'କମିସନ ତଦନ୍ତ ରିପୋର୍ଟ ସାର୍ବଜନୀନ ହେଉ, ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଧରାଯାଉ'

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ

'କମିସନ ତଦନ୍ତ ରିପୋର୍ଟ ସାର୍ବଜନୀନ ହେଉ, ସ୍ବାମୀଜୀଙ୍କ ହତ୍ୟାକାରୀଙ୍କୁ ଧରାଯାଉ'

ଫୁଲବାଣୀ: ୨୦୦୮ ଅଗଷ୍ଟ ୨୩ ତାରିଖରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ପରେ କନ୍ଧମାଳ ଜିଲ୍ଲାରେ ଦେଖା ଦେଇଥିବା ଦଙ୍ଗା ପରିସ୍ଥିତିର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ତଦନ୍ତ କମିସନ ରିପୋର୍ଟକୁ ଆଜି ପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଉ ନାହିଁ ବୋଲି ବିଶ୍ବହିନ୍ଦୁ ପରିଷଦ ପ୍ରଶ୍ନ କରିଛି। ଜଣେ ୮୦ ବର୍ଷୀୟ ସନ୍ଥଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ହେଲେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ରାଜ୍ୟ ତଥା ଦେଶବାସୀ ତାହା ଜାଣିବାକୁ ଚାହିଁ ବସିଥିବା ବେଳେ ସରକାର ଜାଣିଶୁଣି ତଦନ୍ତ ରିପୋର୍ଟକୁ ଚାପି ଦେଇଛନ୍ତି। ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ବିଶ୍ବହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସଭାପତି ତଥା ଅବସରପ୍ରାପ୍ତ କୁଳପତି ଡ.ପ୍ରଫୁଲ୍ଲ କୁମାର ମିଶ୍ର।

ବୁଧବାର ଫୁଲବାଣୀ ସହରର ଗାନ୍ଧି ସ୍ମୃତିଭବନରେ ଆୟୋଜିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ.ମିଶ୍ର ରାଜ୍ୟ ସରକାର ନିଜର ଛଦ୍ମ ଧର୍ମନିରପେକ୍ଷ ଭାବମୂର୍ତ୍ତି ଦେଖାଇବାର ଛଳନା କରୁଛନ୍ତି ବୋଲି ସିଧାସଳଖ ଆରୋପ ଲଗାଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି ଡ.ମିଶ୍ର ଚେତାବନୀ ଦେଇଛନ୍ତି। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶ୍ବହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗଦର୍ଶକମଣ୍ଡଳୀ ସଦସ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରୀ ଦାବି କରିଥିଲେ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଧରାଯାଉ।

ଅନ୍ୟତମ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦର ପୂର୍ବପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତଚନ୍ଦ୍ର ପ୍ରଧାନ, ବିଶ୍ବହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି କାମଦେବ ପ୍ରଧାନ, ବିଶ୍ବହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା ସମ୍ପାଦକ ରବି ନାରାୟଣ ପାତ୍ର, ବିଶ୍ବହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ ସହ ସମ୍ପାଦକ ପ୍ରିୟନାଥ ଶର୍ମା, ବିଶ୍ବହିନ୍ଦୁ ପରିଷଦ କନ୍ଧମାଳ ଜିଲ୍ଲା ମଠ ମନ୍ଦିର ପୁରୋହିତ ପ୍ରମୁଖ ମନୋଜ ଆଚାର୍ଯ୍ୟ, ସଂଘ ଚାଳକ ରମେଶଚନ୍ଦ୍ର ସାହୁ, ପ୍ରିୟରଞ୍ଜନ ଚୌଧୁରୀ ଓ ସହ ସଂଘ ଚାଳକ ଲକ୍ଷ୍ମୀକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe