ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ପ୍ରାଣୀ ସଂଗ୍ରହାଳୟରୁ ୫ ପ୍ରଜାତିର ମୋଟ୍ ୧୮ଟି ପ୍ରାଣୀ ଆସି ପହଞ୍ଚିଛନ୍ତି। ସେଗୁଡ଼ିକ ଭିତରେ ଅଛନ୍ତି ବିରଳ କଳାରଙ୍ଗର ଏକ ବାଘୁଣୀ, ଗୋଟିଏ ସାଧାରଣ ନାଲିରଙ୍ଗର (ବିରଳ କଳାବାହକ) ବାଘୁଣୀ, ୪ଟି କଳାପଟା ଚିହ୍ନଥିବା ହେଟାବାଘ (୩ ମାଈ ଓ ୧ ଅଣ୍ଡିରା), ୨ଟି ଅଣ୍ତିରା ନୀଳଗାଈ ଓ ୧୦ଟି ଝିଙ୍କ (୫ମାଈ ଓ ୫ଅଣ୍ଡିରା)।
ପୂର୍ବରୁ ଉଭୟ ଚିଡ଼ିଆଖାନା ଭିତରେ ହୋଇଥିବା ପ୍ରାଣୀ ଆଦାନ-ପ୍ରଦାନ ଚୁକ୍ତି ମୁତାବକ ନନ୍ଦନକାନନରୁ ୭ ପ୍ରଜାତିର ମୋଟ୍ ୫୩ ପ୍ରାଣୀଙ୍କୁ ନେଇ ଗତ ୮ ତାରିଖରେ ନନ୍ଦନକାନନ ଜନ୍ତୁ ବିଭାଗ ରେଞ୍ଜ ଏସିଏଫ୍ ନୂତନ କୁମାର ହେମ୍ବରମଙ୍କ ତତ୍ତ୍ବାବଧାନରେ ଡା ସନ୍ତୋଷ ଗୁପ୍ତା, ବନରକ୍ଷୀ ଗାଲାଇ ମୁର୍ମୁ, ଜନ୍ତୁରକ୍ଷକ ପ୍ରଫୁଲ ବାଗ୍ ଓ ୩ ଜଣ ବାହ୍ୟ କର୍ମଚାରୀ ପ୍ରତାପ ମଣ୍ଡଳ, ଗଙ୍ଗାଧର ହାଂସଦା ଓ କାଳୁ ପୁର୍ତ୍ତିଙ୍କୁ ମିଶାଇ ଏକ ୯ ଜଣିଆ ଦଳ ରାଞ୍ଚି ଗସ୍ତ କରିଥିଲେ। ଏହି ଦଳ ବିର୍ସା ମୁଣ୍ଡା ପ୍ରାଣୀ ସଂଗ୍ରହାଳୟରେ ଗୋଟିଏ ଧଳାରଙ୍ଗର ବାଘୁଣୀ, ୪ଟି ଗୁରାଣ୍ଟି, ୪ଟି ଡାଳିଓଧ, ୨ଟି ଭାରତୀୟ କୋକିଶିଆଳି, ୨ଟି ଧୂସର ପୋଲିକାନ ପକ୍ଷୀ, ୨୦ଟି ଅନ୍ଧାର ବଗ ଓ ୨୦ଟି କଳାମୁଣ୍ଡିଆ ବଙ୍କାଥଣ୍ଟ ବଗଙ୍କୁ ମିଶାଇ ମୋଟ୍ ୫୩ ପ୍ରାଣୀ ହସ୍ତାନ୍ତର କରି ନନ୍ଦନକାନନକୁ ଆସିବାକୁ ଥିବା ପ୍ରାଣୀମାନଙ୍କୁ ସାଥିରେ ଧରି ଆଜି ପହଞ୍ଚିଛନ୍ତି। ଆସିଥିବା ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ଅଲଗା ଅଲଗା ଖୁଆଡ଼ରେ ଛଡାଯାଇଛି। ନୀଳଗାଈ ତରକା ଜୀବ ହୋଇଥିବାରୁ ଆସିବା ରାସ୍ତାରେ ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗି କ୍ଷତ ହୋଇଥିଲା। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପରେ ଛଡ଼ା ଯାଇଛି।
ସୂଚନାଯୋଗ୍ୟ ଯେ ନନ୍ଦନକାନନରେ ପୂର୍ବରୁ ୩ଟି ବିରଳ କଳାରଙ୍ଗର ମହାବଳ ବାଘ ଅଛନ୍ତି। ସେମାନଙ୍କ ସହିତ ରାଞ୍ଚିରୁ ଆସିଥିବା ବିରଳ କଳାରଙ୍ଗର ବାଘୁଣୀ ଓ ବିରଳ କଳାବାହକ ବାଘୁଣୀର ମିଳନ କରାଇ ସମ୍ପୂର୍ଣ୍ଣ କଳାରଙ୍ଗର ବାଘ ପ୍ରଜନନ କରାଇବାର ଯୋଜନା ରହିଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଓ ଓଡିଶା ସରକାର ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କ ପରାମର୍ଶକ୍ରମେ ନନ୍ଦନକାନନରେ ଜୀବନନ୍ତୁଙ୍କ ସମବଂଶଜ ମିଳନରୁ ଜନ୍ମପ୍ରଥାକୁ ରୋକିବା ଓ ବଂଶ ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରାଣୀ ଉଦ୍ୟାନ ଓ ଚିଡ଼ିଆଖାନା ସହିତ ଜୀବଜନ୍ତୁ ଅଦଳ ବଦଳ କାର୍ଯ୍ୟକ୍ରମ ଚାଲୁ ରହିଛି।
Follow Us