କୋଟିଏ ୮ଲକ୍ଷର ସାଇବର୍ ଠକେଇ, ୨ଗିରଫ: କ୍ରିକେଟ୍ ବେଟିଂ ଗ୍ୟାଙ୍ଗରେ ଓଡ଼ିଆ ଇଞ୍ଜିନିୟର

ଜାଲ୍ କ୍ରିକେଟ୍‌ ବେଟିଂ ଆପ୍ଲିକେସନ୍‌ରେ ଅର୍ଥ ନିବେଶ କରି ଯାଜପୁରର ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଗୋଷ୍ଠୀ ଦୁଇଗୁଣା ଅର୍ଥ ଫେରସ୍ତର ଲୋଭ ଦେଖାଇ ତାଙ୍କ ନିକଟରୁ ୧କୋଟି ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି।

dffhsafsh

କଟକ: ଜାଲ୍ କ୍ରିକେଟ୍‌ ବେଟିଂ ଆପ୍ଲିକେସନ୍‌ରେ ଅର୍ଥ ନିବେଶ କରି ଯାଜପୁରର ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଗୋଷ୍ଠୀ ଦୁଇଗୁଣା ଅର୍ଥ ଫେରସ୍ତର ଲୋଭ ଦେଖାଇ ତାଙ୍କ ନିକଟରୁ ୧କୋଟି ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏହି ଠକେଇରେ ଜଣେ ଓଡ଼ିଆ ଯୁବ ଇଞ୍ଜିନିୟର୍‌ ସାମିଲ ଅଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଦୁଇ ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା ରାୟପୁର ଅଞ୍ଚଳର ରୋହନ୍‌ ଓରଫ ସେକ୍ ୱାସ୍ୟୁଲ ଇସଲାମ(୨୯) ଓ ଭୁବନେଶ୍ୱର ଖାରବେଳନଗର ପ୍ରେସ୍ କଲୋନିର ଜ୍ୟୋତିପ୍ରକାଶ ପଲାଇ(୩୬)। ଦୁଇ ଠକ ଜାଲ୍ ବେଟିଂ ଆପ୍ଲିକେସନ୍ ପ୍ରସ୍ତୁତ କରି ଲୋକଙ୍କୁ ଠକୁଥିଲେ। ଅଭିଯୁକ୍ତ ଜ୍ୟୋତିପ୍ରକାଶ ଜଣେ ଡିପ୍ଲୋମା ଇଞ୍ଜିନିୟର୍‌। ପଢ଼ା ସରିବା ପରେ ସାଇବର୍ ଠକ ଗୋଷ୍ଠୀରେ ସାମିଲ ହୋଇଥିଲା। 

ଫସାଇଦେଲେ ସାଇବର୍ ଗ୍ୟାଙ୍ଗ୍

ଯାଜପୁର ଜିଲ୍ଲା କଳିଙ୍ଗନଗରର ଜଣେ ବ୍ୟବସାୟୀଙ୍କ ମୋବାଇଲ୍‌କୁ ୨୦୨୨ ଅଗଷ୍ଟରେ ଏକ ଲିଙ୍କ୍ ଆସିଥିଲା। ଉକ୍ତ ଲିଙ୍କ୍ ଖୋଲିବା ପରେ ଏକ ଅନ୍‌ଲାଇନ୍‌ କ୍ରିକେଟ୍ ବେଟିଂ ୱେବ୍‌ସାଇଟ୍ ଖୋଲିଥିଲା। ସେଥିରେ ଖେଳାଳି ଚୟନ କରିବା ସହିତ କ୍ରିକେଟ ଟିମ୍ କରି ଅର୍ଥନିବେଶ କଲେ ଦୁଇଗୁଣା ଫେରସ୍ତ ମିଳିବା ସମ୍ପର୍କରେ କୁହାଯାଇଥିଲା। ଟିମ୍‌ର ପ୍ରଦର୍ଶନକୁ ଆଧାର କରି ଅଧିକ ଲାଭ ମିଳିବ ବୋଲି ଦର୍ଶାଯାଇଥିଲା। ଅଭିଯୋଗକାରୀ ଉକ୍ତ ଆପ୍ଲିକେସନ୍‌ରେ ନିଜର ଏକ ଆଇଡି ଖୋଲି ପ୍ରଥମେ ୧ହଜାର ଟଙ୍କା ନିବେଶ କରିଥିଲେ। ନିବେଶ ପରେ ତାଙ୍କୁ ଦୁଇଗୁଣା ଅର୍ଥ ଫେରସ୍ତ ମିଳିଥିଲା। ଏହାପରେ ସେ ଆଉ ଏକ ଆପ୍ଲିକେସନ୍ ଇନଷ୍ଟଲ୍‌ କରି ଅନ୍‌ଲାଇନ୍‌ ବେଟିଂ ଆରମ୍ଭ କରିଥିଲେ। କିଛିମାସ ଯାଏଁ ତାଙ୍କୁ ୟୁପିଆଇ ମାଧ୍ୟମରେ ଫେରସ୍ତ ମିଳିବା ପରେ ଧୀରେ ଧୀରେ ତାହା ବନ୍ଦ ହେବାରେ ଲାଗିଥିଲା। ଅଧିକ ପରିମାଣର ଅର୍ଥ ନିବେଶ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ନିଜେ ନିବେଶ କରିବା ସହିତ ପତ୍ନୀ, ବନ୍ଧୁ ଓ କିଛି ସହକର୍ମୀଙ୍କ ମାଧ୍ୟମରେ ଅର୍ଥ ନିବେଶ କରିଥିଲେ। ୨୦୨୨ ଅଗଷ୍ଟରୁ ୨୦୨୫ ଜାନୁଆରି ଭିତରେ ୧କୋଟି ୮ ଲକ୍ଷ ୭୯ ହଜାର ୪୨୦ ଟଙ୍କା ନିବେଶ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ କୌଣସି ଅର୍ଥ ଫେରସ୍ତ ମିଳିଲା ନାହିଁ। ଅଢ଼େଇ ବର୍ଷ ପରେ ସେ ଏକ ବଡ଼ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଚଳିତମାସ ୧ ତାରିଖରେ କ୍ରାଇମ୍‌ବ୍ରାଞ୍ଚରେ ଏତଲା ଦେଇଥିଲେ। ସାଇବର୍‌ ସେଲ୍ ଏକ ମାମଲା ରୁଜୁ କରି ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ୱରେ ଟିମ୍ ତଦନ୍ତ ଆରମ୍ଭ କରିଥିଲା।

ୟୁପିଆଇ ଆଇଡିରେ ହୋଇଥିବା ଆର୍ଥିକ କାରବାରକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ଅଭିଯୁକ୍ତ ଦୁଇଜଣଙ୍କୁ ଚିହ୍ନଟ କରିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା। ଅଭିଯୁକ୍ତମାନେ ଜାଲ୍ ଗେମିଂ ଓ ବେଟିଂ ଆପ୍ଲିକେସନ୍ କରି ଫେସ୍‌ବୁକ୍‌, ଟେଲିଗ୍ରାମ୍‌ ଆଦି ସାମାଜିକ ଗଣମାଧ୍ୟମରେ ଲିଙ୍କ୍ ସେୟାର୍‌ କରୁଥିଲେ। ଉକ୍ତ ଲିଙ୍କ୍ ଖୋଲି ଆପ୍ଲିକେସନ୍ ଇନଷ୍ଟଲ୍‌ କରିବାକୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ। ଅଭିଯୁକ୍ତ ରୋହନ ପଶ୍ଚିମବଙ୍ଗରେ ସ୍ପୋର୍ଟସ୍‌ ଓ କାଜୁ ବ୍ୟବସାୟ କରୁଥିବା ବେଳେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ଜଣେ ଡିପ୍ଲୋମା ଇଞ୍ଜିନିୟର। ବର୍ତ୍ତମାନ ସେ ଏକ କନଷ୍ଟ୍ରକସନ୍‌ କମ୍ପାନିରେ ଚାକିରି କରୁଛନ୍ତି। ଏମାନଙ୍କ ନିକଟରୁ ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ମୋବାଇଲ୍‌, ଜିଏସ୍‌ଟି ପ୍ରମାଣପତ୍ର, ଆଧାର, ସିମ୍ ଓ ପାନ୍ କାର୍ଡ ଇତ୍ୟାଦି ଜବତ ହୋଇଛି। ଏହା ସହିତ ଏହି ଠକ ଗୋଷ୍ଠୀଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ବୁଧବାର ଉଭୟଙ୍କୁ କୋର୍ଟ ଚାଲାଣ ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe