Hotel Photograph: (Sambad.in)
ନୂଆଦିଲ୍ଲୀ: ପର୍ଯ୍ୟଟନ ନୀତିରେ ରାଜ୍ୟ ସରକାର ଆଣିଥିବା ସଂସ୍କାରକୁ ଭାରତୀୟ ହୋଟେଲ ସଂଘ (ଏଚ୍ଏଆଇ) ସ୍ବାଗତ କରିଛି। ଏହାର ପ୍ରଭାବରେ ଘରୋଇ ନିବେଶ ବଢ଼ିବ। ୨୦୩୬ ସୁଦ୍ଧା ରାଜ୍ୟରେ ୧୫ହଜାର ନୂଆ ହୋଟେଲ କୋଠରି ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ ଆକଳନ କରାଯାଇଛି। ହୋଟେଲ୍ ସଂଘର ମହାସଚିବ ଏମ୍ ପି ବେଜବରୁଆ କହିଛନ୍ତି ଯେ ଓଡ଼ିଶାର ସଂଶୋଧିତ ପର୍ଯ୍ୟଟନ ନୀତିରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ସାମିଲ କରାଯାଇଥିବା ଅନେକ ପ୍ରସ୍ତାବ ଉପରେ ଆମେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା କରିଥିଲୁ। ପର୍ଯ୍ୟଟନ ସହ ଆଦିବାସୀ ଅନ୍ତର୍ଭୁକ୍ତୀକରଣ, ନିଯୁକ୍ତି ସୃଷ୍ଟି, ଗୋଷ୍ଠୀ ବିକାଶ ଓ ନୀତିକୁ ଯୋଡ଼ାଯାଇଥିବାରୁ ତାହା ରାଜ୍ୟରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରକୁ ସୁଦୃଢ଼ କରିବ। ଆମ ରାଜ୍ୟ ଶାଖାର ଅଧ୍ୟକ୍ଷ ସମ୍ପାଦକ ଡକ୍ଟର ଜେ କେ ମହାନ୍ତି ନିୟମିତ ଭାବେ ଯୋଗାଯୋଗରେ ରହି ସକାରାତ୍ମକ ପରିବର୍ତ୍ତନ ଆଣିପାରିଛନ୍ତି ବୋଲି ସେ କହିଛନ୍ତି।
ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି ୨୦୨୬ରେ ପୁଞ୍ଜିନିବେଶ ଓ ସମ୍ପ୍ରସାରଣ ନିୟମର ସରଳୀକରଣ କରାଯାଇଛି। ତିନି ତାରକା ଓ ତାଠାରୁ ଉନ୍ନତ ମାନର ହୋଟେଲ୍ ପାଇଁ ସର୍ବନିମ୍ନ କୋଠରି ଆବଶ୍ୟକତାକୁ ହ୍ରାସ କରାଯାଇଛି। ସମ୍ପ୍ରସାରଣ ଗାଇଡଲାଇନ୍କୁ କୋହଳ କରାଯାଇଥିବାରୁ ତାହା ଉଭୟ ନୂଆ ଓ ପୁରୁଣା ନିବେଶକଙ୍କୁ ସୁହାଇବ ବୋଲି ସେ କହିଛନ୍ତି। ଏହି ସଂସ୍କାର ଦ୍ବାରା ନୂତନ ପୁଞ୍ଜିନିବେଶ ଆସିବ, ଭିତ୍ତିଭୂମିରେ ଉନ୍ନତି ହେବ ଏବଂ ରାଜ୍ୟରେ ରହଣୀ କ୍ଷମତା ବୃଦ୍ଧି ପାଇବ। ସଂଶୋଧିତ ନୀତିରେ ଐତିହ୍ୟ, ପରିବେଶ ମିତବ୍ୟୟୀ ଓ ଅନୁଭୂତି ଆଧାରିତ ପର୍ଯ୍ୟଟନ ପାଇଁ ସ୍ବତନ୍ତ୍ର ଜୋନ ଓ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଯାନ ଗମନାଗମନ, ସଂଗ୍ରହାଳୟ ଓ ଏମ୍ଆଇସିଇ କ୍ଷେତ୍ରକୁ ଯୋଡ଼ାଯାଇଥିବାରୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେଉଥିବା ସଂଘ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ବର୍ତ୍ତମାନ ୪୮ହଜାରରୁ ଅଧିକ ହୋଟେଲ କୋଠରି ରହିଛି। ଅଧିକାଂଶ ତାରକା ହୋଟେଲ ଭୁବନେଶ୍ବର, ପୁରୀ ଓ କଟକରେ ରହିଛି। ରାଜ୍ୟରେ ୫୫ଟି ନୂଆ ହୋଟେଲ୍ ଖୋଲିବାକୁ ଯାଉଛି। ସେହି ହୋଟେଲ୍ଗୁଡ଼ିକ ପୁରୀ, ଭୁବନେଶ୍ବର ବ୍ୟତୀତ କୋରାପୁଟ, କେନ୍ଦୁଝର, କନ୍ଧମାଳ ଓ ଗଞ୍ଜାମ ଭଳି ଜିଲ୍ଲାରେ ଖୋଲିବ। ୱାର୍ଲଡ୍ ଅଫ୍ ହାୟାତ, ଆଇଟିସି ହୋଟେଲ୍, ଅଲ୍ ଆକର୍, ରାଡିସନ୍ ହୋଟେଲ୍ସ ଭଳି ଖ୍ୟାତନାମା ହୋଟେଲ୍ ବ୍ରାଣ୍ଡ୍ ଓଡ଼ିଶାରେ ସେମାନଙ୍କ ନୂଆ ହୋଟେଲ ସ୍ଥାପନ କରୁଛନ୍ତି।
Follow Us