ବରଗଡ଼ : ୧୭ଲକ୍ଷ ବସ୍ତା ଧାନ ମଣ୍ଡିରେ, ଉଡ଼ିଗଲା ଟୋକନ୍‌ ଅବଧି

Advertisment
ବରଗଡ଼ ଜିଲ୍ଲା ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ

ବରଗଡ଼ : ବରଗଡ଼ର ଚାଷୀ ସବୁ ଦିଗରୁ ହଇରାଣର ଶିକାର ହେଉଛନ୍ତି। ଧାନ ସଂଗ୍ରହ ପ୍ରକିୟା ଅନ୍ତିମ ପର୍ଯ୍ୟାୟରେ ରହିଛି। କିନ୍ତୁ କୌଣସି ସ୍ଥାନରେ ବ୍ୟବସ୍ଥିତ ଢଙ୍ଗରେ ଧାନ ଉଠୁନାହିଁ। ଜିଲ୍ଲାର ୨୦ହଜାର ଚାଷୀ ଏଯାଏ ଧାନ ବିକି ନାହାନ୍ତି। ଏପରିକି ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ମଧ୍ୟ ଟୋକନ୍‌ ମିଳିନାହିଁ। ଅଦିନିଆ ବର୍ଷା ଏବଂ କୋହଲା ପାଗ ଚାଷୀଙ୍କ ନିଦ ହଜାଇ ଦେଇଛି। ଏଭଳି ସ୍ଥିତିରେ ଧାନ କିଣା ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ କିଛି ବ୍ୟବସ୍ଥା ହୋଇନାହିଁ। ଲକ୍ଷଲକ୍ଷ ବସ୍ତା ଧାନ ମଣ୍ଡିରେ ଗଡ଼ୁଛି।

ସରକାରୀ ରେକର୍ଡରେ, କେବଳ ପଦ୍ମପୁର ଆର୍‌ଏମ୍‌ସି ଅଧିନରେ ଥିବା ମଣ୍ଡିରେ ୧୪,୭୧,୦୮୨ ବସ୍ତାରୁ ଅଧିକ ଧାନ ପଡ଼ି ରହିଛି। ସେହିପରି ବରଗଡ଼ ଆର୍‌ଏମ୍‌ସି ଅଧିନରେ ୩,୭୭,୯୪୦ ବସ୍ତା ଧାନ ପଡ଼ିଛି। ଅତାବିରା ଅଂଚଳରେ ୧୧,୯୧୭ ବସ୍ତା ଧାନ ବିକ୍ରି ହୋଇନାହିଁ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଜିଲ୍ଲାକୁ ୬୭ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ମିଳିଥିଲା। ଏହା ପୁଣି ବଢ଼ି ୬୯,୭୪,୯୯୯ କ୍ବିଣ୍ଟାଲରେ ପହଂଚିଛି। କିନ୍ତୁ ୨୦ହଜାର ଚାଷୀ ଏଯାଏ ଧାନ ବିକି ନାହାନ୍ତି। ଜିଲ୍ଲାରେ ୧.୩୧ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। କିନ୍ତୁ ଗୁରୁବାର ଯାଏ ୧,୧୧,୨୩୩ ଜଣ ଚାଷୀ ଧାନ ବିକିଛନ୍ତି। ଧାନ ବିକି ନଥିବା ତାଲିକାରେ ପଦ୍ମପୁର ଉପଖଣ୍ଡର ସିଂହଭାଗ ଚାଷୀ ରହିଛନ୍ତି।

ପଦ୍ମପୁରର ମଣ୍ଡି ଗୁଡ଼ିକରେ ବର୍ତମାନ ଯାଏ ୬୪,୦୫,୭୩୦ ବସ୍ତା ଧାନ ଆସିଛି। ଏଥିରୁ ୪୯,୩୪,୬୪୮ ବସ୍ତା ଉଠିଛି। ମଣ୍ଡିଗୁଡ଼ିକରେ ଅଚଳାବସ୍ଥା ଲାଗିଥିବାବେଳେ ନୂତନ ଭାବେ ଟୋକନ୍‌ ଜାରି ହେଉନଥିବା ଚାଷୀ ଅଭିଯୋଗ କରୁଛନ୍ତି। ଏପରିକି କିଛି ମିଲର୍ସଙ୍କୁ ଟ୍ୟାଗ୍‌ ମଧ୍ୟ ଦିଆଯାଉନାହିଁ। ତେଣୁ ମିଲର୍ସମାନେ ମଧ୍ୟ ଧାନ ଉଠାଇବା ମନ୍ଥର କରି ଦେଇଛନ୍ତି। ଏଥର ଜିଲ୍ଲାରେ ୧୧୨ଜଣ ମିଲର୍ସ ଧାନ କିଣା ପାଇଁ ଅନୁବନ୍ଧିତ ହୋଇଛନ୍ତି। ମିଲର୍ସଙ୍କୁ ଧାନ ଶିଘ୍ର ଉଠାଇବା ପାଇଁ ବ୍ୟବସ୍ଥା କରିବା ବଦଳରେ ବାହାର ଜିଲ୍ଳାରୁ ଧାନ କିଣିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ବରଗଡ଼ରେ ଧାନ ସଂଗ୍ରହ ମନ୍ଥର ଥିବାବେଳେ କେଉଁ ଆଧାରରେ ମିଲର୍ସଙ୍କୁ ବାହାର ଜିଲ୍ଲାରୁ ଧାନ କିଣିବାକୁ କୁହାଯାଉଛି। କିଛି ମିଲର୍ସ ନିଜ ଟାର୍ଗେଟ୍‌ ପୂରଣ କରିସାରିଲେଣି। ସେମାନଙ୍କୁ ଅତିରିକ୍ତ ଟାର୍ଗେଟ୍‌ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ କିଛି ପଦକ୍ଷେପ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe