ଦିମାପୁର ନିକଟରେ ଘାଟିରେ ଓଲଟିଲା ବସ୍‌, ଅଳ୍ପକେ ବର୍ତିଲା ଓଡ଼ିଶା ଜୁଡୋ ଦଳ, ୧୮ ଆହତ

Advertisment
ଦିମାପୁର ନିକଟରେ ଘାଟିରେ ଓଲଟିଲା ବସ୍‌, ଅଳ୍ପକେ ବର୍ତିଲା ଓଡ଼ିଶା ଜୁଡୋ ଦଳ, ୧୮ ଆହତ

ଭୁବନେଶ୍ବର : ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତିଯାଇଛି ଓଡ଼ିଶା ଜୁଡ଼ୋ ଦଳ। ଜାତୀୟ ପଦକ ଜିତିବାର ଖୁସିକୁ ୨୪ ଘଣ୍ଟା ନବିତୁଣୁ ଦୁଃଖ ଓ ଯନ୍ତ୍ରଣାସିକ୍ତ ହୋଇପଡ଼ିଛି ସମଗ୍ର ଓଡ଼ିଶା ଦଳ। ମଣିପୁରର ଇମ୍ଫାଲରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଜାତୀୟ ଉପକନି‌ଷ୍ଠ ଓ କ୍ୟାଡେଟ୍‌ ଜୁଡୋ ପ୍ରତିଯୋଗିତାରେ ନିଜ ଅଭିଯାନ ଶେଷ କରି ଶନିବାର ରାତିରେ ଇମ୍ଫାଲରୁ ଦିମାପୁର ରେଳଷ୍ଟେସନ୍‌କୁ ଏକ ବସ୍‌ ଯୋଗେ ଫେରୁଥିଲେ। ମଧ୍ୟରାତ୍ର ପ୍ରାୟ ୧୨ଟା ବେଳେ ଦୀମାପୁରଠାରୁ ୨୦ କିଲୋମିଟର୍ ଦୂର ଏକ ଘାଟି ଉପରେ ବସ୍‌ଟି ପଙ୍କଚର୍‌ ହେବାରୁ ସନ୍ତୁଳନ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସଟି ପଲଟିଯିବାରୁ ୨୯ ଜଣିଆ ଓଡ଼ିଶା ଦଳରୁ ୧୮ ଜଣ ଆହତ ହୋଇଛନ୍ତି। ବହୁ ଓଜନିଆ ସରଞ୍ଜାମ ଥିବାରୁ ବସଟି ଖୁଆଡ ଭିତରକୁ ନ ପଶି ଅଟକିଯାଇଥିଲା। ମୃତ୍ୟୁମୁଖରୁ ବର୍ତିଯାଇଥିଲେ ଏହି ଖେଳାଳିମାନେ। ୪ ଜଣ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଜଣଙ୍କର କଲର‌ବୋନ୍‌ ଏବଂ ଅନ୍ୟ ଜଣଙ୍କ ସର୍ଭିକାଲରେ ଗୁରୁତର ଆଘାତ ଲାଗିଛି। ୬ ମାସ ତଳେ ଗୋଡ଼ରେ ଆସ୍ତ୍ରୋପଚାର କରିଥିବା ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ବଳରାମ ବେହେରା (ବୁଲୁ)ଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ସମସ୍ତେ ଦିମାପୁରରେ ପ୍ରାଥମିକ ଚିକିତ୍ସା ପରେ ବିବେକ ଏକ୍ସପ୍ରେସ୍‌ ଯୋଗେ ଭୁବନେଶ୍ବର ଫେରୁଛନ୍ତି।

publive-image

ସମ୍ପୂର୍ଣ୍ଣ ଦଳର ଟ୍ରେନ୍‌ ଟିକେଟ୍ ମଧ୍ୟ ସ୍ପଷ୍ଟ ହୋଇନଥିବାରୁ ସେମାନେ ଷ୍ଟେସନ୍ ମାଷ୍ଟରଙ୍କୁ କାକୁତି ହୋଇ ଦିବ୍ୟାଙ୍ଗଙ୍କ ସ୍ବତନ୍ତ୍ର ବଗିରେ ଦୟନୀୟ ଭାବେ ଆସୁଛନ୍ତି। ସମସ୍ତେ ସୁରକ୍ଷିତ ଭାବେ ‌ଓଡ଼ିଶା ଫେରୁଥିଲେ ମଧ୍ୟ ୩/୪ ଜଣଙ୍କ ଅବସ୍ଥା ଭଲ ନ ଥିବା କହିଛନ୍ତି ଓଡ଼ିଶା ଜୁଡ଼ୋ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା। ଆମ ଦଳ ନିଜସ୍ବ ବସ୍ ବୁକିଂ କରିଥିଲେ ମଧ୍ୟ ମଣିପୁର ଜୁଡ଼ୋ ସଂଘ ଏହ‌ାକୁ ଅନୁମତି ନ ଦେଇ ନିଜସ୍ବ ବସରେ ପଠାଇଥିଲା। କିନ୍ତୁ ଡ୍ରାଇଭରଙ୍କ ଦାୟିତ୍ବହୀନ ବସ୍‌ ଚାଳନା ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। କିନ୍ତୁ ଦୁଇ ପ୍ରଶିକ୍ଷକ କାନ୍ଦନ ଏବଂ ବଳରାମଙ୍କ ସାହସିକ ପ୍ରୟାସକୁ ଗୀତାଞ୍ଜଳି ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ବର ଜୁଡୋ ହଲ୍‌ର ଉର୍ମିଳା ସାହୁ ୫୬ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ପଦକ ରାଉଣ୍ଡରେ କିସ୍‌ର ରିତାରାଣୀ ସୋରେନ୍‌ (୪୮ କେଜି), ବିକ୍ରମ ମଣ୍ଡଳ (୫୦ କେଜି), ଗାୟତ୍ରୀ ଶବର (୩୬ କେଜି) ଓ ଜୁଡୋ ହଲ୍‌ର ରାଜେଶ କୁମାର ନାୟକ (୭୩ କେଜି) ହାରି ପଦକ ହାସଲରୁ ବଞ୍ଚିତ ରହିଥିଲେ। ଓଡ଼ିଶାର ବାଳକ ଓ ବାଳିକା ଦଳ ସହିତ ସହ ପ୍ରବନ୍ଧକ ଓ ପ୍ରଶିକ୍ଷକ ଭାବେ କାନ୍ଦନ ମୁର୍ମୁ, ବଳରାମ ବେହେରା ଓ ତନିଷ୍କା ମନସ୍ବିନୀ ସାହୁ ଇମ୍ଫାଲ ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe