ ତୁଳନାରେ ୨୦୧୫/୧୬କୁ ୪୦ପ୍ରତିଶତକୁ ଖସିଆସଛି। ସେହିପରି ସ୍ୱାସ୍ଥ୍ୟାନୁଷ୍ଠାନରେ ପ୍ରସବ ଓ ସ୍ତନ୍ୟପାନ ଭଳି କ୍ଷେତ୍ରରେ ବିକାଶ ହୋଇଛି। ଜାତୀୟ ହାରଠାରୁ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ତେବେ ଓ୍ଵଷ୍ଟିଂ ବା ଅତି ଦୁର୍ବଳତା ଓ ୬ମାସ ପରେ ଶିଶୁମାନଙ୍କୁ ଦିଆଯିବାକୁ ଥିବା ଘରୋଇ ଖାଦ୍ୟ ପ୍ରଦାନରେ ଆଖିଦୃଶିଆ ପରିବର୍ତନ ଆସିନାହିଁ। ତେଣୁ ଏହି ଦୁଇ କ୍ଷେତ୍ରରେ କିଭଳି ଅଧିକ ଉନ୍ନତି ହେବ ତାହା ଉପରେ ନିକଟରେ ହୋଇଥିବା ବୈଠକରେ ଗୁରୁତ୍ୱ ଦିଆଯାଇଛି।

କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୧୩ଟି ଆଦିବାସୀ ବହୁଳ ଅଞ୍ଚଳରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ପାଇଁ କୈଶୋର ସ୍ୱାସ୍ଥ୍ୟ କ୍ୟାମ୍ପ୍‌ ଆୟୋଜିତ ହେବ। ଏଥିରେ ଛାତ୍ରଛାତ୍ରୀଙ୍କ ନିୟମିତ ସ୍ୱାସ୍ଥ୍ୟର ଯାଞ୍ଚ କରାଯିବା ସହିତ ଆନେମିଆର ଶିକାର ହୋଇଥିବା ପିଲାଙ୍କୁ ଟ୍ରାକିଂ କରାଯିବାକୁ ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ। ଆସନ୍ତା ୩ବର୍ଷ ମଧ୍ୟରେ ୯ଶହ ଆଦିବାସୀ ଆବାସିକ ବିଦ୍ୟାଳୟରେ ୨ଲକ୍ଷ କିଶୋର କିଶୋରୀଙ୍କୁ ଏଥିପାଇଁ ଟାର୍ଗେଟ୍‌ ରଖାଯାଇଥିବା ଜଣାପଡ଼ିଛି।

ସେହିପରି ଜୀବିକା ମିସନ ରାଜ୍ୟର ୧୦୭ଟି ବ୍ଲକ୍‌ରେ କାର୍ଯ୍ୟ କରୁଥିବା ବେଳେ ଏହାର ଅଧୀନରେ ୨.୫ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ୧୦୭ ବ୍ଲକ୍‌ ଅଧୀନରେ ଥିବା ୭.୫ଲକ୍ଷ ପରିବାରଙ୍କ ଘରେ ନ୍ୟୁଟ୍ରିସନ୍‌ ବଗିଚା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ସଂପର୍କରେ ସଚେତନ କରାଯିବା ସହିତ ଶିଶୁର ବିକାଶ ପାଇଁ କେଉଁ କେଉଁ ପ୍ରକାର ଖାଦ୍ୟ ପ୍ରଦାନ କରିବେ ତାହା ଉପରେ ସଚେତନ କରାଯିବ। ଏହାସହ ଘରେ କୁକୁଡ଼ା ପାଳନ ଉପରେ ମଧ୍ୟ ତାଲିମ ଦିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe