ରାଜ୍ୟର ୧୫୭ ପ୍ୟାକ୍ସରେ ତାଲା ପକାଇବାକୁ ନିର୍ଦ୍ଦେଶ

ବଲାଙ୍ଗୀରରେ ସର୍ବାଧିକ ୬୦, ଗଞ୍ଜାମର ୩୨, କଟକରେ ୧୭, ସୋନପୁର ୧୨, ଯାଜପୁରର ୯ ପ୍ୟାକ୍ସ ବନ୍ଦ ହେବ

ବରଗଡ଼ ପ୍ରଶାସନ ଧାନରେ ଫେଲ, ଧନୁରେ ବି !

ଯାଜପୁର : ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ଗୁଡ଼ିକ ଚାଷ ଓ ଚାଷୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ଗଠନ ହୋଇଥିଲା। ଏବେ ଅଧିକାଂଶ ପ୍ୟାକ୍ସ ଚାଷୀ ଶୋଷଣର କେନ୍ଦ୍ର ପାଲଟିଛି। ଚାଷୀଙ୍କ ଧାନ କିଣାବିକା, ଋଣ, ବିହନ, ସାର ଇତ୍ୟାଦି କାରବାରରେ ବ୍ୟାପକ ହେରଫେର୍ ଚାଲିଛି। ପ୍ୟାକ୍ସଗୁଡିକ ଦୁର୍ନୀତର ଗନ୍ତାଘରରେ ପରିଣତ ହୋଇଛି। ଏଭଳି ସ୍ଥିତିରେ ଆଜି ସମବାୟ ସମିତି ନିବନ୍ଧକ(ଆରସିଏସ) ରାଜ୍ୟର ୧୫୭ଟି ପ୍ୟାକ୍ସକୁ ତୁରନ୍ତ ବନ୍ଦ କରିବାକୁ ଡିଆରସିଏସ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିମଧ୍ୟରେ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ୬୦ଟି ପ୍ୟାକ୍ସ ବନ୍ଦ କରିବାକୁ ଚିହ୍ନଟ କରାଯାଇଛି । ସେହିପରି; ଗଞ୍ଜାମର ୩୨ଟି, କଟକର ୧୭ଟି, ସୋନପୁରର ୧୨ଟି, ଯାଜପୁରର ୯ଟି, ପୁରୀର ୫ଟି, କେନ୍ଦ୍ରାପଡ଼ାର ୩ଟି, କଳାହାଣ୍ଡି ୩ଟି, ଅନୁଗୁଳର ୨ଟି, ଢେଙ୍କାନାଳର ୨ଟି, ନୟାଗଡ଼, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ଗୋଟିଏ ଲେଖାଏଁ ପ୍ୟାକ୍ସ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ୟାକ୍ସଗୁଡ଼ିକରେ ଏବେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବନ୍ଦ ପାଇଁ ନୋଟିସ ବିଭିନ୍ନ ମହଲର ଆଲୋଡ଼ନ ଖେଳାଇ ଦେଇଛି।

ଋଣ ଆଦାୟରେ ବିଫଳତା ପାଇଁ ବୈଦ୍ୟନାଥ କମିଟି ରିପୋର୍ଟକୁ ଭିତ୍ତିକରି ରାଜ୍ୟର ୧୬୨ଟି ପ୍ୟାକ୍ସକୁ ବନ୍ଦ କରିବା ପାଇଁ ଗତ ୨୦୧୪ରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ତଥାପି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉନାହିଁ। ଏଥିନେଇ ଆଜି ଆରସିଏସ୍‌ କାର୍ଯ୍ୟାଳୟର ଡିଆରସିଏସ(କ୍ରେଡିଟ୍) ଚିଠି ନମ୍ବର ୯୦୫୭ରେ ତାଗିଦ୍‌ କରିଛନ୍ତି। ସମୁଦାୟ ୧୬୨ଟି ପ୍ୟାକ୍ସ ମଧ୍ୟରୁ ‌ଗୋଟିଏ ପ୍ୟାକ୍ସ ବନ୍ଦ ହୋଇଯାଇଥିବା ବେଳେ ୪ଟିକୁ ଅନ୍ୟ ପ୍ୟାକ୍ସ ସହ ମିଶାଇ ଦିଆଯାଇଛି। ଅବଶିଷ୍ଟ ୧୫୭ପ୍ୟାକ୍ସ ବନ୍ଦ କରିବାକୁ ଡିଭିଜନ୍‌ର ଡିଆରସିଏସ୍‌ମାନଙ୍କୁ ଜରୁରୀ ଚିଠି ଲେଖିଛନ୍ତି। ଯାଜପୁର ଜିଲ୍ଲାର ‌ନୋଟିସ ହୋଇଥିବା ୯ଟି ପ୍ୟାକ୍ସ ମଧ୍ୟରେ ବୋଧେଇ, ତିର୍ତ୍ତୋଲ, ମାନତୀରା, ଖରିଆ, କଣ୍ଟିଗଡିଆ, ଯଖପୁରା, ରଣଗୁଣ୍ଡି, ରାଣୀପଡ଼ା ଓ ରାସୋଳ ଚିହ୍ନଟ କରାଯାଇଛି। ତେବେ, ସରକାରୀ ନିର୍ଦ୍ଦେଶ ଗତ ୮ବର୍ଷ ହେଲା କାର୍ଯ୍ୟକାରୀ କରାନଯାଇ ପକାଇ ରଖାଯାଇଥିବା ବେଳେ ଏବେ ନିର୍ବାଚିତ ହୋଇଥିବା ପ୍ରଭାବଶାଳୀ ନୂତନ କର୍ମକର୍ତ୍ତାମାନେ ଏହି ନିଷ୍ପତ୍ତିକୁ କେତେ ଦୂର କାର୍ଯ୍ୟକାରୀ କରିବାକୁ ଦେଉଛନ୍ତି! ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe