୧୭୦ବର୍ଷ ତଳର ଅଭିଲେଖ ଚିହ୍ନଟ

ଦୟା-ରତ୍ନଚିରା ନଦୀ ଉପତ୍ୟକା ଅଞ୍ଚଳ‌ରେ ସର୍ବେକ୍ଷଣ ଅଭିଯାନ

୧୭୦ବର୍ଷ ତଳର ଅଭିଲେଖ ଚିହ୍ନଟ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ହରିରାଜପୁର ଗ୍ରାମସ୍ଥିତ ପଶ୍ଚିମ ସୋମନାଥ ମନ୍ଦିରରୁ ଗଜପତି ରାମଚନ୍ଦ୍ର ଦେବ-୩ଙ୍କ ସମୟର କାଠ‌ ଖୋଦେଇ ଅଭିଲେଖ ମିଳିଛି। ଇଣ୍ଡିଆନ୍‌ ନାସ୍‌ନାଲ ଟ୍ରଷ୍ଟ ଫର୍‌ ହେରିଟେଜ୍‌ ଆଣ୍ଡ କଲ୍‌ଚର (ଇନ୍‌ଟାକ) ପକ୍ଷରୁ ଦୟା-ରତ୍ନଚିରା ନଦୀ ଉପତ୍ୟକା ଅଞ୍ଚଳ‌ରେ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଅଭିଯାନରେ ୧୭୦ ବର୍ଷ ତଳର ଏହି ଅଭିଲେଖ ଚିହ୍ନଟ ହୋଇଛି। ମୁଖ୍ୟତଃ ତାମ୍ରଲେଖ ଓ ଶିଳାଲେଖ ଚିହ୍ନଟ ହେବା ଦେଖିବାକୁ ମିଳୁଥିବା ବେଳେ କାଠର ପ୍ରାଚୀନ ଖୋଦେଇ ଅଭିଲେଖ ମିଳିବା ବିରଳ ବୋଲି ପ୍ରତ୍ନତତ୍ତ୍ବବିତ୍‌ମାନେ କହିଛନ୍ତି।

ଗଜପତି ରାମଚନ୍ଦ୍ର ଦେବ ତୃତୀୟଙ୍କ ସମୟ‌ର: ଇନ୍‌ଟାକ୍‌

publive-image

ଏହି କାଠ ଖୋଦେଇ ଅଭିଲେଖ ମନ୍ଦିରର ମଣ୍ଡପ ନିର୍ମାଣରେ ବ୍ୟବହୃତ ହୋଇଛି। ସେଥିରେ ଓଡ଼ିଆରେ ରାମଚନ୍ଦ୍ର‌ ଦେବଙ୍କ ୪୪ ଅଙ୍କ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଇନ୍‌ଟାକର ପ୍ରକଳ୍ପ ସଂଯୋଜକ ଅନିଲ ଧୀର, ପ୍ରକଳ୍ପ ସହଯୋଗୀ ଦୀପକ କୁମାର ନାୟକ ଓ ବିକ୍ରମ ନାୟକ ପ୍ରମୁଖଙ୍କ ସର୍ବେକ୍ଷଣ ବେଳେ ଏହାକୁ ଚିହ୍ନଟ କରିଛନ୍ତି। ପ୍ରକଳ୍ପ ସହଯୋଗୀ ଦୀପକ ନାୟକଙ୍କ କହିବା ମୁତାବକ, ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ଭୋଇ ରାଜବଂଶର ରାଜଧାନୀ ଖୋର୍ଦ୍ଧା ଗଡ଼ ବେଶି ଦୂର ନୁହେଁ। ଐତିହାସିକ ଦିଗକୁ ତର୍ଜମା କଲେ ଭୋଇବଂଶରେ ୪ ଜଣ ରାମଚନ୍ଦ୍ର ଦେବ ଏହି ଅଞ୍ଚଳରେ ଶାସନ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ତୃତୀୟ ରାମଚନ୍ଦ୍ର ଦେବ ୪୪ ରାଜତ୍ବ ବର୍ଷ ତଥା ୪୪ ଅଙ୍କ ପର୍ଯ୍ୟନ୍ତ ଶାସନ କରିଥିଲେ। ଅନ୍ୟମାନେ ୪୨ ଅଙ୍କରୁ କମ୍‌ ବର୍ଷ ଶାସନ କରିଥିଲେ। ତେଣୁ ଗଜପତି ରାମଚନ୍ଦ୍ର ଦେବ ତୃତୀୟଙ୍କ ସମୟରେ ଏହି କାଠ ଖୋଦେଇ ଅଭିଲେଖ ମଣ୍ଡପ ପଶ୍ଚିମ ‌ସୋମନାଥ ମନ୍ଦିରରେ ନିର୍ମାଣ କରାଯାଇଥିଲା। ଐତିହାସିକ କେଦାରନାଥ ମହାପାତ୍ରଙ୍କ ଖୋର୍ଦ୍ଧା ଇତିହାସର ତଥ୍ୟ ମୁତାବକ ଗଜପତି ରାମଚନ୍ଦ୍ର ଦେବ ତୃତୀୟ ୧୮୧୭ରୁ ୧୮୫୪ ପର୍ଯ୍ୟନ୍ତ ଶାସନ କରିଥିଲେ। ତେଣୁ ଏହି କାଠ ଅଭିଲେଖଟି ୧୭୦ ବର୍ଷ ତଳର ବୋଲି ଅନୁମାନ କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।

ଇନ୍‌ଟାକର ପ୍ରକଳ୍ପ ସଂଯୋଜକ ଅନିଲ ଧୀର୍‌ କହିଛନ୍ତି, ୧୬୦୦ ଖ୍ରୀଷ୍ଟାବ୍ଦରେ ‌ଭୋଇ ବଂଶର ଗଜପତି ରାମଚନ୍ଦ୍ର ଦେବ ପ୍ରଥମଙ୍କ ଦ୍ବାରା ହରିରାଜପୁରସ୍ଥିତ ସୋମନାଥ ମହାଦେବ ମନ୍ଦିର ନିର୍ମାଣ ହୋଇଥିବା ବିଶ୍ବାସ କରାଯାଏ। ଏହାବ୍ୟତୀତ ମନ୍ଦିର ପରିପାର୍ଶ୍ବରେ ୧ହଜାର ଖ୍ରୀଷ୍ଟାବ୍ଦର ପ୍ରତ୍ନତାତ୍ତ୍ବିକ ଅବଶେଷ ଦେଖିବାକୁ ମିଳେ। ଏହା ଏହି ଆଧ୍ୟାତ୍ମିକ ସ୍ଥଳର ପ୍ରାଚୀନତାକୁ ପ୍ରମାଣିତ କରୁଛି। ସେଠାରୁ ମିଳିଥିବା କାଠ ଖୋଦେଇ ଅଭିଲେଖ ବିରଳ। ଆମେ ସାଧାରଣତଃ ଶିଳାଲେଖ କିମ୍ବା ତାମ୍ରଲେଖ ଦେଖିବାକୁ ପାଉ। କିନ୍ତୁ କାଠ ଅଭିଲେଖ ମିଳିବା ସ୍ବତନ୍ତ୍ର। ତେଣୁ ଏହି ପ୍ରାଚୀନ ଅଭିଲେଖକୁ ସଂରକ୍ଷିତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe