ସୁନ୍ଦରଗଡ ଜିଲ୍ଲାରେ ବିପଜ୍ଜନକ ସ୍ଥିତିରେ ଚାଲିଛି ୧୭୭ଟି କାରଖାନା

କାରଖାନାରେ ବ୍ୟବହୃତ ରାସାୟନିକ ପଦାର୍ଥର ପ୍ରସ୍ତୁତ ହେବ ଡାଟାବେସ୍

ସୁନ୍ଦରଗଡ ଜିଲ୍ଲାରେ ବିପଜ୍ଜନକ ସ୍ଥିତିରେ ଚାଲିଛି ୧୭୭ଟି କାରଖାନା

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ମୋଟ ୫୧୧ କାରଖାନା ପଞ୍ଜିକୃତ ହୋଇଛି। ୧୭୭ଟି କାରଖାନା ବିପଜ୍ଜନକ ସ୍ଥିତିରେ ଚାଲିଛି। ଏଥି ମଧ୍ୟରେ ୫ଟି ବଡଧରଣ ଦୁର୍ଘଟଣା ଆଶଙ୍କାଥିବା କାରଖାନା ରହିଛି। କୌଣସି ପରିସ୍ଥିତିରେ ସୁରକ୍ଷା ସହ ଖେଳି ହେବ ନାହିଁ। ଶିଳ୍ପାନୁଷ୍ଠାନର ସୁରକ୍ଷା ପ୍ରତି ସେମାନଙ୍କ ପରିଚାଳନା କର୍ତ୍ତୃପକ୍ଷ ସବୁଠାରୁ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଆଜି କାରଖାନା ଓ ବାଷ୍ପିତ ଉପ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଆପାତକାଳୀନ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ଗୁଗୁଲ୍ ମିଟ୍ରେ ଆୟୋଜିତ ବୈଠକରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏକ ଏମରଜେନ୍ସି ଭେହିକଲ୍ ରଖିବା କଥା ଦୋହରାଇଥିଲେ।

publive-image

ସୁନ୍ଦରଗଡ ଜିଲ୍ଲାରେ ବିଭନ୍ନ କଳ କାରଖାନାରେ ବ୍ୟବହୃତ ରାସାୟନିକ ପଦାର୍ଥ ନିମନ୍ତେ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ। ପେଟ୍ରୋଲ ପମ୍ପ ଏବଂ କେମିକାଲକୁ ଅଲଗା ଅଲଗା କରାଯାଇ, ତାହାର ସ୍ଥିତି, ତାହାର ତଥ୍ୟ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମତ ଦେଇଥିଲେ। ନିକଟ ଅତୀତରେ କାରଖାନା ଦୁର୍ଘଟଣା ନ ଘଟିବା ପାଇଁ ଶ୍ରମିକଙ୍କୁକ ତାଲିମ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ରାସାୟନିକ ଦୁର୍ଘଟଣା ପରିବର୍ତ୍ତୀ ପରିଚାଳନା ନିମନ୍ତେ ଏକ ୱାଟସ୍ ଆପ୍ ଗ୍ରୁପ୍ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇସ୍ପାତ କାରଖାନାର ସୁରକ୍ଷା ପରିଚାଳନା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ବିଦ୍ୟୁତ୍ ଶିଳ୍ପକେନ୍ଦ୍ର ଏନ୍ଏସ୍ପିସିଏଲ୍ ତଥା ଏନ୍ଟିପିସି ଦର୍ଲିପାଲି, ତରଳ ଅମ୍ଳଜାନ ଉତ୍ପାଦନକାରୀ ଲିଣ୍ଡେ ଇଣ୍ଡିଆ କାରଖାନା ମଧ୍ୟ ନିଜ ନିଜର ଜରୁରୀକାଳୀନ ପ୍ରସ୍ତୁତି ପ୍ରଦର୍ଶିତ କରିଥିଲେ।

ବିପଜ୍ଜନକ ସ୍ଥିତିରେ ଚାଲିଥିବା ଆଧୁନିକ ମେଟାଲିକ୍ସ, ଆଇଡିଏଲ୍ ଏକ୍ସପ୍ଲୋସିଭ୍, ଓସିଏଲ୍ ଡାଲମିଆ ସିମେଣ୍ଟ, ମହାବୀର ଫେରୋ ଆଲଏଜ, ଶ୍ରୀ ଗଣେଶ ମେଟାଲିକ୍ସ, ଜୟ ବାଲାଜି ଜ୍ୟୋତି ଷ୍ଟିଲ, ଆଇଏଫ୍ଜିଏଲ୍ ନିଜର ସୁରକ୍ଷା ଜନିତ ଖର୍ଚ୍ଚ ପରିମାଣ ବୃଦ୍ଧି କରିବାକୁ କହିଥିଲେ। କାରଖାନା ଓ ବାଷ୍ପିତ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ମିଶ୍ର ଦୁର୍ଘଟଣା ଆଶଙ୍କା ଥିବା କାରଖାନା ବାବଦରେ ସୂଚନା ଦେଇଥିଲେ। କାରଖାନା ଓ ବାଷ୍ପିତ ଉପ ନିର୍ଦ୍ଦେଶକ ବିଭୂ ପ୍ରସାଦ ଶିଳ୍ପାନୁଷ୍ଠାନ ବାହାରର ଆପତକାଳୀନସ୍ଥିତିର କିପରି ମୁକାବିଲା କରାଯାଇ ପାରିବ ସେ ସଂକ୍ରାନ୍ତରେ କହିଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ କୁନ୍ତିରାଣୀ ନାୟକ ଧନ୍ୟବାଦ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଓସ୍ଡମା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ସମେତ ଜିଲ୍ଳାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe