ସାଟେଲାଇଲ ସର୍ଭେ ପରେ ମାଲକାନଗିରି ଜିଲ୍ଲାରେ ୧୬,୪୮୨ ଚାଷୀ ଫେକ

ଫେକ୍‌ ଜମି ଦେଖାଇ ନିଜର ନାମ ପଞ୍ଜୀକରଣ କରିଥିବା ଭୂତଚାଷୀଙ୍କୁ ସାଟେଲାଇଟ ସର୍ଭେ ଧରାପକାଇଲା। ଜିଲ୍ଲାରେ ଦଲାଲମାନେ ସକ୍ରିୟ ହୋଇ ପ୍ରତିବର୍ଷ ଏଭଳି ଫେକ ଜମି ଦେଖାଇ ନିଜ ନାମ ପଞ୍ଜୀକରଣ କରି ମଣ୍ଡିରେ ଧାନ ବିକ୍ରି କରୁଥିଲେ।

ମାଲକାନଗିରି: ଜିଲ୍ଲାରେ ଧରାପଡିଲେ ଭୁତ ଚାଷୀ। ଫେକ୍‌ ଜମି ଦେଖାଇ ନିଜର ନାମ ପଞ୍ଜୀକରଣ କରିଥିବା ଭୂତଚାଷୀଙ୍କୁ ସାଟେଲାଇଟ ସର୍ଭେ ଧରାପକାଇଲା। ଜିଲ୍ଲାରେ ଦଲାଲମାନେ ସକ୍ରିୟ ହୋଇ ପ୍ରତିବର୍ଷ ଏଭଳି ଫେକ ଜମି ଦେଖାଇ ନିଜ ନାମ ପଞ୍ଜୀକରଣ କରି ମଣ୍ଡିରେ ଧାନ ବିକ୍ରି କରୁଥିଲେ। ଜିଲ୍ଲାରେ ଚଳିତ ୨୦୨୪-୨୫ ଖରିଫ ମଣ୍ଡି ଆସନ୍ତା ଡିସେମ୍ବର ୧୬ ତାରିଖରୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା ହୋଇଛି।

ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିଲେ। ପ୍ରଥମେ ୩୮୨୫୭ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୭୫୯ ଜଣ ଚାଷୀ ବିଭିନ୍ନ କାରଣରୁ କଟିଥିଲେ। ମୋଟ ୩୭,୪୯୮ ଜଣ ଚାଷୀ ରହିଥିଲେ। ଏଥିରୁ ପୁଣି ସାଟେଲାଇଟ ସର୍ଭେ ପରେ ଜିଲ୍ଲାରେ ୧୬,୪୮୨ ଜଣ ଫେକ ଚାଷୀ ବାହାରିଛନ୍ତି। ଜିଲ୍ଲାର ବଣ୍ଡା ଲ୍ୟାମ୍ପସରେ ୨୩୫ ଜଣ ଫେକ ଚାଷୀ ବାହାରିଥିବା ବେଳେ କୋରକୋଣ୍ଡା ଲ୍ୟାମ୍ପସ ଅଧିନରେ ୨୦୨୨ ଜଣ,କାଲିମେଳା ଲ୍ୟାମ୍ପସ ଅଧିନରେ ୩୪୫୪ ଜଣ, କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ଅଧିନରେ ୧୪୭୮ ଜଣ, ମାଲକାନଗିରି ଲ୍ୟାମ୍ପସ ଅଧିନରେ ୧୪୭୮ ଜଣ, ମାଥିଲି ଲ୍ୟାମ୍ପସ ଅଧିନରେ ୧୮୮୫ ଜଣ, ପଡିଆ ଲ୍ୟାମ୍ପସ ଅଧିନରେ ୨୫୬୫ ଜଣ, ସିଖପାଲୀ ଲ୍ୟାମ୍ପସ ଅଧିନରେ ୧୨୯୨ ଜଣ,ଜୟ ମା‘ କାଳୀ ସ୍ବୟଂ ସହାୟକ ଗୋଷ୍ଠୀ ଅଧିନରେ ୪୨୪ ଜଣ, ମାଳତୀ ସ୍ବୟଂ ସହାୟକ ଗୋଷ୍ଠୀ ଅଧିନରେ ୩୦୦ ଜଣ, ଓମ୍ ଶାନ୍ତିମାତା ସ୍ବୟଂ ସହାୟକ ଗୋଷ୍ଠୀ ଅଧିନରେ ୪୮୯ ଜଣ, ଶିବପାର୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ଅଧିନରେ ୫୦୭ ଜଣ ଏବଂ ସିରଡି ସାଇ ସ୍ବୟଂ ସହାୟକ ଗୋଷ୍ଠୀ ଅଧିନରେ ୨୮୯ ଜଣ ଚାଷୀ ସାଟେଲାଇଟ ସର୍ଭେରେ ଧରାପଡିଛନ୍ତି।

publive-image

୨୦୨୪-୨୫ ଖରିଫ ଧାନ କ୍ରୟ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ସଧାରଣ ଧାନ ପାଇଁ ୨୩୦୦ ଟଙ୍କା ଓ ଗ୍ରେଡ଼ ଏ ପାଇଁ ୨୩୨୦ ଟଙ୍କା କ୍ୱିଣ୍ଟାଲ ରଖାଯାଇଛି।ଏଥିସହ ୮୦୦ ଟଂକା ହିସାବରେ ଇନପୁଟ ସହାୟକ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଧାନ କ୍ରୟ ହେବା ପରେ ଚାଷୀମାନଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଭୁବନେଶ୍ୱର ଦ୍ବାରା ଅନଲାଇନରେ ସେମାନଙ୍କର ଏକାଉଣ୍ଟକୁ ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଟଙ୍କା ଜମା କରି ଦିଆଯିବ।

ଚଳିତ ବର୍ଷ  ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୨୩ ହଜାର କ୍ୱିଣ୍ଟାଲ ଖରିଫ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଜିଲ୍ଲାରେ ଧାନ କଟା ଏକ ପ୍ରକାର ସରିଥିବା ବେଳେ ଗାଁ ଗାଁରେ ଦଲାଲ ସକ୍ରିୟ ହୋଇଯାଇଛନ୍ତି। ମଣ୍ଡି ଖୋଲିବାକୁ ଆଉ ମାସେ ଥିବା ବେଳେ ଦଲାଲ ମଣ୍ଡି ପୂର୍ବରୁ ଧାନ ଛତିଶଗଡ଼ ଏବଂ ଆନ୍ଧ୍ରକୁ ପ୍ରତିଦିନ ଚାଲାଣ କରୁଛନ୍ତି। ଚାଷୀ କମ୍ ଦରରେ ଏହା ବିକ୍ରି କରୁଥିବା ବେଳେ ଦଲାଲ ମାଲାମାଲ ହେବେ। ବିଭାଗ ପକ୍ଷରୁ ସଚେତନତା କରାଗଲେ ଚାଷୀ ନିଜର ବର୍ଷ ଯାକର କଷ୍ଟର ଉଚିତ ମୂଲ୍ୟ ପାଇପାରିବେ ବୋଲି ଚାଷୀ ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe