ବିରୋଧ: ଜିଲ୍ଲାରେ ଧାନ ସଂଗ୍ରହ, ଭୁବନେଶ୍ୱରରେ ନିଷ୍ପତ୍ତି:୧୫ରୁ ସମ୍ବଲପୁର, ୨୩ରୁ କୁଚିଣ୍ଡା ଓ ୨୭ରୁ ରେଢ଼ାଖୋଲରୁ ଉଠିବ

ବିରୋଧ: ଜିଲ୍ଲାରେ ଧାନ ସଂଗ୍ରହ, ଭୁବନେଶ୍ୱରରେ ନିଷ୍ପତ୍ତି:୧୫ରୁ ସମ୍ବଲପୁର, ୨୩ରୁ କୁଚିଣ୍ଡା ଓ ୨୭ରୁ ରେଢ଼ାଖୋଲରୁ ଉଠିବ

ସମ୍ବଲପୁର: ଜିଲ୍ଲାରେ ଧାନ ସଂଗ୍ରହ, ଭୁବନେଶ୍ୱରରେ ନିଷ୍ପତ୍ତି। ଧାନ ସଂଗ୍ରହ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏ ନେଇ ସ୍ୱର ଉତ୍ତୋଳନ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ସମ୍ବଲପୁର, ୨୩ ତାରିଖରୁ କୁଚିଣ୍ଡା, ୨୭ ତାରିଖରୁ ରେଢାଖୋଲରେ ଖରିଫ ଧାନ ସଂଗ୍ରହ ଆରମ୍ଭ ନେଇ ନିଷ୍ପତ୍ତି ନିଆଯାଇଛି। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ହେବ। ସାହାସପୁର ଧାନ ବିକ୍ରି ଦୁର୍ନୀତିରେ ଆଜି ପର୍ଯ୍ୟନ୍ତ ମୁଖ୍ୟ ଖଳନାୟକ କାହିଁକି ଧରା ପଡ଼ି ନାହିଁ ଏ ନେଇ ସଙ୍ଗଠନ ପ୍ରଶ୍ନ ଉଠାଇବା ସହିତ ଚଳିତ ବର୍ଷ ମିଛ ଧାନ ବିକ୍ରି ବୃଦ୍ଧି ନେଇ ଆଶଙ୍କା କରାଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଧାନ ସଂଗ୍ରହ ରଣନୀତି ନେଇ ଅସନ୍ତୋଷ ପ୍ରକାଶ କରାଯାଇ ଥିଲା। ଚାଷୀ ନେତୃବୃନ୍ଦ କହିଥିଲେ, ସମ୍ବଲପୁର, ମାଲକାନଗିରି ଏବଂ ପୁରୀର ଫସଲ ଏବଂ ଧାନ ସଂଗ୍ରହ ବ୍ୟବସ୍ଥା ସମାନ ନଥିବାବେଳେ କାହିଁକି ଭୁବନେଶ୍ୱରରେ ଗୋଟିଏ ବୈଠକରେ କାହିଁକି ରଣନୀତି ପ୍ରସ୍ତୁତ କରାଯାଉଛି।

ପ୍ରଥମ ଜିଲ୍ଲା ସ୍ତରରେ ଧାନ ସଂଗ୍ରହ ନୀତି କରାଯିବା ପରିବର୍ତ୍ତେ ଭୁବନେଶ୍ୱରରୁ କରାଯାଇ, ତୃଣମୂଳ ସ୍ତରରେ ଲଦି ଦିଆଯାଉଛି। ସଙ୍ଗଠନ କହିଛି, ୨୦୧୪ ମସିହାରେ ମନ୍ତ୍ରୀ ସଂଜୟ ଦାସବର୍ମା ଯୋଗାଣ ମନ୍ତ୍ରୀ ହେବା ପରେ ଧାନ ସଂଗ୍ରହ ନେଇ ଉତ୍ତରାଞ୍ଚଳ ରାଜସ୍ୱ କମିସନର ସ୍ତରୀୟ ପ୍ରଥମ ବୈଠକ ହେଲା। ଏଥିରେ ଚାଷୀମାନଙ୍କୁ ସାମିଲ କରାଗଲା। ଏହାପରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ ବୈଠକରେ ମଧ୍ୟ ପ୍ରତ୍ୟେକ ଜିଲ୍ଲାର ଚାଷୀ ପ୍ରତିନିଧି ରହୁଥିଲେ। ମାତ୍ର ଚଳିତ ବର୍ଷ ଧାନ ସଂଗ୍ରହ ବୈଠକରେ କୌଣସି ଚାଷୀଙ୍କୁ ସାମିଲ କରାଯାଉ ନାହିଁ। ଚାଷୀଙ୍କ ଦାବିକୁ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ରେଙ୍ଗାଲି ବିଧାୟକ ରମେଶ ପଟୁଆ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ଚାଷୀଙ୍କୁ ଶାନ୍ତ କରିପାରିନଥିଲା। ମାତ୍ର ବିଧାୟକ ବାରମ୍ବାର ଗୋଟିଏ ପ୍ରକାର ପ୍ରତିଶ୍ରୁତି ଦେଉଥିବା କହିଥିଲେ। ଧାନ ବିକ୍ରି ବେଳେ ପରିବାରରେ ବ୍ୟକ୍ତି ପିଛା ୩ କ୍ୱିଣ୍ଟାଲ ଲେଖାଏଁ ଧାନ କାଟି ବିକ୍ରି କରିବାକୁ ପ୍ରଶାସନିକ ନିର୍ଦେଶକୁ ମଧ୍ୟ ଚାଷୀମାନେ ବିରୋଧ କରିଥିଲେ। ଚାଷୀ ନିଜ ଉତ୍ପାଦିତ ଧାନକୁ ଖାଦ୍ୟ ପାଇଁ ବ୍ୟବହାର କରିବ କିମ୍ବା ବିକ୍ରି କରିବା ଏହା ଚାଷୀର ନିଜସ୍ୱ ନିଷ୍ପତ୍ତି ବୋଲି କୁହାଯାଇ ଥିଲା। ଚଳିତ ବର୍ଷ ଛତିଶଗଡ଼ ସରକାର ଚାଷୀଙ୍କୁ ବୋନସ ଦେଉଛନ୍ତି।

ବେଆଇନ ଧାନ କାରବାର ବୃଦ୍ଧିର ଆଶଙ୍କା ରହିଛି। ପ୍ୟାକ୍ସ, ମଣ୍ଡିକୁ ଧାନ ନେଇ ଯାଉଥିବାବେଳେ ଟ୍ରକଗୁଡ଼ିକୁ କ୍ଷମତାପ୍ରାପ୍ତ ଅଧିକାରୀମାନେ ଅଚାନକ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଧାନ କିଣା ପ୍ରକ୍ରିୟାରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ, ମାର୍କଫେଡ଼, ଟିଡିସିସି ଭାଗ ନେବେ। ଆଭ୍ୟନ୍ତରୀଣ ଅଞ୍ଚଳରେ ଧାନ ବିକ୍ରି ନେଇ ସମସ୍ୟା ସୃଷ୍ଟି ହେଉଥିବା ଉଭୟ ଚାଷୀ ସଙ୍ଗଠନ ଏବଂ ଜିଲ୍ଲାପାଳ କହିଥିଲେ। ଏଠାରେ ଅନେକ ଦିନ ଧରି ମଣ୍ଡିରେ ଧାନ ପଡ଼ି ରହୁଥିଲେ ମଧ୍ୟ ମିଲ ମାଲିକ ଧାନ ଉଠାନ୍ତି ନାହିଁ। ଆରଡିସି ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ମିଲ ମାଲିକ ମଣ୍ଡିରୁ ଧାନ ଉଠାଇବାକୁ ବାଧ୍ୟ। କୌଣସି ମିଲ ମାଲିକ ଖିଲାଫି କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଥିଲେ। ବୈଠକରେ ରେଢାଖୋଲ, କୁଚିଣ୍ଡା ବିଧାୟକ ଅନୁପସ୍ଥିତ ଥିବାବେଳେ କେବଳ ରେଙ୍ଗାଲି ବିଧାୟକ ରମେଶ ପଟୁଆ ଆଲୋଚନାରେ ଭାଗ ନେଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଏସଓ ପୀତାମ୍ବର ଆଚାର୍ଯ୍ୟ, ଉପଜିଲ୍ଲାପାଳ ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ମଞ୍ଚାସୀନ ଥିଲେ। ଚାଷୀ ଏବଂ ମିଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe